ବଲାଙ୍ଗୀର: ଗୁରୁବାର ବଲାଙ୍ଗୀର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ ସମୀକ୍ଷା ବୈଠକ କରୁଥିବାବେଳେ ବାହାରେ ହାଇଡ୍ରାମା ଦେଖିବାକୁ ମିଳିଥିଲା। ଟିଟିଲାଗଡ଼ ବିଧାୟକ ନବୀନ ଜୈନ କକ୍ଷ ବାହାରେ ବହୁ ସମୟ ଧରି ବସି ରହିଥିଲେ। ତାଙ୍କୁ ବୈଠକକୁ ଡକାଯାଇ ନଥିବା ଅଭିଯାଗ କରିଥିଲେ। ବୈଠକରେ ଯୋଗଦେବା ପାଇଁ ସମସ୍ତ ବିଧାୟକ ଓ ସାଂସଦଙ୍କ ନାମ ଥିଲା। କିନ୍ତୁ ନବୀନଙ୍କ ନାମ ଏଥିରେ ନଥିଲା। ତାଙ୍କ ନାମକୁ ଚିଠିରୁ ଜାଣିଶୁଣି କଟାଯାଇଛି ବୋଲି ସେ ଅଭିଯୋଗ କରିଥିଲେ। ସେହିପରି ଯେ କୌଣସି ଅଭିଯୋଗ କଲେ ପ୍ରଶାସନ ତାଙ୍କ କଥା ଶୁଣୁନଥିବା ବିଧାୟକ ଶ୍ରୀ ଜୈନ ଅଭିଯୋଗ କରିଥିଲେ।
‘ମାଡାମ୍ଙ୍କ ହସ୍ତକ୍ଷେପ ଯୋଗୁ ପ୍ରଶାସନ ପଚାରୁନି’
କୌଣସି ଦୁର୍ନୀତି ପ୍ରସଙ୍ଗ ଉଠାଇଲେ ପ୍ରଶାସନ ଖାମଖିଆଲି ଆଚରଣ କରୁଛି ଏବଂ ଜିଲ୍ଲା ପ୍ରଶାସନ ତାଙ୍କୁ ବାରମ୍ବାର ଅବହେଳା କରୁଛି ବୋଲି ଅଭିଯୋଗ କରିଥିଲେ ନବୀନ। ପୂର୍ବ ସରକାରରେ ଯେପରି ଅଫିସର୍ ରାଜ୍ ଚାଲିଥିଲା, ବଲାଙ୍ଗୀରରେ ତାହା ଜାରି ରହିଥିବା ସେ କହିଥିଲେ। ପ୍ରଶାସନର ଏଭଳି ଆଚରଣ ‘ମାଡାମ୍’ଙ୍କ ହସ୍ତକ୍ଷେପ ଯୋଗୁଁ ହେଉଛି ବୋଲି ସେ କହିଥିଲେ। ତେବେ ସେହି ମାଡାମ୍ ଜଣକ ସରକାରୀ ଅଧିକାରୀ ନା ଆଉ କେହି, ତାହା ନବୀନ କହିନଥିଲେ। ଯାହାକୁ ନେଇ ରୋଚକ ସ୍ଥିତି ସୃଷ୍ଟି ହୋଇଥିଲା। ତେବେ ନବୀନଙ୍କ ନାମ ଚିଠିରୁ କଟିବା ନେଇ ପ୍ରଶାସନକୁ ତାଗିଦ କରାଯାଇଥିବା ମନ୍ତ୍ରୀ ରବି ନାଏକ କହିଛନ୍ତି। ଚିଠିରେ ନବୀନଙ୍କ ନାମ ନ ରହିବା ଟାଇପିଂ ତ୍ରୁଟି ଏବଂ ତାଙ୍କୁ ବାରମ୍ବାର ଜିଲ୍ଲା ପ୍ରଶାସନ ତରଫରୁ ବୈଠକ ସମ୍ପର୍କରେ ଫୋନ୍ କରି ନିମନ୍ତ୍ରଣ କରାଯାଇଥିବା ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ସଫେଇ ଦେଇଛନ୍ତି।