ଭୁବନେଶ୍ବର: ସ୍ବାମୀଙ୍କ ସହ ରହିପାରିଲାନି। ବିବାହର ୩ବର୍ଷ ପରେ ସ୍ବାମୀଙ୍କୁ ଛାଡ଼ି ବାପଘରକୁ ଫେରିଲା। ସେତିକିବେଳେ ସାହାରା ସାଜିଥିଲେ ସାନଭାଇ। ତେବେ ସେହି ଭାଇଙ୍କୁ ବି ସେ ଛାଡ଼ିଲାନି। ପ୍ରେମିକ ସହ ମିଶି ଅପହରଣର ନାଟକ କରି ଭାଇଙ୍କୁ କୋଟିଏ ଟଙ୍କା ଚୂନ ଲଗାଇବାକୁ ଯୋଜନା କଲା। ହେଲେ ଶେଷରେ ନାଟକ ଫସର ଫାଟିଗଲା। ଗତକାଲି ରାଜଧାନୀରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ଚନ୍ଦକା ଥାନା ଟ୍ରାଇଡେଣ୍ଟ ଗ୍ୟାଲାକ୍ସିର ସ୍ମୃତିରେଖା ପାଣି ଅପହରଣ ମାମଲା ଏକ ନାଟକ ଥିଲା ବୋଲି ଜଣାପଡ଼ିଛି। ଆଜି କମିସନରେଟ୍‌ ପୁଲିସ ମୁଖ୍ୟାଳୟରେ ପୁଲିସ କମିସନର ସଞ୍ଜୀବ ପଣ୍ଡା ଓ ଡିସିପି ପ୍ରତୀକ ସିଂହ ଘଟଣା ଉପରୁ ପର୍ଦ୍ଦା ହଟାଇଛନ୍ତି। ଘଟଣାରେ ଚନ୍ଦକା ଥାନା ପୁଲିସ ସ୍ମୃତିରେଖା ସହ ତା’ ପ୍ରେମିକ ରାଜସ୍ଥାନ ଜୟପୁରର ପ୍ରଦୀପ କୁମାର ଓଲା (୨୭) ଓ ସହଯୋଗୀ ଦେବୀ ଲାଲ(୨୭)ଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ରାଜସ୍ଥାନ ନମ୍ବର ଥିବା ଏକ ଟୟଟା ହାଇରାଇଡ୍‌ର ଗାଡ଼ି ଜବତ କରାଯାଇଛି।

Advertisment

ସୂଚନା ମୁତାବକ, ଗତ ୧୫ ତାରିଖରେ ପ୍ରଦୀପ ତା’ ‌ପ୍ରେମିକା ସ୍ମୃତିରେଖାକୁ ଓଡ଼ିଶାରୁ ନେଇଯିବା ପାଇଁ ନିଜ ସହଯୋଗୀ ଦେବୀ ଲାଲ୍‌ ସହିତ ଜୟପୁରରୁ ବାହାରିଥିଲା। ଯୋଜନା ଅନୁସାରେ ଉଭୟ ସେଠାରୁ କାର୍‌ରେ ବାହାରି ୧୭ ତାରିଖରେ ଓଡ଼ିଶାରେ ପହଞ୍ଚି ଖୋର୍ଦ୍ଧାର ହୋଟେଲ୍‌ ମାଉଣ୍ଟରେ ରହିଥିଲେ। ଏହାପରେ ସ୍ମୃତିରେଖାକୁ ଭେଟି ଅପହରଣ ନାଟକର ଯୋଜନା କରିଥିଲେ। ୧୯ ତାରିଖ ଅପରାହ୍ଣ ୨.୪୫ରେ ସ୍ମୃତିରେଖା ସତ୍‌ସଙ୍ଗକେନ୍ଦ୍ର ଯିବାକୁ କହି ଘରୁ ବାହାରି ଆସିଥିଲା। ସେଦିନ ସନ୍ଧ୍ୟା ୬.୪୫ ସମୟରେ ସାନଭାଇ ଶୁଭାଶି‌ଷଙ୍କ ପାଖକୁ ଏକ ହ୍ବାଟ୍‌ସଆପ୍‌ କଲ୍‌ ଆସିଥିଲା। କଲ୍‌ କରିଥିଲା ନିଜେ ପ୍ରଦୀପ। ସେ ନିଜକୁ କୁଖ୍ୟାତ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋୟୀ ଗ୍ୟାଙ୍ଗ୍‌ର ସଦସ୍ୟ ବୋଲି ପରିଚୟ ଦେଇଥିଲା। କହିଥିଲା, ‘‘ତୁମ ଭଉଣୀ ମୋ’ ପାଖରେ ଅଛି। ସେ ଏବେ ସୁରକ୍ଷିତ ଅଛି, ହେଲେ ମୋ’ ପାଖରେ ମାତ୍ର ୧୦-୨୦ ମିନିଟ୍‌ ସମୟ ଅଛି। ଫୋନ୍‌ରେ‌ ମୁଁ ବେଶି କଥାହେବାକୁ ଚାହୁନାହିଁ। ତୁରନ୍ତ ମୋ’ ଆକାଉଣ୍ଟକୁ କୋଟିଏ ଟଙ୍କା ପଠାଅ। ନଚେତ୍‌ ଭଉଣୀର ଶବ ମିଳିବ...।’’
