ଭାଇ ହେଲା ଭଗାରି: ନାଟକୀୟ ଢଙ୍ଗରେ ଅପହରଣ କରି ନାବାଳକକୁ ହତ୍ୟା

ମାଓ ନାମରେ ଧମକ ଦେଇ ୧୦ ଲକ୍ଷ ମାଗିଥିଲା: ଅଭିଯୁକ୍ତକୁ ଫାଶୀ ଦେବାକୁ ଦାବି

ଟିଟିଲାଗଡ଼: ସଂପର୍କୀୟ ଭାଇ ହେଲା ଭଗାରି। ଅର୍ଥ ଲୋଭରେ ନାବାଳକ ଭାଇକୁ ନାଟକୀୟ ଢଙ୍ଗରେ ଅପହରଣ କରି ଅତି ନୃଶଂସ ଭାବେ ହତ୍ୟା କରିଛି। ମାଓ ନାମରେ ପରିବାର ଲୋକଙ୍କୁ ୧୦ ଲକ୍ଷ ଟଙ୍କା ମଧ୍ୟ ମାଗିଥିବା ଜଣାପଡ଼ିଛି। ପୁଲିସ ମୃତ ନାବାଳକ ‌ମୋହନ କୁମାରଙ୍କ ଗଳିତ ଶବ ଉଦ୍ଧାର କରିବା ସହ ହତ୍ୟା ଅଭିଯୁକ୍ତ କେସିଙ୍ଗାର ସୁମିତ ବିହାରୀକୁ ଗିରଫ କରିଛି। ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଅଞ୍ଚଳର ଏହି ଘଟଣା ଚାଞ୍ଚଲ୍ୟ ଖେଳାଇଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ଗତ ୨୩ ତାରିଖ ଶନିବାର ଟିଟିଲାଗଡ଼ ସହର ସିରଭଟା ପଡ଼ାର ଦିଲୀପ କୁମାରଙ୍କ ପୁଅ ନବମ ଶ୍ରେଣୀ ଛାତ୍ର ମୋହନ କୁମାର ଘରୁ ଟିଉସନ ପଢ଼ିବାକୁ ଯାଇଥିଲେ। ଟିଉସନ ସମୟ ପରେ ବି ସେ ଆଉ ଘରକୁ ନଫେରିବାରୁ ପରିବାର ତଥା ସମ୍ପର୍କୀୟମାନେ ତାଙ୍କୁ ଖୋଜାଖୋଜି କରିଥିଲେ। ସଂପୃକ୍ତ ଟିଉସନ ଶିକ୍ଷକଙ୍କୁ ପଚାରିବାରୁ ମୋହନ ଆସି ନଥିବା କହିଥିଲେ। ଫଳରେ ପୁଅ ଅପହରଣ ହୋଇଥିବା ସନ୍ଦେହ କରି ଦିଲୀପ ଟିଟିଲାଗଡ଼ ଥାନାରେ ଏତଲା ଦେଇଥିଲେ। ମୋହନଙ୍କ ଘର ପାଖରୁ ଟିଉସନ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭିକୁ ପୁଲିସ ଯାଞ୍ଚ କରିବା ପରେ ମୋହନ ଟିଉସନ ପଟକୁ ଆସି ନଥିବା ସ୍ପଷ୍ଟ ହୋଇଥିଲା। ରାତି ସାରା ଖୋଜିବା ପରେ ପରିବାର ଲୋକେ ଘରକୁ ଯାଇ ମୋବାଇଲରେ ଏକ ମେସେଜ ଆସିଥିବା ଦେଖିବାକୁ ପାଇଥିଲେ।

