ଭୁବନେଶ୍ବର : ସେ କହୁଥିଲେ ବଞ୍ଚିଛି ବୋଲି ଲେଖୁଛି, ଲେଖୁଛି ବୋଲି ବଞ୍ଚିଛି। ଲେଖିବା ବନ୍ଦ ହେଇଗଲା, ସେ ଚାଲିଗଲେ। ଓଡ଼ିଆ ନାଟ୍ୟ ଜଗତ ତା’ର ଭୀଷ୍ମ ପିତାମହଙ୍କୁ ହରାଇଲା। ‘ଜୟଦେବ’ ନାଟକର କାଳଜୟୀ ସ୍ରଷ୍ଟା ଜୟଦେବ ପୁରସ୍କାର ବିଜେତା ଡ. ବିଜୟ ମିଶ୍ର ଆଜି ଜୟଦେବଙ୍କ ପବିତ୍ର ଜୟନ୍ତୀରେ ଦୁନିଆ ରଙ୍ଗମଞ୍ଚରୁ ବାହୁଡ଼ିଗଲେ। ସନ୍ଧ୍ୟା ସାଢ଼େ ୫ଟାରେ ତାଙ୍କର ହୃଦ୍‌ଘାତ ହୋଇଥିଲା। ଚିକିତ୍ସା ପାଇଁ ସଙ୍ଗେସ‌େଙ୍ଗେ ତାଙ୍କୁ ସଂଜୀବନୀ ହସ୍ପିଟାଲ୍‌କୁ ନିଆଯାଇଥିଲା। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ୮୪ବର୍ଷ ବୟସରେ ନାଟ୍ୟକାର, ଚଳଚ୍ଚିତ୍ର କାହାଣୀକାର ଓ ସଂଳାପକାର ଭାବେ ପ୍ରସିଦ୍ଧି ଅର୍ଜନ କରିଥିବା ଅର୍ଧଶତାବ୍ଦୀର ଏହି ନାଟ୍ୟ ପୁରୁଷଙ୍କ ଜୀବନ ନାଟକରେ ପୂର୍ଣ୍ଣା‌ଚ୍ଛେଦ ପଡ଼ିଗଲା। ମୃତ୍ୟୁ ଖବର ପ୍ରଘଟ ହେବା ପରେ ସଂସ୍କୃତି ମହଲରେ ଶୋକର ଛାୟା ଖେଳି ଯାଇଛି। ତେବେ ଲକ୍‌ଡାଉନ୍‌ ଯୋଗୁଁ ତାଙ୍କ ଅନ୍ତରଙ୍ଗ ବ୍ୟକ୍ତିବିଶେ‌ଷ ଶେ‌ଷ ଦର୍ଶନରୁ ବଞ୍ଚିତ ହୋଇଛନ୍ତି।

