ଭୁବନେଶ୍ବର: ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଶୁକ୍ରବାର ଦିନିକିଆ ଓଡ଼ିଶା ଗସ୍ତରେ ଆସି ବିଧାନସଭାରେ ବିଜେଡି ବିଧାୟକ ଓ ସାଂସଦମାନଙ୍କୁ ଭେଟିଛନ୍ତି। ବିଧାନସଭାର ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ରୌପଦୀ ମୁର୍ମୁଙ୍କୁ ସ୍ବାଗତ କରିଥିଲେ। ଏଥିରେ ଦ୍ରୌପଦୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବିଜେଡିର ସାଂସଦ ଓ ବିଧାୟକମାନଙ୍କୁ ସମର୍ଥନ ଲୋଡ଼ିଛନ୍ତି। ନବୀନଙ୍କୁ ଭାଇ ସମ୍ବୋଧନ କରି ଦ୍ରୌପଦୀ ଭାବପ୍ରବଣ ହୋଇ କହିଛନ୍ତି, ମୁଁ ନବୀନଙ୍କୁ ରାଖି ବାନ୍ଧିଥିଲି। ରାଖିର ପାଉଣା ମାଗିବା ପୂର୍ବରୁ ସେ ମୋତେ ସମର୍ଥନ ଦେଇଛନ୍ତି। ବିଦେଶରେ ଥାଇ ବି ମୋତେ ଫୋନ୍ କରିଥିଲେ।
ଏଥିରେ ମୁଖ୍ୟମନ୍ତ୍ରୀ ଦ୍ରୌପଦୀ ମୁର୍ମୁଙ୍କୁ ଉତ୍ତରୀୟ ଦେଇ ସମ୍ମାନିତ କରିଥିଲେ। ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ସମସ୍ତଙ୍କୁ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ଦେବା ଲାଗି ନିବେଦନ କରିବା ସହ ଦଳ ବାହାରେ ଅନ୍ୟମାନଙ୍କ ସମର୍ଥନ ଲାଗି ବି ଚେଷ୍ଟା କରାଯିବ ବୋଲି କହିଛନ୍ତି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ମଧ୍ୟ ଉପସ୍ଥିତ ଥିବା ଜଣାଯାଇଛି।
/sambad/media/post_attachments/wp-content/uploads/2022/07/712bacde-bc0c-4b60-8ee9-e4c237506720.jpg)
ସୂଚନାଯୋଗ୍ୟ, ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ପାରମ୍ପରିକ ନୃତ୍ୟ ଓ ସଂଗୀତ ମାଧ୍ୟମରେ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି। ସେ ନୂଆଦିଲ୍ଲୀରୁ ବାହାରି ଭୁବନେଶ୍ବରରେ ପହଞ୍ଚିବା ପରେ ତାଙ୍କୁ ସାଂସଦ ଅପରାଜିତା ଷଡ଼ଙ୍ଗୀ, ସୁରେଶ ପୂଜାରୀ, ସଙ୍ଗୀତା ସିଂହଦେଓ, ସସ୍ମିତ ପାତ୍ର, ପ୍ରଶାନ୍ତ ନନ୍ଦ, ଅନୁଭବ ମହାନ୍ତି, ଅମର ପଟ୍ଟନାୟକ, ମନ୍ତ୍ରୀ ଉଷା ଦେବୀ, ସମୀରରଂଜନ ଦାଶ, ଅଶୋକ ପଣ୍ଡା, ଟୁକୁନି ସାହୁ, ବିଧାୟକ ବିଷ୍ଣୁ ଚରଣ ସେଠୀ, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, କୁସୁମ ଟେଟେ ଓ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସମେତ ବହୁ ନେତା ଦ୍ରୌପଦୀ ମୁର୍ମୁଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦେଇଛନ୍ତି। ଏହି ସମୟରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଗିନି ବଜାଇବା ଦୃଶ୍ୟ ବି ଦେଖିବାକୁ ମିଳିଛି। ବିମାନବନ୍ଦରରେ ଦଳୀୟ କର୍ମୀ ଓ ସାଧାରଣ ଜନତାଙ୍କ ଭିଡ଼ ପରିଲକ୍ଷିତ ହୋଇଛି। ରାଜ୍ୟ ଅତିଥି ଭବନକୁ ଯାଇଥିଲେ। ସେଠାରେ କିଛି ସମୟ ବିଶ୍ରାମ କରିବା ପରେ ବିଧାନସଭାକୁ ଆସିଥିଲେ। ଏହାପରେ ଦ୍ରୌପଦୀ ମୁର୍ମୁ ରାଜ୍ୟ ଅତିଥି ଭବନରେ ବିଜେପିର ସାଂସଦ ଓ ବିଧାୟକମାନଙ୍କୁ ଭେଟି ସମର୍ଥନ ଲୋଡ଼ିବେ। ତାପରେ ସେ ନବୀନ ନିବାସକୁ ଯାଇ ମଧ୍ୟାହ୍ନ ଭୋଜନ କରିବାର କାର୍ଯ୍ୟକ୍ରମ ରହିଛି। ମଧ୍ୟାହ୍ନ ଭୋଜନ କରିବା ପରେ ଅପରାହ୍ନ ୧ଟା ୩୦ ସୁଦ୍ଧା ଭୁବନେଶ୍ବର ଛାଡ଼ିବାର କାର୍ଯ୍ୟକ୍ରମ ଥିବା ଜଣାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/4916671d-8c3c-42d2-9bdf-71886b9571bd.jpg)