ମେସେଜରେ ତୁମ ପୁଅକୁ ମାଓ ଉଠାଇ ନେଇଛି, ଆଉ ପୁଅକୁ ପାଇବାକୁ ହେଲେ ୧୦ଲକ୍ଷ ଟଙ୍କା ଦେବାକୁ କୁହାଯାଇଥିଲା। କୌଣସି ଚାଲାକି ନକରିବାକୁ କହି ଧମକ ଦିଆଯାଇଥିଲା।  ମେସେଜଟି କଳାହାଣ୍ଡି ଜିଲ୍ଲା କେସିଙ୍ଗାରୁ ଆସିଥିବା ମୋବାଇଲ ନେଟୱାର୍କରୁ ଜଣାପଡ଼ିଥିଲା। ଟିଟିଲାଗଡ଼ ପୁଲିସର ସ୍ୱତନ୍ତ୍ର ଟିମ ସହ ପରିବାର ଲୋକ ବି ଯାଇଥିଲେ କେସିଙ୍ଗାକୁ। ଏମିତିକି ହତ୍ୟା ଅଭିଯୁକ୍ତ ସୁମିତ ମଧ୍ୟ ପୁଲିସ ଏବଂ ପରିବାର ସହ ମିଶି ଖୋଜାଖୋଜି କରିବାର ନାଟକ କରିଥିଲା। କେସିଙ୍ଗାରେ ଖୋଜାଖୋଜି କରିବା ପରେ ବି ମୋହନଙ୍କ ପତ୍ତା ମିଳି ନଥିଲା। ପରିବାର ଲୋକେ ଏବଂ ପୁଲିସ ଟିମ୍‌ ନିରାଶ ହୋଇ ଫେରିଥିଲେ। ଅପହରଣ ହୋଇଥିବା ମୋହନଙ୍କ ମାମୁ କୈଳାସ ଛୁରା ନିଜ ସ୍କୁଟିକୁ କେସିଙ୍ଗାରେ ଛାଡ଼ି ଟ୍ରେନ୍‌ ଯୋଗେ ଟିଟିଲାଗଡ଼ ଆସିବା ପରେ ପୁଣିଥରେ ସୁମିତକୁ ଫୋନ୍‌ରେ ଯୋଗାଯୋଗ କରିଥିଲେ।

ସେତେବେଳେ ସୁମିତ ନିଜ ସ୍ତ୍ରୀର ଚିକିତ୍ସା ପାଇଁ ଭବାନୀପାଟଣା ଆସିଥିବା କହିଥିଲା। କୈଳାସ ନିଜ ସ୍କୁଟି ଆଣିବାକୁ ପୁଣି କେସିଙ୍ଗା ଯାଇଥିବା ବେଳେ ସୁମିତ ନିଜ ସ୍ତ୍ରୀ ସହ ଘରେ ଥିବା ଦେଖିଥିଲେ। ଏହିଠାରୁ ହିଁ ସୁମିତ ଉପରେ ସନ୍ଦେହ ଘନୀଭୂତ ହେବାରେ ଲାଗିଲା। କୈଳାସ ନିଜ ସମ୍ପର୍କୀୟମାନଙ୍କୁ କେସିଙ୍ଗା ଡାକି ସୁମିତ ମିଛ କହିବାର କାରଣ ଖୋଜିବାକୁ ଲାଗିଲେ। ଆଉ ସୁମିତକୁ ସାଙ୍ଗରେ ଆଣି ଟିଟିଲାଗଡ଼ ପୁଲିସକୁ ଜିମା ଦେଇଥିଲେ। ପୁଲିସର ମାରାଥନ ଜେରା ପରେ ସୁମିତ ସବୁ କିଛି ମାନିଥିଲା। ଘଟଣା ଦିନ ହିଁ ମୋହନଙ୍କୁ ଟିଟିଲାଗଡ଼-ସିକେର ରାସ୍ତାରେ ନିର୍ମାଣାଧୀନ ମାତୃ ଶିଶୁ ଯତ୍ନ ଡାକ୍ତରଖାନା ନିକଟସ୍ଥ ଏକ ନିଛାଟିଆ ସ୍ଥାନରେ ହତ୍ୟା କରିବା ସହ ମାଟି ଖୋଳାଯାଇଥିବା ସ୍ଥାନରେ ଫିଙ୍ଗି ଦେଇ ପରିଚୟ ନଷ୍ଟ କରିବାକୁ ମୁଣ୍ଡକୁ ପଥରରେ ଛେଚି ଦେଇଥିବା ପ୍ରକାଶ କରିଥିଲା।  ଘଟଣାସ୍ଥଳରେ ବଲାଙ୍ଗୀର ଏସ୍‌ପି ନିତିନ କୁଶଲକର, ଟିଟିଲାଗଡ଼ ଏସ୍‌ଡିପିଓ ସୁରେନ୍ଦ୍ରନାଥ ଶତପଥୀ, ଥାନା ଅଧିକାରୀ ରଞ୍ଜନ ବରିହା, ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ତଦନ୍ତ କରିଥିଲେ।

ସମ୍ବନ୍ଧିତ ଖବର