ବିଶ୍ବ ନାଟ୍ୟ ଦିବସରେ ନିରୁତ୍ସାହିତ କଳାକାର: ଭିତ୍ତିଭୂମି ଅଭାବ ସହ ପ୍ରଶାସନିକ ପ୍ରୋତ୍ସାହନ ବି ମିଳୁନି

ଜୟପୁର: ବିଶ୍ବ ନାଟ୍ୟ ଦିବସ ସୋମବାର ପାଳିତ ହୋଇଯାଇଛି। ସମଗ୍ର ବିଶ୍ବରେ ଏହି ଦିବସ ମହା ଆଡମ୍ବର ସହ ପାଳନ ହୋଇଥିଲେ ହେଁ ଜୟପୁରରେ ଏହା ପାଳନ ହୋଇ ପାରିଲା ନାହିଁ। ସହରରେ ବିଭିନ୍ନ ବୟସ ବର୍ଗର ଶହ ଶହ କଳାକାର ରହିଥିଲେ ହେଁ ଆଜି ଗୋଟିଏ ବି ନାଟକ ମଂଚସ୍ଥ ହୋଇପାରି ନାହିଁ। ଏଥି ପାଇଁ ଦାୟୀ କିଏ  ବୋଲି ବହୁ ବରିଷ୍ଠ କଳାକାର ଅଭିଯୋଗ କରିଛନ୍ତି। ଏଥି‌ ପାଇଁ ଜିଲ୍ଲା ପ୍ରଶାସନର କଳା ଓ ସଂସ୍କୃତି ବିଭାଗ କିମ୍ବା କୌଣସି ଅନୁଷ୍ଠାନ ବି ପ୍ରୟାସ କଲେ ନାହିଁ। ସହରରେ ଗୋଟିଏ ନାଟକ ମଂଚସ୍ଥ କରିବା ପାଇଁ ଭିତ୍ତିଭୁମି ନାହିଁ। ଏହା ସାଙ୍ଗକୁ ପ୍ରଶାସନ ବି ଯେଭଳି କଳାକାରଙ୍କୁ ପ୍ରତ୍ସାହିତ କରିବା କଥା କରୁ ନି ବୋଲି କଳାକାର ମାନେ କହିଛନ୍ତି।

ଦିନକୁ ଦିନ ଅପେରା, ଡ୍ରାମା, ନାଟକ, ଆଦିବାସୀ ନାଟକ , ରାଜାଙ୍କ ଦ୍ବାରା ଲିଖିତ ନାଟକ, ଅତ୍ୟାଧୁନିକ ନାଟକ ବି ଆଉ ଜୟପୁରରେ ମଂଚସ୍ଥ ହେଉ ନାହିଁ। ଧିରେ ଧିରେ  ସବୁ ରକମର ନାଟକ ମରି ମରି ଯାଉଛି। ଗୋଟିଏ ପଟେ ଓଡିଆ ନାଟକ ‘ନୀଳ ଶଇଳ’ ନୂଆଦିଲ୍ଲୀରେ ରେକର୍ଡ ସୃଷ୍ଟି କରି ଓଡିଶା ଓ ଓଡିଆ କଳାକାରଙ୍କ ନାଁ ସର୍ବଭାରତସ୍ତରରେ ସ୍ଥାପିତ  କରିଛି। ସେଭଳି ନାଟକ  ଜୟପୁରରେ ବି ପ୍ରସ୍ତୁତ ହୋଇପାରିବ। ସେଭଳି କଳାକାର ଓ ଅଭିନେତା , ସଂଗୀତକାର ଜୟପୁରରେ ବି ରହିଛନ୍ତି, ତେବେ ସେମାନଙ୍କୁ ଯେଭଳି ପ୍ରତ୍ସାହନ, ଅନୁସଙ୍ଗିକ ଭିତ୍ତିଭୁମି ଆବଶ୍ୟକ ତାହା ବି ମିଳିବା ଦରକାର। ସହରରେ  ୨ବର୍ଷ ତଳେ ଜୟପୁର କଳା ଓକଳାକାରଙ୍କ  ଦ୍ବାରା ୩୨ଜଣ ଅଭିନେତାଙ୍କ ସହ ଶତାଧିକ କଳାକାରଙ୍କ ମିଳିତ ଉଦ୍ୟମରେ ୩ଟି ବିଷୟବସ୍ତୁକୁ ନେଇ‘ମହାନାଟକ’ ମଂଚସ୍ଥ କରାଯାଇ ନାଟକକୁ ବଂଚାଇବା ପ୍ରୟାସ କରାଯାଇଥିଲା। ତା ପର ଠାରୁ ଆଉ ସେଭଳି ନାଟକ କରିବାକୁ ଆଉ କେହି ପ୍ରୟାସ କରିନାହାନ୍ତି।

