ଭୁବନେଶ୍ବର: ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଚାରିଆଡୁ ବିଶିଷ୍ଟ ବ୍ୟକ୍ତିମାନେ ଶୁଭେଚ୍ଛା ଜଣାଉଛନ୍ତି। ଏହି କ୍ରମରେ ଓଡ଼ିଶାର ରାଜ୍ୟପାଳଙ୍କ ସମେତ ବିଶିଷ୍ଟ ବ୍ୟକ୍ତିମାନେ ଦ୍ରୌପଦୀ ମୁର୍ମୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ଆସିବା ପରେ ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଦ୍ରୌପଦୀ ମୁର୍ମୁ ପ୍ରଥମ ଆଦିବାସୀ ଭାବେ ଦେଶର ରାଷ୍ଟ୍ରପତି ହେବା ଆମ ପାଇଁ ଗୌରବର ବିଷୟ ବୋଲି ରାଜ୍ୟପାଳ ଟୁଇଟ୍ କରିଛନ୍ତି।
ଓଡ଼ିଶାର ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି। ଟୁଇଟ୍ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପ୍ରକୃତରେ ଓଡିଶାବାସୀଙ୍କ ପାଇଁ ଅତ୍ୟନ୍ତ ଗର୍ବର ବିଷୟ ଯେ ସେ ଦେଶର ସର୍ବୋଚ୍ଚ କାର୍ଯ୍ୟାଳୟ ପାଇଁ ନିର୍ବାଚିତ ହୋଇଛନ୍ତି। ଦେଶର ପ୍ରଥମ ନାଗରିକ ହେବା ପାଇଁ ତାଙ୍କର ଯାତ୍ରା ପ୍ରକୃତରେ ପ୍ରେରଣାଦାୟକ ଏବଂ ଏହି ଯାତ୍ରା ମହିଳା ସଶକ୍ତିକରଣର ଏକ ଉଜ୍ଜ୍ୱଳ ଉଦାହରଣ। ଆଗକୁ ଏକ ପୂର୍ଣ୍ଣ କାର୍ଯ୍ୟକାଳ ପାଇଁ ତାଙ୍କୁ ବହୁତ ଶୁଭେଚ୍ଛା ଜଣାଉଛି ବୋଲି ନବୀନ କହିଛନ୍ତି।
ଟୁଇଟ୍ରେ କେନ୍ଦମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଜଣେ ଓଡ଼ିଆ ଭାବରେ, ରାଷ୍ଟ୍ରପତି ନିର୍ବାଚନରେ ଓଡ଼ିଶାର ଗୌରବ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ମୋତେ ବ୍ୟକ୍ତିଗତ ଭାବରେ ବହୁତ ଆନନ୍ଦ ଦେଇଛି । ସାଧାରଣ ପରିବାରରୁ ଆସିଥିବା ଶ୍ରୀମତୀ ମୁର୍ମୁଙ୍କ ରାଇରଙ୍ଗପୁରରୁ ରାଷ୍ଟ୍ରପତି ଭବନର ଯାତ୍ରା ସମସ୍ତଙ୍କୁ ପ୍ରେରିତ କରିବ । ଶ୍ରୀମତୀ ମୁର୍ମୁଙ୍କ ଏହି ଐତିହାସିକ ବିଜୟରେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଉଛି । ତାଙ୍କର ବିଜୟ ମହିଳା ସଶକ୍ତିକରଣ, ସାମାଜିକ ନ୍ୟାୟ, ମହିଳା ନେତୃତ୍ୱ, ବହୁସଂଖ୍ୟକ ଓ ସର୍ବସ୍ପର୍ଶୀ ସମାଜର ପ୍ରତୀକ, ଯାହା ନୂଆଭାରତର ପ୍ରତିବଦ୍ଧତାକୁ ଦର୍ଶାଉଛି । ଜନଜାତି ଜନନେତ୍ରୀ ଦ୍ରୌପଦୀ ମୁର୍ମୁ ଦେଶର ଆଶା, ପ୍ରତିବଦ୍ଧତା ଏବଂ ଏକ ସଶକ୍ତ ଭାରତ ଓ ସୁଦୃଢ଼ ଗଣତନ୍ତ୍ରରୁ ପ୍ରତିନିଧିତ୍ୱ କରୁଛନ୍ତି । ତାଙ୍କର ବିଜୟ, ପ୍ରତ୍ୟେକ ଭାରତୀୟ ବିଶେଷ ଭାବରେ ଜନଜାତି ସମୁଦାୟ ଏବଂ ଦେଶର ନାଗରିକଙ୍କ ବିଜୟ ।
ଦ୍ରୌପଦୀ ମୁର୍ମୁଙ୍କୁ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ଅଭିନନ୍ଦନ ଜଣାଇଛନ୍ତି। ପ୍ରଥମ ମହିଳା ଭାବେ ଦେଶର ୧୫ତମ ରାଷ୍ଟ୍ରପତି ହୋଇଥିବାରୁ ଭଗବାନ ଜଗନ୍ନାଥ ଓ ଭଗବାନ ଭେଙ୍କଟେଶ୍ବର ତାଙ୍କୁ ଆଶୀର୍ବାଦ କରନ୍ତୁ। ସୁସ୍ଥ ରହି ଦେଶବାସୀଙ୍କ ସେବା କରନ୍ତୁ।
ବିଜେପି ରାଷ୍ଟ୍ରୀୟ ଉପସଭାପତି ତଥା ଆସାମ ପ୍ରଭାରୀ ବୈଜୟନ୍ତ ପଣ୍ଡା ମଧ୍ୟ ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ବିଶ୍ବର ସର୍ବବୃହତ୍ତ ଗଣତନ୍ତ୍ରର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବାରୁ ଅଭିନନ୍ଦନ ଜଣାଉଛି ବୋଲି ଶ୍ରୀ ପଣ୍ଡା ଟୁଇଟ୍ କରି କହିଛନ୍ତି। ଆସାମର ଗୌହାଟି ଠାରେ ବିଜେପି ଦ୍ବାରା ଆୟୋଜିତ ବିଶାଳ ରାଲିରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିସ୍ବଶର୍ମାଙ୍କ ସହ ବୈଜୟନ୍ତ ପଣ୍ଡା ଯୋଗଦେଇଥିଲେ।। ସେଠାରେ ପାରମ୍ପାରିକ ନୃତ୍ୟ ଗୀତ ସହ ଉତ୍ସବ ପାଳନ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/44370dbd-5a2b-4405-bfc3-0aba4d06f3d2.jpg)