Advertisment

୧୯୩୬ ମସିହା ଜୁଲାଇ ୧୬ ତାରିଖରେ ବାଲେଶ୍ବର ନୀଳଗିରିସ୍ଥିତ ସନ୍ତରାଗଡ଼ିଆରେ ହରିହର ମିଶ୍ର ଓ ଅନ୍ନପୂର୍ଣ୍ଣା ମିଶ୍ରଙ୍କଠାରୁ ଜନ୍ମ ନେଇଥିବା ବିଜୟ ମିଶ୍ର ପେସା‌ରେ ଥିଲେ ସିଭିଲ୍ ଇଂଜିନିୟର। ମାତ୍ର ନାଟକ ଓ ଚଳଚ୍ଚିତ୍ରରେ ତାଙ୍କର ବାସ୍ତବଧର୍ମୀ ସଂଳାପ ମାୟା ଲଗେଇ ଦେଇଥିଲା। ମାତ୍ର ୨୨ ବର୍ଷ ବୟସରେ ସେ ଲେଖନୀ ଚାଳନା ଆରମ୍ଭ କରିଥିଲେ। ତାଙ୍କ ଘରେ ଏକ ଯାତ୍ରା ଦଳ ରହି ରିହର୍ସାଲ କରୁଥିବାବେଳେ ଲେଖିବାକୁ ମନ ବଳିଥିଲା। କବିତା, ଉପନ୍ୟାସ ଲେଖା ଚାଲିଲା। କିନ୍ତୁ ସେଥିରେ ତାଙ୍କ ମନ ବୁଝିଲା ନାହିଁ। ୧୯୬୦ ମସିହାରେ ଜୁନ୍‌ ମାସ ରଜ ବେଳେ ସାମୁଏଲ୍‌ ସାହୁଙ୍କ ନିର୍ଦ୍ଦେଶନାରେ ଅନ୍ନପୂର୍ଣ୍ଣା ଗ୍ରୁପ୍‌ ବି’ ପକ୍ଷରୁ ମଂଚସ୍ଥ ହେଲା ତାଙ୍କ ପ୍ରଥମ ନାଟକ ‘ଜନନୀ’। ପ୍ରଥମ ନାଟକ ତାଙ୍କୁ ସଫଳତା ଆଣିଦେଲା। ତା’ ପରଠୁ ଆଉ ଅଟକି ନଥିଲା ତାଙ୍କ କଲମ। ୧୯୬୪ରେ ମଞ୍ଚସ୍ଥ ନାଟକ ‘ଅଶାନ୍ତ ଗ୍ରହ’ ତାଙ୍କୁ ଆଣିଦେଲା ବିପୁଳ ସଫଳତା। ନାଚ, ଗୀତ ନଥାଇ ବି ନାଟକ ଏତେ ଲୋକପ୍ରିୟ ହୋଇପାରେ, ଏହାକୁ ସାବ୍ୟସ୍ତ କରିଥିଲେ ବିଜୟ ମିଶ୍ର। ୬୦ଟି ନାଟକ, ୫୫ଟି ଚଳଚ୍ଚିତ୍ର, ୭ଟି ଧାରାବାହିକ ଲେଖି ଜନମାନସରେ ସେ ପାଲଟି ଯାଇଥିଲେ ଏକ ସଶ୍ରଦ୍ଧ ଉଚ୍ଚାରଣ। ପରଦା ପଛରେ ଥିଲେ ହେଁ ପ୍ରସିଦ୍ଧି ଓ ଲୋକପ୍ରିୟତା ତାଙ୍କ ଚରଣ ସ୍ପର୍ଶ କରିଥିଲା।

