ଦିନକ ପରେ ରାଷ୍ଟ୍ରପତି ଭାବେ ଶପଥ ନେବେ ଦ୍ରୌପଦୀ, ଶାଢ଼ି-ଆରିସା ପିଠା ନେଇ ଦିଲ୍ଲୀ ଗଲେ ଭାଇ-ଭାଉଜ

ରାଇରଙ୍ଗପୁର: ଦେଶର ୧୫ତମ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ। ରାଇରଂଗପୁରର ଦ୍ରୌପଦୀ ରାଇସିନା ହିଲରେ ରହିବେ। ଦ୍ରୌପଦୀଙ୍କ ଶପଥ ଗ୍ରହଣ ସମାରୋହ ପାଇଁ ପାର୍ଲାମେଣ୍ଟର ସେଣ୍ଟ୍ରାଲ ହଲରେ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଶପଥ ପାଠ ଉତ୍ସବରେ ସାମିଲ ହେବାକୁ ଥିବା ଅତିଥିଙ୍କ ତାଲିକା କରାଯାଉଛି । ଦ୍ରୌପଦୀ ମୁର୍ମୁଙ୍କ ପରିବାର ବର୍ଗଙ୍କୁ ମଧ୍ୟ ଦିଲ୍ଲୀରୁ ଡାକରା ଆସିଛି ।

ଶ୍ରୀମତୀ ମୁର୍ମୁଙ୍କ ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବେ ତାଙ୍କ ସାନ ଭାଇ ଓ ଭାଉଜ । ଏଥିପାଇଁ ଭାଇ ତରଣୀସେନ୍ ଟୁଡୁ ଓ ଭାଉଜ ସାକ୍ରମଣି ଟୁଡୁ ଦିଲ୍ଲୀ ଯାଇଛନ୍ତି । ସାଥିରେ ଦ୍ରୌପଦୀଙ୍କ ପାଇଁ ନେଇଯାଇଛନ୍ତି ଆରିସା ପିଠା ଓ ଗୁଡ଼ପିଠା । ଦ୍ରୌପଦୀଙ୍କ ଭାଉଜ ନିଜେ ଏହି ପିଠା ପ୍ରସ୍ତୁତ କରିଛନ୍ତି । ଆରିସା ଓ ଗୁଡପିଠା ଦ୍ରୌପଦୀଙ୍କ ବେଶ୍ ପସନ୍ଦ । ରାଷ୍ଟ୍ରପତି ଆସନରେ ଦ୍ରୌପଦୀଙ୍କୁ ଦେଖିବା ତାଙ୍କ ପାଇଁ ସ୍ୱପ୍ନ ବୋଲି କହିଛନ୍ତି ଭାଉଜ ।

ଭାଇ-ଭାଉଜଙ୍କ ବ୍ୟତୀତ ତାଙ୍କର ଘନିଷ୍ଠ ବନ୍ଧୁ ବିକାଶ ମହାନ୍ତ, ସୁନ୍ଦର ମୋହନ ମହାନ୍ତ, ମନୋଜ ଦାସ, ଶିବ କୁମାର ଅଗ୍ରୱାଲ, ଈଶାନ ମିଶ୍ର, ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁ, ସୌରଭ ପଟ୍ଟନାୟକ ପ୍ରମୁଖ ସକାଳ ୭ ଘଟିକାରେ ପ୍ରଥମେ ରାଇରଙ୍ଗପୁରରୁ କାର ଯୋଗେ ବାହାରି ରାଞ୍ଚି ବିମାନବନ୍ଦରରୁ ଦିଲ୍ଲୀ ବାହାରିଛନ୍ତି ।

ପାରମ୍ପରିକ ଆଦିବାସୀ ଝେଲ ଶାଢି ନେଇ ଦିଲ୍ଲୀ ଯାଇଛନ୍ତି ଦ୍ରୌପଦୀଙ୍କ ଭାଇ ଓ ଭାଉଜ । ଝେଲ ଶାଢି ଆଦିବାସୀଙ୍କ ମହିଳାଙ୍କ ବେଶ ପସନ୍ଦ । ବାହାଘର ଓ ପୂଜାବିଧି ସମୟରେ ଆଦିବାସୀ ମହିଳାମାନେ ଏହି ଶାଢି ପିନ୍ଧିଥିବା ଦେଖାଯାଇଥାଏ । ତୁଳାରୁ ସ୍ୱତନ୍ତ୍ର ଭାବେ ସୂତା ପ୍ରସ୍ତୁତ କରାଯାଇ ବୁଣାକାରମାନେ ହାତରେ ତିଆରି କରିଥାନ୍ତି ଏହି ଝେଲ ଶାଢି । ବଜାରରେ ଏହି ଝେଲ ଶାଢି ୫ ଶହ ଟଙ୍କାରୁ ଆରମ୍ଭ କରି ୫ ହଜାର ଟଙ୍କା ଯାଏଁ ମିଳୁଛି । ଆଶା କରାଯାଉଛି, ଏହି ଝେଲ ଶାଢି ପିନ୍ଧି ସୋମବାର ଦ୍ରୌପଦୀ ମୁର୍ମୁ ଶପଥ ନେଇପାରନ୍ତି । ଏବେ ସେହି ବିଶେଷ ମୂୂହୂର୍ତକୁ ଅପେକ୍ଷା । ଦ୍ରୌପଦୀ ମୁର୍ମୁ ସୋମବାର ଶପଥ ନେଇ ନୂଆ ଇତିହାସ ରଚିବେ । ଆଉ ଦେଶର ହେବେ ପ୍ରଥମ ମହିଳା ଆଦିବାସୀ ରାଷ୍ଟ୍ରପତି ।

 

ସମ୍ବନ୍ଧିତ ଖବର