କଲ୍‌ ପାଇ ଭୟରେ ଶୁଭାଶିଷ ପ୍ରଦୀପର ଆକାଉଣ୍ଟକୁ ୧୨ଲକ୍ଷ ଟଙ୍କା ପଠାଇଥିଲେ। ତା’ ସହିତ ଘଟଣା ସମ୍ପର୍କରେ ପରିବାର ଲୋକ ଓ ପୁଲିସକୁ ମଧ୍ୟ ଜଣାଇଥିଲେ। ଘଟଣାକୁ କମିସନରେଟ୍‌ ପୁଲିସ ଗୁରୁତ୍ବର ସହ ନେଇଥିଲା। ଅପହର୍ତ୍ତାଙ୍କୁ ଧରିବା ପାଇଁ ପୁଲିସ କମିସନର ସଞ୍ଜୀବ ପଣ୍ଡାଙ୍କ ନେତୃତ୍ବରେ ୨ଜଣ ଏଡିସିପି, ୪ଜଣ ଏସିପି ଓ ୬ଜଣ ଆଇଆଇସିଙ୍କୁ ନେଇ ୬ଟି ଟିମ୍‌ ଗଠନ କରାଯାଇଥିଲା। ହ୍ବାଟ୍‌ସଆପ୍‌ ଠାରୁ ଆରମ୍ଭ କରି ସିଡିଆର୍‌ ରିପୋର୍ଟରୁ ପୁଲିସ ତଥ୍ୟ ହାତେଇ ବିଭିନ୍ନ ସ୍ଥାନରେ ଚଢ଼ଉ ସହ ଚେକିଂ ବ୍ଲକିଂ କରିଥିଲା। ସେଥିରୁ ଜଣା ପଡ଼ିଥିଲା ଯେ ମହିଳାଙ୍କୁ ନେଇ ଅପହରଣକାରୀମାନେ ବୌଦ୍ଧ ଆଡ଼କୁ ଯାଇଛନ୍ତି। ତା’ପରେ ରାତାରାତି ପୁଲିସର ୬ଟି ଟିମ୍‌ ସେମାନଙ୍କର ପିଛା କରିଥିଲା। ବୌଦ୍ଧ ପୁଲିସକୁ ବି ଏସମ୍ପର୍କରେ ସତର୍କ କରାଯାଇଥିଲା। ତେବେ ସ୍ମୃତିରେଖା ଓ ପ୍ରଦୀପ କୌଣସି ଉପାୟରେ ତାହା ଜାଣିପାରି ମଝିରାସ୍ତାରୁ ନୟାଗଡ଼ ଆଡ଼କୁ ଫେରିଆସିଥିଲେ।

ଏହି ସୂଚନା ମଧ୍ୟ ପୁଲିସ ପାଇଯାଇଥିଲା। ଖବରପାଇ ନୟାଗଡ଼ ପୁଲିସ ବି ବିଭିନ୍ନ ସ୍ଥାନରେ ଚେକିଂ ବ୍ଲକିଂ କରିଥିଲା। ସ୍ମୃତିରେଖା ଓ ପ୍ରଦୀପ ନୟାଗଡ଼ରେ ପହଞ୍ଚିଲା ବେଳକୁ ସେଠାରେ ପୂର୍ବରୁ ୪ଟି ଛକରେ ସ୍ଥାନୀୟ ପୁଲିସ ଛକି ବସିଥିଲା। ପୁଲିସ ତାଙ୍କ କାର୍‌କୁ ଅଟକାଇବାକୁ ଚେ‌ଷ୍ଟା କରିବାବେଳେ ସେମାନେ କାର୍‌କୁ ଦ୍ରୁତଗତିରେ ପୁଲିସ ଆଡ଼କୁ ମଡ଼ାଇ ନେଇ ପଳାଇବାକୁ ଚେଷ୍ଟା କରିଥିଲେ। ସେଥିରେ ନୟାଗଡ଼ ସଦର ଥାନା ଆଇଆଇସିଙ୍କ ସମେତ ୩ରୁ ଅଧିକ ପୁଲିସ କର୍ମଚାରୀ ଆହତ ହୋଇଥିଲେ। କିନ୍ତୁ ତା’ଭିତରେ କାର୍‌ର ଡୋର୍‌ ଖୋଲିଯିବାରୁ ଦେବୀ ଲାଲ କାର୍‌ରୁ ଖସିପଡ଼ିଥିଲା। ପୁଲିସ ତାକୁ ମାଡ଼ି ବସିଲା। କିଛିବାଟ ପରେ କାର୍‌କୁ ଛାଡ଼ି ସ୍ମୃତିରେଖା