ସୁନ୍ଦରଗଡ଼ : ‘ଆଜିର ମଣିଷ ସ୍ବାର୍ଥ ସର୍ବସ୍ବ ହୋଇ ସମ୍ପର୍କକୁ ପାଶୋରି ଦେଉଛି। ଲୋଭ ଆଉ ଲାଭର ବଶବର୍ତ୍ତୀ ହୋଇ ଧିରେ ଧିରେ ସ୍ବାର୍ଥବାଦୀ ତଥା ବସ୍ତୁବାଦୀ ହୋଇଯାଉଛି। ସବୁବେଳେ ଭାବୁଛି, ଅର୍ଥ ହିଁ ସର୍ବସ୍ବ- ଟଙ୍କା ପଇସାରେ ଦୁନିଆକୁ ନିଜ ହାତମୁଠାରେ ଅକ୍ତିଆର କରି ହେବ। କିନ୍ତୁ ଭାବ୍, ପ୍ରେମ, ସମ୍ପର୍କ ଜୀବନର ଅସଲି ଧନ ସମ୍ପଦ। ଅର୍ଥ ବା ଟଙ୍କା ମଣିଷକୁ କିଣି ଦେଇପାରେ, କିନ୍ତୁ ମଣିଷପଣିଆକୁ ନୁହେଁ। ଆଉ ଭାବ୍, ପ୍ରେମରେ ମଣିଷର ମଣିଷପଣିଆକୁ ଆଦରି ହୁଏ’। ଏପରି କିଛି ମର୍ମସ୍ପର୍ଶୀ କାହାଣୀକୁ ନେଇ ସୁନ୍ଦରଗଡ଼ ନବଜୀବନ ଦ୍ବାରା ପରିବେଷିତ ନାଟକ ‘ଭାବ୍’ରେ ସମ୍ବଲପୁରର ‘ଆରଣ୍ୟକ’ ମଞ୍ଚ ବିହ୍ବଳ ହୋଇ ଉଠିଥିଲା। ଅନ୍ୟ ଚରିତ୍ରମାନଙ୍କ ସମେତ ମୁଖ୍ୟ ଚରିତ୍ର ବିଜୁ ଓ ଲକ୍ଷ୍ମୀଙ୍କ ବଳିଷ୍ଠ, ନିଖୁଣ ଅଭିନୟ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା।
‘ଯୁବ ଉଦୟନ’ ପକ୍ଷରୁ ଆୟୋଜିତ ସମ୍ବଲପୁର ବୀର ସୁରେନ୍ଦ୍ର ସାଏ ନାଟକ ପ୍ରତିଯୋଗିତାର ଅଂଶଗ୍ରହଣ କରି ଦର୍ଶକଙ୍କ ଲୁହ ଓ ତାଳି ସାଉଁଟିଥିବା ଏହି ନାଟକକୁ ୧୦ ଦିନ ତଳେ ଆଖି ବୁଜିଥିବା ଚର୍ଚ୍ଚିତ ନାଟ୍ୟକାର, ଚଳଚିତ୍ର ନିର୍ଦ୍ଦେଶକ, ପ୍ରଯୋଜକ ପ୍ରଦୀପ ଭୋଳ ରଚନା ଓ ନିର୍ଦ୍ଦେଶନା ଦେଇଥିଲେ। ଏଥିରେ ଅଭିନୟ କରିଥିଲେ ବିଜୟ ମହାରଣା, ଲକ୍ଷ୍ମୀପ୍ରିୟା ପତି, ଲତିକା ପଟ୍ଟନାୟକ, ଲିଜାରାଣୀ ସାହୁ, ଆୟୁଷ୍ମାନ ଆଚାର୍ଯ୍ୟ, ପ୍ରିୟଙ୍କା ଜେନା, କୁମୁଦ ପଣ୍ଡା, ଦେବାଶିଷ କବି, ସୌମ୍ୟରଞ୍ଜନ ଦାସ, ରୋନକ ପଟେଲ, ଦେବାଶିଷ ମହାଲିଙ୍ଗ ଓ ସଂଗୀତ ଦେଇଥିଲେ ସୁଶ୍ରୀ ସସ୍ମିତା ସାହୁ, ମଞ୍ଚସଜ୍ଜା ଦେବେନ ଅମାତ, ସହଯୋଗୀ ଅଶ୍ବିନୀ ପଟେଲ, ଆଲୋକ ଶବର ନାଏକ ଓ ନାଟକର ପରିଚାଳନା କରିଥିଲେ ବରିଷ୍ଠ ନାଟ୍ୟକାର ପ୍ରଦୀପ ପଣ୍ଡା।