ଧର୍ମପଦ ଭୂମିକାରେ ଦ୍ରୌପଦୀ! ବିସ୍ତାରିତ ହେବ ଆଦିବାସୀଙ୍କ ପରିଚୟ

ବାଲେଶ୍ବର (ରୁଦ୍ର ରଂଜନ ଶେଜପଡ଼ା) : ଇତିହାସ କହେ, ପ୍ରାୟ ସାଢ଼େ ୮ ଶହ ବର୍ଷ ତଳେ ଧର୍ମପଦ କୋଣାର୍କ ମନ୍ଦିରର ମୁଣ୍ଡି ମାରି ୧୨ ଶହ ବଢ଼େଇଙ୍କ ଜୀବନ ରକ୍ଷା କରିଥିଲେ। ସେହିପରି ଜଣେ ଆଦିବାସୀ ନେତ୍ରୀ ସାନ୍ତାଳୀ ଭାଷାକୁ ସମ୍ବିଧାନ ସ୍ବୀକୃତ କରାଇବାରେ ନିଜର ଯୋଗଦାନ ଦେଇଛନ୍ତି। ଭାରତରେ ବସବାସ କରୁଥିବା ପ୍ରାୟ ୭୪ ଲକ୍ଷ ସାନ୍ତାଳଙ୍କ ସ୍ବତନ୍ତ୍ର ପରିଚୟ ତୋଳିବାରେ ସହାୟକ ହୋଇଛନ୍ତି। ଏପରି ସମୟରେ ଲୋକେ ତାଙ୍କୁ ଇତିହାସର ଧର୍ମପଦ ଭୂମିକାରେ ଦେଖନ୍ତି। ‌ସେ ହେଉଛନ୍ତି; ଦ୍ରୌପଦୀ ମୁର୍ମୁ। ଯାହାଙ୍କୁ ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀ କରିଥିଲା। ଗତ ୧୮ ତାରିଖ ଦିନ ମତଦାନ ସରିଥିବା ବେଳେ ୨୧ ତାରିଖ ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ଆଗାମୀ ରାଷ୍ଟ୍ରପତି ଭାବେ ସେ ଆସନ୍ତାକାଲି ଦେଶର ସର୍ବୋଚ୍ଚ ପଦ ଅଳଙ୍କୃତ କରିବେ।

ସାନ୍ତାଳୀ ଲେଖକ ତଥା ସମାଜ ସଂସ୍କାରକ ପଣ୍ଡିତ ରଘୁନାଥ ମୁର୍ମୁ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ନିକଟ ଦାଣ୍ଡବୋଷଠାରେ ୧୯୦୫ ମସିହାରେ ଜନ୍ମ ହୋଇଥିଲେ। ସେ ଚାହୁଁଥିଲେ କଥିତ ଭାଷାରେ ସାନ୍ତାଳୀମାନେ ଲେଖନ୍ତୁ ଆଉ ପଢ଼ନ୍ତୁ। ସେଥିପାଇଁ ମାଟ୍ରିକ୍‌ ପରୀକ୍ଷା ଦେବା ଆଗରୁ ୧୯୨୫ ମସିହାରେ ସାନ୍ତା‌ଳୀ ଭାଷା ପାଇଁ ପ୍ରସ୍ତୁତ କରିଥିଲେ ଅଲ୍‌ଚିକି ଲିପି। ପଣ୍ଡିତ ମୁର୍ମୁ ୧୯୩୩ ମସିହାରେ ବଡ଼ାମତଳିଆ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା ଆରମ୍ଭ କରିଥିଲେ। ସେ ପିଲାଙ୍କୁ ଶିକ୍ଷାଦାନ ବେଳେ ଅନେକାଂଶରେ ଅଲ୍‌ଚିକି ଲିପି ବ୍ୟବହାର କରୁଥିଲେ। ତାଙ୍କ ଉଦ୍ୟମରେ ୧୯୩୬ ମସିହାରେ ପ୍ରଥମ କରି ଅଲ୍‌ଚିକି ଲିପିରେ ‘ହର୍‌ ସେରେଙ୍ଗ’ ନାମକ ଏକ ପୁସ୍ତକ ପ୍ରକାଶ ପାଇଥିଲା। ଏହା ସହିତ ୧୯୪୨ ମସିହାରେ ପଣ୍ଡିତ ମୁର୍ମୁଙ୍କ ଅଲ୍‌ଚିକି ଲିପିରେ ରଚିତ ନାଟକ ପୁସ୍ତକ ‘ବିଦୁ ଚାନ୍ଦାନ’ ଆତ୍ମପ୍ରକାଶ କଲା। ଏହା ପରେ ମଧ୍ୟ ସେ ଅନେକ ଲୋକପ୍ରିୟ ପୁସ୍ତକ ରଚନା କରିଛନ୍ତି। ୧୯୪୨ ମସିହା ‌ସ୍ବଦେଶୀ ଆନ୍ଦୋଳନ ସମୟରେ ଏବଂ ୧୯୪୭ ମସିହା‌ ସ୍ବାଧୀନତା ପରେ ପଣ୍ତିତ ମୁର୍ମୁ ତାଙ୍କ ବନ୍ଧୁ ସାଧୁ ମୁର୍ମୁଙ୍କ ସହ ମିଶି ଅଲ୍‌ଚିକି ଲିପିର ପ୍ରଚାରପ୍ରସାର ପାଇଁ ଲାଗିପଡ଼ିଥିଲେ। ସମୟ ଆସିଲା; ଅଲ୍‌ଚିକି ଲିପି ଆଦୃତି ଲାଭ କଲା। ପଣ୍ଡିତ ମୁର୍ମୁ ପୁରସ୍କାର ଓ ସମ୍ମାନରେ ପୋତି ହୋଇଗଲେ। କିନ୍ତୁ ସାନ୍ତାଳୀ ଭାଷାକୁ ସାମ୍ବିଧାନିକ ସ୍ବୀକୃତି ମିଳିବା ନେଇ ବାଟ ଫିଟିପାରିଲା ନାହିଁ। ଭାଷା ଓ ଲିପି ପାଇଁ ଲଢ଼ି ଲଢ଼ି ଶେଷରେ ୧୯୮୨ ମସିହା ଫେବ୍ରୁଆରି ୧ ତାରିଖ ଦିନ ପଣ୍ଡିତ ମୁର୍ମୁ ଆଖି ବୁଜିଦେଲେ। ସାନ୍ତାଳୀ ଭାଷାର କୋଣାର୍କରେ ମୁଣ୍ଡି ମାରିବା ସ୍ବପ୍ନ ତାଙ୍କର ଅଧୁରା ହୋଇ ରହିଗଲା।