ଓ ପ୍ରଦୀପ ବାହାରି ଦୌଡ଼ିଥିଲେ। ପୁଲିସ ଗୋଡ଼ାଇ ଗୋଡ଼ାଇ ଉଭୟଙ୍କୁ କାବୁ କରିଥିଲା। ଆହତ ପୁଲିସ କର୍ମଚାରୀଙ୍କୁ ନିକଟସ୍ଥ ହସ୍ପିଟାଲ୍‌ ପଠାଯିବା ସହ ଅପହରଣ ନାଟକ ରଚିଥିବା ୩ଜଣଙ୍କୁ ଭୁବନେଶ୍ବର ଅଣାଯାଇଥିଲା। ଥାନାକୁ ଆଣି ଜେରାବେଳେ ସେମାନେ ସବୁ ସତ ମାନିଥିଲେ। ସାନଭାଇ ଶୁଭାଶିଷ ଭଉଣୀର ପ୍ରେମିକ ପ୍ରଦୀପର ଆକାଉଣ୍ଟକୁ ପଠାଇଥିବା ୧୨ଲକ୍ଷ ଟଙ୍କାଙ୍କୁ ପୁଲିସ ଫ୍ରିଜ୍‌ କରିଛି। ତାହାକୁ ଖୁବ୍‌ଶୀଘ୍ର ଶୁଭାଶିଷଙ୍କ ଆକାଉଣ୍ଟକୁ ଫେରସ୍ତ କରାଯିବ ବୋଲି ପୁଲିସ କହିଛି।

ସ୍ମୃତିରେଖା ବେଶ୍‌ ସମ୍ଭ୍ରାନ୍ତ ପରିବାରର। ତା’ ବାପା ସତ୍ୟନାରାୟଣ ପାଣି ଏକ ରାଜନୈତିକ ଦଳର ନେତା। ସାନଭାଇ ଶୁଭାଶିଷ ପାଣି ମଧ୍ୟ ଜଣେ ପ୍ରତିଷ୍ଠିତ ଟ୍ରେଡର୍‌। ୟୁଟ୍ୟୁବ୍‌ରେ ତାଙ୍କର ‘ପାୱାର ଅଫ୍‌ ଷ୍ଟକ୍‌’ ନାମକ ଚ୍ୟାନେଲ୍‌ ବି ରହିଛି। ଗତ ୨୦୧୫ ମସିହାରେ ସ୍ମୃତିରେଖା ସିଙ୍ଗାପୁରରେ ରହୁଥିବା ଜଣେ ଯୁବକଙ୍କୁ ବିବାହ କରିଥିଲା। ତେବେ ୨୦୧୮ ମସିହାରୁ ସ୍ବାମୀଙ୍କ ଠାରୁ ଅଲଗା ହୋଇ ଓଡ଼ିଶା ଫେରିଆସି ପରିବାର ସହ ଟ୍ରାଇଡେଣ୍ଟ ଗ୍ୟାଲାକ୍ସିରେ ରହୁଥିଲା। ଏହି ସମୟରେ ସେ ଫ୍ୟାସନ ଡିଜାଇନିଂ କାମ ଆରମ୍ଭ କରିଥିଲା। ୨୦୨୩ ମସିହା ଡିସେମ୍ବରରେ ଇନ୍‌ଷ୍ଟାଗ୍ରାମ୍‌ ଜରିଆରେ ରାଜସ୍ଥାନର ପ୍ରଦୀପ କୁମାର ଓଲା ସହିତ ତା’ର ବନ୍ଧୁତା ହୋଇଥିଲା। ଧୀରେ ଧୀରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ତେବେ ସେହି ସମୟରେ ପ୍ରଦୀପର ଟ୍ରେଡିଂ ବ୍ୟବସାୟ କ୍ଷତିରେ ଚାଲିଥିଲା। ସ୍ମୃତିରେଖା ସ୍ବାମୀ ପରିତ୍ୟକ୍ତା ଓ ତା’ ପରିବାର ଧନୀ ବୋଲି ଜାଣି ସେ ସଂପର୍କ ବଢ଼ାଇଥିଲା। କିଛିଦିନ ତଳେ ପ୍ରଦୀପର ପତ୍ନୀ ବି ତା’ଠାରୁ ଅଲଗା ହୋଇଯିବାପରେ ସେ ସ୍ମୃତିରେଖାକୁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲା। ଉଭୟ ବିବାହ ପାଇଁ ନିଷ୍ପତ୍ତି ନେଇଥିଲେ। ସାନଭାଇର ଭଲ ରୋଜଗାର ଥିବାରୁ ଭାଇଠାରୁ କୋଟିଏ ଟଙ୍କା ନେଇ ସେମାନେ ଦାମ୍ପତ୍ୟ ଜୀବନ ଆରମ୍ଭ କରିବାକୁ ଯୋଜନା କରିଥିଲେ। ହେଲେ ତାହା ଫସର ଫାଟିଗଲା।