ବାରିପଦା: ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ତାଙ୍କ ନାଁ ଘୋଷଣା ହେବା ପରେ ଆଜି ସକାଳେ ଦ୍ରୌପଦୀ ମୁର୍ମୁ ପ୍ରଥମେ ରାଇରଙ୍ଗପୁରର ଶିବମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିଲେ। ସେ ସେଠାରେ ଥିବା ପୂର୍ଣ୍ଣନ୍ଦେଶ୍ୱର ଶିବ ମନ୍ଦିର ପରିସରକୁ ଓଳାଇ ସଫା କରିଥିଲେ। ଏହି ଘଟଣା ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଛି। ସୋସିଆଲ୍ ମିଡିଆରେ ବି ଏହା ଟ୍ରେଣ୍ଡ କରୁଥିବା ଜଣାଯାଇଛି। ଏହାପରେ ଦ୍ରୌପଦୀ ମୁର୍ମୁ ହନୁମାନ ମନ୍ଦିର, ଜଗନ୍ନାଥ ମନ୍ଦିର ଯାଇ ଦର୍ଶନ କରିଥିଲେ। ଖାଲି ସେତିକି ନୁହେଁ ସେ ରାଇରଙ୍ଗପୁର ସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟକୁ ଯାଇ ମଧ୍ୟ ପ୍ରାର୍ଥନା କରିଥିଲେ। ବ୍ରହ୍ମାକୁମାରୀ ବିଶ୍ୱବିଦ୍ୟାଳୟ ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ସାନ୍ତାଳୀଙ୍କ ଆରାଧନା ପୀଠ ଜାହିରା ଯାଇ ଦ୍ରୌପଦୀ ମୁର୍ମୁ ବି ପୂଜାର୍ଚ୍ଚନା କରିଥିଲେ। ଆଜି ସକାଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦ୍ରୌପଦୀ ମୁର୍ମୁଙ୍କୁ ‘ଜେଡ୍‌ ପ୍ଲସ୍‌’ ସୁରକ୍ଷା ବ୍ୟବସ୍ଥା ପ୍ରଦାନ କରାଯାଇଛି।

Advertisment

publive-image
ଆଜି ଦ୍ରୌପଦୀ ମୁର୍ମୁ  ଭୁବନେଶ୍ୱର ଆସିବେ। ଏହାପରେ ସେ  ଦିଲ୍ଲୀ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡାଙ୍କୁ ଭେଟିବାର କାର୍ଯ୍ୟକ୍ରମ ଥିବାର ସୂଚନା ମିଳିଛି।

ମଙ୍ଗଳବାର ସନ୍ଧ୍ୟାରେ ବିଜେପି ନେତୃତ୍ବାଧୀନ ‘ଡିଏନ୍‌ଏ’ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥିନୀ ଭାବେ ଘୋଷଣା କରିଛି।  ସାନ୍ତାଳ ସମ୍ପ୍ରଦାୟରେ ଜନ୍ମିତା ଦ୍ରୌପଦୀ ମୁର୍ମୁ ୧୯୯୭ ମସିହାରେ ରାଇରଙ୍ଗପୁର ନଗର ପଞ୍ଚାୟତର ଜଣେ କାଉନ୍‌ସିଲ୍‌ ଭାବେ ରାଜନୈତିକ କ୍ୟାରିୟର୍‌ ଆରମ୍ଭ କରିଥିଲେ। ୨୦୦୦ ମସିହରେ ସେ ଓଡ଼ିଶା ସରକାରରେ  ମନ୍ତ୍ରୀ ଏବଂ ୨୦୧୫ରେ ଝାଡ଼ଖଣ୍ଡର ରାଜ୍ୟପାଳ ହୋଇଥିଲେ। ଯଦି ନିର୍ବାଚିତ ‌ହୁଅନ୍ତି, ମୁର୍ମୁ ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ହେବେ।