ମରୁଡ଼ି ପରେ ଚକଡ଼ା ଭୟ:କ୍ଷୟକ୍ଷତି ରିପୋର୍ଟ ଦେବାକୁ ନିର୍ଦେଶ

ବଲାଙ୍ଗୀର: ରାଜ୍ୟର ୧୫ଟି ଜିଲ୍ଲା ମରୁଡ଼ି କବଳରେ। ପଶ୍ଚିମ ଓଡ଼ିଶାର ୮ଟି ଜିଲ୍ଲା ମରୁଡ଼ି କବଳିତ ହୋଇଥିବା ବେଳେ ସବୁଠାରୁ ଆଗରେ ବଲାଙ୍ଗୀର, ତା’ପରେ ବରଗଡ ଓ ନୂଆପଡ଼ା ଜିଲ୍ଲା ରହିଛନ୍ତି। ତେବେ ବରଗଡ ଜିଲ୍ଲାରେ ଧାନରେ ଚକଡ଼ା ରୋଗପୋକ ଯୋଗୁଁ ଫସଲ ହାନୀ ଚାଷୀଙ୍କୁ ଚିନ୍ତିତ କରିଛି। ଜଣେ ପରେ ଜଣେ ଚାଷୀ ଆତ୍ମହତ୍ୟା କରୁଛନ୍ତି। ଚକଡ଼ା ପୋକ ଭୟରେ ଲୋକେ ଧାନ ଫସଲରେ ନିଆଁ ଲଗାଇ ଦେବାକୁ ପଛାଉ ନାହାନ୍ତି। ମରୁଡ଼ି ପରେ ଚକଡ଼ା ଏବେ ଚିନ୍ତାର କାରଣ ହୋଇଛି ଚାଷୀଙ୍କ ପାଇଁ। ବରଗଡ ଜିଲ୍ଲାରେ ଯେଉଁଭଳି ଚକଡ଼ା ରୋଗ ହୋଇଛି ସେହି ତୁଳନାରେ ବଲାଙ୍ଗୀର ଜିଲ୍ଲା ବିଶେଷ ପ୍ରଭାବିତ ହୋଇ ନାହିଁ। ଲୋଇସିଂହା ବ୍ଲକ ଅଞ୍ଚଳରେ ଚକଡ଼ା ଭୟ କିଛିକାଂଶରେ ଥିବା ଜିଲ୍ଲା କୃଷି ଅଧିକାରୀ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡିଛି। କୃଷି ବିଭାଗ କର୍ମଚାରୀଙ୍କୁ ତୟାର ରଖିବା ସହ ଏଭଳି ଅଭିଯୋଗ ଆସିଲେ ତୁରନ୍ତ ପଦକ୍ଷେପ ନେବାକୁ ଦର୍ଶାଇଛନ୍ତି।

ଅନ୍ୟପଟେ ଚକଡ଼ା ରୋଗପୋକ ଯୋଗୁଁ ଫସଲ କ୍ଷତି ଆକଳନ ପାଇଁ ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ବୁଧୁବାର, ୧ ତାରିଖରେ ଚିଠି ସଂଖ୍ୟା ୬୬୯୯ରେ କ୍ଷୟକ୍ଷତି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଭାଗର ଅତିରିକ୍ତ କମିସନର୍‌ ତଥା ସ୍ୱତନ୍ତ୍ର ସଚିବ ମିହିର ଚାନ୍ଦ ମଲ୍ଲିକ ବରଗଡ, ବଲାଙ୍ଗୀର, ଗଂଜାମ, କଳାହାଣ୍ଡି, କୋରାପୁଟ, ନୂଆପଡ଼ା, ସମ୍ବଲପୁର ଓ ସୋନପୁର ଜିଲ୍ଲାର ଜିଲ୍ଲାପାଳଙ୍କୁ ୨ ଦିନ ମଧ୍ୟରେ କ୍ଷୟକ୍ଷତି ନେଇ ରିପୋର୍ଟ ଦେବାକୁ କହିଛନ୍ତି। କୃଷି ବିଭାଗ ଓ ଜିଲ୍ଲା ପ୍ରଶାସନ ମିଳିତ ଭାବେ ଯାଞ୍ଚ କରି ଏହି ତଥ୍ୟ ଦେବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର