ଉପରବେଡ଼ାରୁ ଦେଶର ସର୍ବୋଚ୍ଚ ପଦବି; ଦ୍ରୌପଦୀ ମୁର୍ମୁ ୧୫ତମ ରାଷ୍ଟ୍ରପତି ହେବେ !

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ କୁସୁମୀ ବ୍ଲକ୍ ଉପରବେଡ଼ା ଗ୍ରାମର ବିରଞ୍ଚି ନାରାୟଣ ମୁର୍ମୁ ଓ ମା’ ସିନଗୋ ମୁର୍ମୁଙ୍କ ଔରଷରୁ ୨୦ ଜୁନ ୧୯୫୮ ମସିହାରେ ଜନ୍ମଗ୍ରହଣ କରିଥିଲେ ଦ୍ରୌପଦୀ ମୁର୍ମୁ । ଦ୍ରୌପଦୀ ମୁର୍ମୁ ପ୍ରଥମେ ଗାଁ ସ୍କୁଲରେ ପଢୁଥିଲେ ଏବଂ ପରବର୍ତ୍ତୀ  ସମୟରେ ସେ ଭୂବନେଶ୍ୱରରେ ରହି ୧୯୭୪ ମସିହାରେ ମାଟ୍ରିକ୍ ପାସ କରିଥିଲେ । ଏହାପରେ ସେ ରମାଦେବୀ ମହିଳା ମହାବିଦ୍ୟାଳୟରେ ପାଠପଢି ଯୁକ୍ତ ଦୁଇ ସହିତ ସ୍ନାତକ ଡିଗ୍ରି ହାସଲ କରିଥିଲେ । ଏହା ପରେ ୧୯୭୯ ରୁ ୧୯୮୩ ମସିହା ପ୍ରର୍ଯ୍ୟନ୍ତ ସେକ୍ରେଟେରିଏଟରେ ଜଳସେଚନ ଓ ଶକ୍ତି ବିଭାଗର କିରାଣୀ ଭାବେ କାର୍ଯ୍ୟ କରିଥିଲେ ।

ତେବେ ସ୍ୱାମୀ ବ୍ୟାଙ୍କରେ ଚାକିରି କରୁଥିବାରୁ ସେ ରାଇରଙ୍ଗପୁରକୁ ଫେରିଆସିଥିଲେ ଏବଂ ରାଇରଙ୍ଗପୁରସ୍ଥିତ ଶ୍ରୀଅରବିନ୍ଦ ପୂର୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ଶିକ୍ଷୟିତ୍ରୀ ଭାବେ ୧୯୯୪ ରୁ ୧୯୯୭ ପ୍ରର୍ଯ୍ୟନ୍ତ ଶିକ୍ଷାଦାନ କରିଥିଲେ । ପରେ ଶିକ୍ଷକତା ଛାଡି ବିଜେପି ଆଦର୍ଶରେ ଅନୁପ୍ରାଣିତ ହୋଇ ରାଜନୀତିରେ ପାଦ ଦେଇଥିଲେ । ୧୯୯୭ ମସିହାରେ ରାଇରଙ୍ଗପୁର ଏନଏସିରୁ ୨ ନଂ ୱାର୍ଡରୁ ନିର୍ବାଚନ ଲଢି ବିଜୟୀ ହୋଇ କାଉନସିଲର ହୋଇ ଉପାଧକ୍ଷା ହୋଇଥିଲେ । ପୁଣି ୨୦୦୦ ମସିହାରେ ବିଜେପି ପକ୍ଷରୁ ବିଧାନସଭା ଆସନରୁ ନିର୍ବାଚନ ଲଢି ବିଜୟୀ ହେବା ସହିତ ବିଜେପି-ବିଜେଡି ମେଣ୍ଟ ସରକାର ମନ୍ତ୍ରିମଣ୍ଡଳରେ ରାଷ୍ଟ୍ରମନ୍ତ୍ରୀ ହେଲେ ଓ ବାଣିଜ୍ୟ, ପରିବହନ, ମତ୍ସ୍ୟ ଏବଂ ପଶୁ ସମ୍ପଦ ବିଭାଗର ଦାୟିତ୍ୱରେ ରହିଥିଲେ ।

ସେହିପରି ୨୦୦୪ ନିର୍ବାଚନରେ ମଧ୍ୟ ବହୁ ଭୋଟରେ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀରୁ ବିଜୟୀ ହୋଇଥିଲେ । ସେ ବିଭିନ୍ନ ଦାୟିତ୍ୱ ସୁଚାରୁ ରୂପେ ତୁଲାଇ ଥିବାରୁ ୨୦୧୫ ମସିହାରେ ଝାଡଖଣ୍ଡର ରାଜ୍ୟପାଳ ହୋଇଥିଲେ ଏବଂ ୧୨ ଜୁଲାଇ ୨୦୨୧ ମସିହା ପର୍ଯ୍ୟନ୍ତ ରାଜ୍ୟପାଳ ଥିଲେ । ତେବେ ଏକବର୍ଷ ପରେ ସେ ରାଷ୍ଟ୍ରପତି ଦୌଡରେ ଥିବା ଜାଣି ପାରିଥିଲେ ଏବଂ ୨୧ ଜୁନ ରାତିରେ ଟିଭି ନ୍ୟୁଜ୍‌ରୁ ସେ ଜାଣିବାକୁ ପାଇଲେ ଯେ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ତାଙ୍କ ଚୟନ କରାଯାଇଛି । ତାହା ଜାଣି ସେ ଖୁସିରେ କାନ୍ଦି ପକାଇଥିଲେ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଥିଲେ।


ଉକ୍ତ ଖୁସି ଖବର ପ୍ରଚାରିତ ହେବା ପରେ ରାଇରଙ୍ଗପୁର ମହୁଲଡିହାସ୍ଥିତ ତାଙ୍କ ବାସ ଭବନରେ ଗତରାତ୍ରୀ ଠାରୁ ଆଜି ଅପରାହ୍ନ ୨.୩୦ ପର୍ଯ୍ୟନ୍ତ ବିଭିନ୍ନ ଦଳର ବିଧାୟକ, ନେତା, ଆଇନଜୀବୀ, ସମାଜସେବୀ, ଅଞ୍ଚଳବାସୀ ତଥା ଶୁଭେଚ୍ଛୁମାନେ ଶୁଭେଚ୍ଛା ଜଣାଇବା ଭିଡ ଜମାଇଥିଲେ ।

ତେବେ ଆଜି ସକାଳୁ ପ୍ରଥମେ ରାଇରଙ୍ଗପୁରର ଶିବ ମନ୍ଦିର, ଜଗନ୍ନାଥ ମନ୍ଦିର, ହନୁମାନ ମନ୍ଦିର ସମେତ ଆଦିବାସୀଙ୍କ ଜାହିରା ପୀଠକୁ ଯାଇ ଝାଡୁ ମାରି ସଫାସୁତୁରା କରିବା ସହିତ ପୂଜାର୍ଚ୍ଚନା କରି ଆଶୀର୍ବାଦ ନେଇଥିଲେ ଏବଂ ଅପରାହ୍ନରେ ନିଜ ବାସଭାବନରୁ ବାହାରି ସୁନାରାମ ସୋରେଙ୍କ ପ୍ରର୍ତିମୂର୍ତି, ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତି, ମଧୁସୁଦନ ଦାସଙ୍କ ପ୍ରତିମୂର୍ତ୍ତି, ସହିଦ୍ ନୁଦୁରାମ ସୋରେନଙ୍କ ପ୍ରତିମୂର୍ତ୍ତି, ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଓ ଡଃ ଶ୍ୟାମାପ୍ରସାଦ ମୁର୍ଖାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ଯଶିପୁର ରାସ୍ତାଦେଇ ଭୂବନେଶ୍ୱର ଗସ୍ତରେ ବାହାରିଲେ । ଭୂବନେଶ୍ୱରରେ ପହଞ୍ଚିବା ପରେ ତାଙ୍କୁ ଦଳୀୟ କାର୍ଯ୍ୟଳୟରେ ସମ୍ବର୍ଦ୍ଧନା ଦିଆଯିବା ପରେ ଗୁରୁବାର ଭୁବନେଶ୍ୱର ବିମାନବନ୍ଦରରୁ ବିମାନ ଯୋଗେ ଦିଲ୍ଲୀ ଗସ୍ତ କରିବେ ବୋଲି ସୂଚନା ମିଳିଛି ।

ସେ ଗରିବ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ତାଙ୍କ ସ୍ୱାମୀ ଓ ଦୁଇ ପୁଅଙ୍କ ସ୍ମୃତିରେ କୁସୁମୀ ବ୍ଲକର ପାହାଡପୁରଠାରେ ସ୍ୱଳ୍ପ ମୂଲ୍ୟରେ ଶିକ୍ଷାଦାନ ପାଇଁ ଏକ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଓ ଉପରବେଡାଠାରେ ପ୍ରଜାପିତା ବ୍ରହ୍ମ କୁମାରୀ ଆଶ୍ରମ ନିର୍ମାଣ ଲାଗି ଦାନ କରିଛନ୍ତି । ତେବେ ପ୍ରଥମେ ତାଙ୍କ ବଡ ଝିଅଙ୍କ ମୃତ୍ୟୁ ଘଟିବା ପରେ ତାଙ୍କ ସ୍ୱାମୀ ଶ୍ୟାମଚରଣ ମୁର୍ମୁଙ୍କ ମଧ୍ୟ ମୃତ୍ୟୁ ଘଟିଥିଲା। ତାହାର କିଛିବର୍ଷ ପରେ ବଡପୁଅ ପ୍ରାଣ ହରାଇଲେ। ପରେ ସାନପୁଅଙ୍କ ମଧ୍ୟ ଦୂର୍ଘଟଣାରେ ମୃତ୍ୟୁ ଘଟିଥିଲା।  ତାଙ୍କ ସାନଝିଅ ଇତିଶ୍ରୀ ମୁର୍ମୁ ଏକ ବ୍ୟାଙ୍କରେ ଚାକିରି କରୁଛନ୍ତି ।

ସମ୍ବନ୍ଧିତ ଖବର