‘କଖଗ’ ନାଟ୍ୟ ଅନୁଷ୍ଠାନ ପକ୍ଷରୁ ନାଟ୍ୟୋତ୍ସବ 

ସମ୍ବଲପୁର:  ‘କଖଗ’ ନାଟ୍ୟ ଅନୁଷ୍ଠାନ ଆନୁକୂଲ୍ୟରେ ନାଟ୍ୟୋତ୍ସବ ୨୦୨୨ ‌ଆରଣ୍ୟକ ମଞ୍ଚ ଝାଡ଼ୁଆପଡ଼ାରେ ଆରମ୍ଭ ହୋଇଛି। ଶୁକ୍ରବାର ପ୍ରଥମ ସଂଧ୍ୟାରେ କବିତା, ସଂଗୀତ ଓ ଚିତ୍ରର କୋଲାଜ୍ ‘ଗୁନ୍ଥନ’ ବେଶ ମନଛୁଆଁ ହୋଇଥିଲା। ଏଥିରେ ୧୧ ଜଣ ଦିବଂଗତ ଓ ଜୀବିତ କବିଙ୍କ କବିତା ଆବୃତ୍ତି, କବିତାର ସଂଗୀତ ରୂପାନ୍ତରଣ ଓ ଚିତ୍ର ରୂପ ପ୍ରସ୍ତୁତ କରା ଯାଇଥିଲା। ସ୍ବର୍ଗତ ଗୋପାଳକୃଷ୍ଣ ରଥଙ୍କ କବିତାକୁ ବିଜୟ କୁମାର ତ୍ରିପାଠୀ, ସ୍ବର୍ଗତ ହୃଦମଣି ପ୍ରଧାନଙ୍କ କବିତାକୁ ମୋହନ ସାହୁ, ସ୍ବର୍ଗତ ରଣଜିତ ପଟ୍ଟନାୟକଙ୍କ କବିତାକୁ ପ୍ରଦ୍ୟୁମ୍ନ କୁମାର ଦାଶ ଆବୃତ୍ତି କରିଥିଲେ। ସେହିପରି କବି ଇନ୍ଦିରା ଦାସଙ୍କ କବିତାକୁ ତାଙ୍କ ଅନୁପସ୍ଥିତିରେ ସବିତା ତ୍ରିପାଠୀ ଆବୃତି କରିଥିଲେ। ଏହାଛଡ଼ା କବି ରାମକୃଷ୍ଣ ସାହୁ, ପ୍ରଦୀପ କୁମାର ପଣ୍ଡା, ଭାଗିରଥୀ ମିଶ୍ର, ମନୋଜ କୁମାର ପଣ୍ଡା, ସରୋଜ ମହାନ୍ତି, ଦୁର୍ଗା ପ୍ରସାଦ ପଣ୍ଡା, ସାବିତ୍ରୀ ପୁରୋହିତ ପ୍ରମୁଖ ନିଜନିଜ କବିତା ଆବୃତ୍ତି କରିଥିଲେ।

ଏହି ସମୟରେ ପ୍ରତିଟି କବିତାକୁ ଚିତ୍ରଶିଳ୍ପୀ ସଂଜୟ ସାହୁ ଚିତ୍ର ରୂପାନ୍ତର କରିଥିଲେ। ସେହିପରି ସମସ୍ତ କବିତାର ସ୍ବର ସଂଯୋଜନା କରି ସଂଗୀତ ରୂପେ ପରିବେଷିତ ହୋଇଥିଲା। ବିଶ୍ବସ୍ବରୂପ ମହାପାତ୍ର, ହୃଦାନନ୍ଦ ଗଡ଼ତିଆ, ସାଇଚରଣ ପଟ୍ଟନାୟକ, ରବୀନ୍ଦ୍ର ପଣ୍ଡା, ଗୋପାଳ ମହାକୁଡ଼, ରୀନା ଦାସ, ପ୍ରୀତିନନ୍ଦା ମିଶ୍ର କଣ୍ଠଦାନ କରିଥିଲାବେଳେ ସଂଗୀତ ଦେଇଥିଲେ ବ୍ରଜେନ୍ଦ୍ର ନାୟକ। ଏହାପରେ ଦ୍ବିତୀୟ ଅଧିବେଶନରେ ବ୍ରଜେନ୍ଦ୍ର ନାୟକଙ୍କ ରଚିତ, ନିର୍ଦ୍ଦେଶିତ ନାଟକ ‘କଥା’ ପରିବେଷିତ ହୋଇଥିଲା। ଏହାକୁ ବିଶିଷ୍ଟ ବ୍ୟଙ୍ଗ କବି ତଥା କଳାକାର ମନୋରଂଜନ ସାହୁ ଏକକ ଅଭିନୟ ମାଧ୍ୟମରେ ଚମତ୍କାର ଢଙ୍ଗରେ ପରିବେଷଣ କରିଥିଲେ। ହୃଦାନନ୍ଦ ଗଡ଼ତିଆ କଣ୍ଠଦାନ କରିଥିଲେ। ଆରମ୍ଭରୁ ପ୍ର. କାଳିଦାସ ମିଶ୍ର, ସୁଦର୍ଶନ ପୂଜାରୀ, ଧ୍ରୁବଚରଣ ପଣ୍ଡା, ସୌମେନ୍ଦ୍ର ପୂଜାରୀ, ଡା. ରାସେଶ୍ବରୀ ପାଣିଗ୍ରାହୀ ପ୍ରମୁଖ ଅତିଥିଭାବେ ଯୋଗଦେଇ କାର୍ଯ୍ୟକ୍ରମ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ କଖଗ ସଂପାଦିତ ଓ ସଂକଳିତ ପୁସ୍ତକ ‘ବାର୍ତ୍ତାଳାପ-୩’ ଉନ୍ମୋଚିତ ହୋଇଥିଲା। ଏଥିରେ ୧୨ ଜଣ ବିଶିଷ୍ଟ ସାହିତ୍ୟିକଙ୍କ ସହ ଆଉ ୧୨ ଜଣ ସାହିତ୍ୟିକଙ୍କ ସୃଜନାତ୍ମକ ଆଳାପକୁ ଲିପିବଦ୍ଧ କରାଯାଇଛି।

ସମ୍ବନ୍ଧିତ ଖବର