ଯାଯାବର, ହାକିମ ବାବୁ, ରଜନୀଗନ୍ଧା, ଯାହାକୁ ରଖିବେ ଅନନ୍ତ, ଡୋରା, ମାନିନୀ, ଲକ୍ଷେ ଶିବ ପୂଜି ପାଇଛି ପୁଅ, ପଞ୍ଜୁରି ଭିତରେ ଶାରୀ, ଜନନୀ, ପରଦେଶୀ ଚଢ଼େଇ, କି ହେବ ଶୁଆ ପୋଷିଲେ, ଶାଶୂଘର ଚାଲିଯିବି, ସନ୍ତାନ, ମୋ କୋଳ ତୋ ଝୁଲଣା, ଶ୍ରୀଜଗନ୍ନାଥ, ତଅପୋଇ, କଳାମାଣିକ, ସହର ଜଳୁଛି, ବାହୁଡ଼ିବେ ମୋ ଜଗା ବଳିଆ ଭଳି ଚଳଚ୍ଚିତ୍ରରେ ସେ କାହାଣୀ ଓ ସଂଳାପ ରଚନା କରି ଲୋ‌କଙ୍କୁ କେବେ କନ୍ଦେଇଛନ୍ତି ତ କେବେ ହସେଇଛନ୍ତି। ପୁଣି ତଟ ନିରଂଜନା, ଶବ ବାହକମାନେ, ଯାଦୁକର, ଲାଷ୍ଟ୍ ଟ୍ରେନ୍‌, ଭଙ୍ଗା ଆଇନା, ଏକଦା ଲାବଣ୍ୟ, ଅଚାନକ ଅକସ୍ମାତ, ତାରି ଲାଗି, ଜଣେ ରାଜା ଥିଲେ,ବାନପ୍ରସ୍ଥ, ଦୁଇଟି ସୂର୍ଯ୍ୟଦଗ୍ଧ ଫୁଲକୁ ନେଇ, ତିମିର ତୀର୍ଥ, ପ୍ରତୀକ୍ଷା, ପର୍ଶୁରାମ ଭଳି ନାଟକ ଲେଖି ସେ ନାଟ୍ୟ ଦୁନିଆରେ ଚିର ବନ୍ଦନୀୟ ହୋଇ ରହିଛନ୍ତି। ଏହା ବ୍ୟତୀତ ଅକ୍ଷୟ ମହାନ୍ତି, ହେମନ୍ତ ଦାସଙ୍କ ସହ ମିଶି ସେ ତ୍ରିମୂର୍ତ୍ତି ଭାବେ ‘ଯାଯାବର’ ଚଳଚ୍ଚିତ୍ର ନିର୍ମାଣ ମଧ୍ୟ କରିଥିଲେ। ‘ବିଜୟ ଏକ ଉଚ୍ଛ୍ବାସ’ ନାମକ ନାଟ୍ୟସଂସ୍ଥା ଗଠନ କରିବା ସହ ବିଭିନ୍ନ ନାଟ୍ୟାନୁଷ୍ଠାନ ସହ ଜଡ଼ିତ ଥିଲେ।

୨୦୧୯ ମସିହା ପାଇଁ ସେ ଓଡ଼ିଆ ଚଳଚ୍ଚିତ୍ର ଜଗତର ସର୍ବୋଚ୍ଚ ସମ୍ମାନ ଜୟଦେବ ପୁରସ୍କାର ଲାଭ କରିଥିବା ବେଳେ ନାଟକ ‘ବାନପ୍ରସ୍ଥ’ ପାଇଁ ସେ କେନ୍ଦ୍ର ସାହିତ୍ୟ ଅକାଦେମି ପୁରସ୍କାର ଲାଭ କରିଛନ୍ତି। ଏହାବ୍ୟତୀତ ସେ କେନ୍ଦ୍ର ସଂଗୀତ ନାଟକ ଅକାଦେମି ସମ୍ମାନ, ଓଡ଼ିଶା ସଂଗୀତ ନାଟକ ଏକାଡେମି ସମ୍ମାନ, ଓଡ଼ିଶା ସାହିତ୍ୟ ଏକାଡେମି ସମ୍ମାନ ସମେତ ନାଟକ ଓ ସିନେମା ପାଇଁ ବହୁବାର ଜାତୀୟସ୍ତରରେ ପୁରସ୍କୃତ ହୋଇଛନ୍ତି।

ଆଜି ତାଙ୍କ ପାର୍ଥିବ ଶରୀରକୁ ଭୁବନେଶ୍ବରସ୍ଥିତ ବାସଭବନକୁ ନିଆଯାଇଥିଲା ପତ୍ନୀ କମଳା ମିଶ୍ର, ସାନପୁଅ ଅରିନ୍ଦମ ମିଶ୍ର, ଭାଇ ଡ. ଅଜୟ ମିଶ୍ର, ଭାଇବୋହୂ ଡ. ସବିତା ମିଶ୍ର, ପୁତୁରା ଏଲ୍‌ ମିଶ୍ର ଉପସ୍ଥିତ ଥିଲେ। ବଡ଼ପୁଅ ଅନୁପମ ପହଞ୍ଚିବା ପରେ ଆସନ୍ତାକାଲି ସ୍ବର୍ଗଦ୍ବାରରେ ତାଙ୍କର ଶେଷକୃତ୍ୟ କରାଯିବ ବୋଲି ସାନପୁଅ ଅରିନ୍ଦମ ସୂଚନା ଦେଇଛନ୍ତି।