ନିଜ ଅଞ୍ଚଳର ପ୍ରଜ୍ଞା ପୁରୁଷ ପଣ୍ଡିତ ରଘୁନାଥ ମୁର୍ମୁଙ୍କୁ ଈଶ୍ବର ମାନୁଥିବା ରାଇରଙ୍ଗପୁରର ଝିଅ ଦ୍ରୌପଦୀ ମୁର୍ମୁ ୧୯୯୭ ମସିହାରେ ପ୍ରତ୍ୟକ୍ଷ ରାଜନୀତିକୁ ଆସିଥିଲେ। ପୌର ନିର୍ବାଚନ ଜିତି ରାଇରଙ୍ଗପୁର ଏନ୍‌ଏସିର ଉପାଧ୍ୟକ୍ଷ ହେଲେ। ୨୦୦୦ ମସିହାରେ ସେ ବିଜେପି ଟିକେଟ୍‌ରେ ରାଇରଙ୍ଗପୁର ବିଧାୟକ ବନିଲେ। କେବଳ ସେତିକି ନୁହେଁ, ବିଜେଡି-ବିଜେପି ମେଣ୍ଟ ସରକାରରେ ମନ୍ତ୍ରୀପଦ ମଧ୍ୟ ସମ୍ଭାଳିଲେ। ସମୟ ଆସିଲା ୨୦୧୫ ମସିହା ମେ ୧୮ ତାରିଖରେ ଦ୍ରୌପଦୀ ଝାଡ଼ଖଣ୍ଡର ରାଜ୍ୟପାଳ ପଦ ମଣ୍ଡନ କଲେ।