ଦିନ ଥିଲା ସୁସ୍ଥ ସମାଜ ଗଠନ, ଦେଶ ସ୍ବାଧୀନତା କଥା ହେଉ କିମ୍ବା ସଚେତନତାର ବାର୍ତ୍ତା ପ୍ରଚାର ଓ ପ୍ରସାର କରିବା ପାଇଁ ପ୍ରମୁଖ ମାଧ୍ୟମ ପାଲଟିଥିବା ନାଟକ ଆଉ ଏବେ କରିବାକୁ ମଂଚ ନାହିଁ। ସହରରେ ଥିବା କିଛି ଅନୁଷ୍ଠାନ ବାହାର ଅନ୍ତଃରାଜ୍ୟ ଓ ସର୍ବଭାରତସ୍ତରରେ ପ୍ରଶାଂସିତ ଓ ପୁରସ୍କୃତ। ତେବେ ନିଜ ସହରରେ ସେମାନେ ଅଭ୍ୟାସ କରିବା ପାଇଁ ଭଲ ମଂଚ କିମ୍ବା ହଲ ନାହିଁ। ବିଭିନ୍ନ ଅନୁଷ୍ଠାନ ଯଦି ଓ କାଁ ଭାଁ କିଛି ନାଟକ ପରିବେଷଣ କରୁଛନ୍ତି, କିମ୍ବା ବାହାର ରାଜ୍ୟକୁ ଯାଉଛନ୍ତି ତେବେ ସେମାନେ କାହା ଘର ଛାତ ଉପରେ କିମ୍ବା ସ୍କୁଲ ବନ୍ଦ ହେବା ପରେ ଏହି ପରିସରରେ ଥିବା ଛୋଟ ରୁମରେ ସୀମୀତ ସ୍ଥାନ ମଧ୍ୟରେ ଅଭ୍ୟାସ କରିବାକୁ ପଡ଼ୁଛି ବୋଲି ଏମାନେ କହିଛନ୍ତି।

ଅପରପକ୍ଷରେ ସଂପ୍ରତି ରାଜ୍ୟ କିମ୍ବା ଅନ୍ୟ ସହରରେ ମଂଚସ୍ଥ ହେଉଥିବା ନାଟକ ଗୁଡିକ ପହଚିଂଲାଣି ସେ ସ୍ତରକୁ ଯିବା ପାଇଁ ଆମକୁ ବହୁତ କିଛି ଶିଖିବା ସହ ପ୍ରସ୍ତୁତ ହୋଇ ଯିବାକୁ ପଡ଼ିବ ବୋଲି ନାଟ୍ୟ ନିର୍ଦେଶକ ସୁଧାକର ପଟ୍ଟନାୟକ, ଅଶୋକ ଜେନା କହିଛନ୍ତି। ଜୟପୁର ସହରର  ଶତାଧିକ କଳାକାରଙ୍କୁ ଜିଲ୍ଲାପ୍ରଶାସନ ବି ପାତରଅନ୍ତର କରୁଛନ୍ତି , ଆଜିର ଦିନରେ କିଛି ବି ଜୟପୁରରେ ହୋଇ ନଥିବାରୁ ଆମେ ସବୁ ନିରୁତ୍ସାହିତ ହୋଇଛୁ ବୋଲି କଳାକାର ଜୟନ୍ତ ସାନ୍ତ୍ରା,  ମନୋଜ ପାତ୍ର, କାର୍ତ୍ତିକ ରାଉତ,ଗୋପାଳ ସାମନ୍ତରାୟ, ହରିହର କରସୁଧା ପଟ୍ଟନାୟକ,  ସୁଧାକର ପଟ୍ଟନାୟକ, ଶିଶିରଦାଶ, ମହମ୍ମଦ ସରିଫ, ବିଜୟ ମହାପାତ୍ର, ମୁରଲୀ ପଟ୍ଟନାୟକ, ଅଶୋକ ଜେନା, ରବିନ୍ଦ୍ର ରାଉତ, ଅମର ମିଶ୍ର, ରବିନ୍ଦ୍ର ପାତ୍ର, ସ୍ବର୍ଣ୍ଣଲତା ପଣ୍ଡା ପ୍ରମୁଖ କହିଛନ୍ତି।  ସୀମିତ ସ୍ଥାନ, ଅନୁସଙ୍ଗିକ ଭିତ୍ତିଭୁମି ଅଭାବରେ ମଧ୍ୟ ଆ‌ମର କଳାକାର, ଅଭିନେତା ମାନେ  ଯଦି ରାଜ୍ୟ ଓଜାତୀୟ ସ୍ତରରେ ଯଦି ପୁରସ୍କୃତ ହୋଇପାରୁଛନ୍ତି , ତେବେ ସେମାନଙ୍କୁ ଉତ୍ସାହ, ପ୍ରତ୍ସାହନ ଓ ଭିତ୍ତିଭୁମି ଯୋଗାଇଲେ ସେମାନେ କେଉଁ ସ୍ଥାନରେ ପହଚିଂବେ ତାହା ସହଜରେ ଅନୁମାନ କରିବା ଆବଶ୍ୟକ ବୋଲି ଏହି କଳାକାର ମାନେ କହିଛନ୍ତି।

 

ସମ୍ବନ୍ଧିତ ଖବର