ପଣ୍ଡିତ ମୁର୍ମୁଙ୍କ ପ୍ରତି ଥିବା ଶ୍ରଦ୍ଧା ଦ୍ରୌପଦୀଙ୍କ ମନରେ ସାନ୍ତାଳମାନଙ୍କ ପାଇଁ କିଛି କରିବାର ଇଚ୍ଛାକୁ ଜନ୍ମ ଦେଇଥିଲା। ୨୦୦୨ରୁ ୨୦୦୪ ମସିହା ଯାଏ ଦ୍ରୌପଦୀ ରାଜ୍ୟରେ ମନ୍ତ୍ରୀ ଥିବା ବେଳେ ‌ମହାମେଘବାହାନ ଐର ଖାରବେଳ ସ୍ବାଇଁ ବାଲେଶ୍ବର ଲୋକସଭା ସାଂସଦ ଥିଲେ। ୨୦୦୩ ମସିହା ଏପ୍ରିଲ୍‌ ୧୪ ତାରିଖରେ ଶ୍ରୀ ସ୍ବାଇଁ ସାନ୍ତାଳୀ ଭାଷାକୁ ସାମ୍ବିଧାନିକ ସ୍ବୀକୃତି ଦେବା ନେଇ ସଂସଦରେ ଦାବି ଉପସ୍ଥାପନ କରିଥିଲେ। ଏହା ଜାଣିବା ପରେ ଦ୍ରୌପଦୀଙ୍କ ମନରେ ଶତସିଂହର ବଳ ଆସିଥିଲା। ଆଦିବାସୀଙ୍କ ପାଇଁ ସଂସଦରେ ସ୍ବର ଉଠାଉଥିବା ଶ୍ରୀ ସ୍ବାଇଁଙ୍କୁ ଟେଲିଫୋନ୍‌ କରି ଦ୍ରୌପଦୀ କହିଲେ, ମୁଁ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଥରୁଟିଏ ଭେଟିବା ପାଇଁ ଚାହୁଁଛି। ଶ୍ରୀ ସ୍ବାଇଁ ତାଙ୍କୁ ଦିଲ୍ଲୀ ଡାକିଲେ ଏବଂ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସହ ସାକ୍ଷାତ କରାଇଦେଲେ। ସାକ୍ଷାତ ବେଳେ ଦ୍ରୌପଦୀ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଶେଷ ଇଚ୍ଛା ପୂରଣ ସହ ସାନ୍ତାଳୀମାନଙ୍କ ସ୍ବାଭିମାନ ରକ୍ଷା କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ପ୍ରଧାନମନ୍ତ୍ରୀ ସ୍ମିତହାସ୍ୟରେ ସମ୍ମତି ଜଣାଇଥିଲେ। ଏହି ସାକ୍ଷାତକାରର ମାସ କେଇଟା ପରେ ୨୦୦୪ ମସିହାରେ ସାନ୍ତାଳୀ ଭାଷା ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ ସାମିଲ ହୋଇଗଲା। ପଣ୍ଡିତ ରଘୁନାଥ ମୁର୍ମୁ ସାନ୍ତାଳୀ ଭାଷାକୁ ନେଇ ଯେଉଁ କୋଣାର୍କ ଗଢ଼ୁ୍‌ଥିଲେ, ତା’ର ମୁଣ୍ଡି ମରା ହେଲା! ଏପରି ସମୟରେ ଲୋକେ ଦ୍ରୌପଦୀ ମୁର୍ମୁଙ୍କୁ ଧର୍ମପଦ ଭୂମିକାରେ ଦେଖିବାକୁ ଲାଗିଲେ।

ଏ ସଂପର୍କରେ ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ ସ୍ବାଇଁଙ୍କ ପ୍ରତିକ୍ରିୟା ନିଆଯାଇଥିଲା। ସାନ୍ତାଳୀ ଭାଷାକୁ ସାମ୍ବିଧାନିକ ମାନ୍ୟତା ମିଳିବା ଦିଗରେ ‌ଦ୍ରୌପଦୀଙ୍କ ଛୋଟ ହେଲେ ବି ଗୁରୁତ୍ବପୂର୍ଣ୍ଣ ଭୂମିକାକୁ ସେ ମୁକ୍ତକଣ୍ଠରେ ସ୍ବୀକାର କରିବା ସହ ନିଜ ସଂପ୍ରଦାୟ ଓ ଭାଷାର ବିକାଶ ପାଇଁ ତାଙ୍କର ଉଦ୍ୟମ ଅସାଧାରଣ ଓ ପ୍ରଶଂସନୀୟ ବୋଲି କହିଥିଲେ। ‌ଦ୍ରୌପଦୀ ରାଷ୍ଟ୍ରପତି ଭାବେ ଆଜି ଶପଥ ନେଉଥିବା ବେଳେ ଭବିଷ୍ୟତରେ ତାଙ୍କ ଦ୍ବାରା ଆଦିବାସୀମାନଙ୍କ ପରିଚୟ ବିସ୍ତାରିତ ହେବ ବୋଲି ମଧ୍ୟ ସେ ଆଶା ପୋଷଣ କରିଛନ୍ତି।

ପ୍ରସ୍ତୁତି: ରୁଦ୍ରରଞ୍ଜନ ଶେଜପଡ଼ା

ସମ୍ବନ୍ଧିତ ଖବର