ଭୁବନେଶ୍ବର : ଏନ୍ଡିଏ ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁ ଶୁକ୍ରବାର ଦିନ ନିଜ ରାଜ୍ୟରେ ପ୍ରଚାର କରିଛନ୍ତି। ନିଜ ମାଟିରେ ଉଭୟ ଶାସକ ଓ ବିରୋଧୀଙ୍କ ଠାରୁ ଉଚ୍ଛ୍ବସିତ ସମ୍ବର୍ଦ୍ଧନା ପାଇଛନ୍ତି ଶ୍ରୀମତୀ ମୁର୍ମୁ। ଭୁବନେଶ୍ବରରେ ତାଙ୍କର ମାତ୍ର ୪ ଘଣ୍ଟାର ରହଣୀ ବେଶ୍ ଘଟଣାବହୁଳ ଓ ଚର୍ଚ୍ଚିତ ରହିଥିଲା। ବିମାନବନ୍ଦର ଠାରୁ ଆରମ୍ଭ କରି ରାଜ୍ୟ ଅତିଥି ଭବନ, ବିଧାନସଭା ସମ୍ମିଳନୀ କକ୍ଷ ଓ ନବୀନ ନିବାସରେ ଦ୍ରୌପଦୀ ଭିନ୍ନ ଅନୁଭୂତି ସାଉଁଟି ଫେରିଯାଇଛନ୍ତି। ତାଙ୍କର ବିଜୟ ସୁନିଶ୍ଚିତ ଥିବାରୁ ସମ୍ଭବତଃ ତାଙ୍କର ପରବର୍ତ୍ତୀ ଓଡ଼ିଶା ଗସ୍ତ ‘ଭାରତର ରାଷ୍ଟ୍ରପତି’ ଭାବେ ହିଁ ହେବ।
/sambad/media/post_attachments/wp-content/uploads/2022/07/d-m22-643x430.jpg)
ଶୁକ୍ରବାର ଦିନ ପ୍ରାୟ ୧୦ଟା ୪୬ଟାରେ ଶ୍ରୀମତୀ ମୁର୍ମୁ ସ୍ବତନ୍ତ୍ର ବିମାନ ଯୋଗେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଥିଲେ। ସେଠାରେ ବିଜେପି ପକ୍ଷରୁ ଭବ୍ୟ ଆୟୋଜନ କରାଯାଇଥିଲା। ବିଭିନ୍ନ ଲୋକନୃତ୍ୟ ଓ ଆଦିବାସୀ ନୃତ୍ୟ, ବାଦ୍ୟରେ ବିମାନବନ୍ଦର ପରିସର କମ୍ପି ଉଠିଥିଲା। କେବଳ ରାଜନୈତିକ ଦଳର ନେତା, କର୍ମୀ ନୁହନ୍ତି, ବିଭିନ୍ନ ସାମାଜିକ ସଂଗଠନର ପ୍ରତିନିଧିମାନେ ମଧ୍ୟ ବହୁ ସଂଖ୍ୟାରେ ଯୋଗ ଦେଇ ରାଷ୍ଟ୍ରପତି ପ୍ରାର୍ଥିନୀଙ୍କୁ ସ୍ବାଗତ କରିବା ପାଇଁ ଅପେକ୍ଷା କରିଥିଲେ। ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସମେତ ବିଜେପିର ସମସ୍ତ ଆଗଧାଡ଼ିର ନେତୃତ୍ବ ଉପସ୍ଥିତ ଥିଲେ। ବିଜେଡି ପକ୍ଷରୁ ବି ସ୍ବାଗତ ପାଇଁ ଆବଶ୍ୟକ ବନ୍ଦୋବସ୍ତ କରାଯାଇଥିଲା। ବିମାନବନ୍ଦରରେ ପାଞ୍ଚ ଜଣ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ଅଶୋକ ପଣ୍ଡା, ଅତନୁ ସବ୍ୟସାଚ୍ଚୀ ନାୟକ, ଟୁକୁନି ସାହୁ ଓ ବାସନ୍ତୀ ହେମ୍ବ୍ରମ୍, ସାଂସଦ ସସ୍ମିତ ପାତ୍ର, ବିଧାୟକ ଶଶୀଭୂଷଣ ବେହେରା ଓ ଦେବୀ ପ୍ରସାଦ ମିଶ୍ର ପ୍ରମୁଖ ଉପସ୍ଥିତ ରହି ଶ୍ରୀମତୀ ମୁର୍ମୁଙ୍କୁ ସ୍ବାଗତ କରିଥିଲେ। ବିମାନବନ୍ଦରରୁ କଡ଼ା ସୁରକ୍ଷା ବଳୟରେ ଶ୍ରୀମତୀ ମୁର୍ମୁଙ୍କୁ ରାଜ୍ୟ ଅତିଥି ଭବନ ଅଣାଯାଇଥିଲା। ସେଠାରେ ବିଜେପି ସାଂସଦ ଓ ବିଧାୟକମାନେ ତାଙ୍କୁ ସ୍ବାଗତ କରିଥିଲେ। କିଛି ସମୟ ବିଶ୍ରାମ ପରେ ସେ ସିଧାସଳଖ ବିଧାନସଭା ସମ୍ମିଳନୀ କକ୍ଷକୁ ଯାଇଥିଲେ।
ବିମାନବନ୍ଦରରେ ଉଚ୍ଛ୍ବସିତ ସମ୍ବର୍ଦ୍ଧନା
ଉଭୟ ବିଜେଡି, ବିଜେପି ନେତା ସ୍ବାଗତ କଲେ
ବିଧାନସଭାରେ ବିଜେଡି, ଅତିଥି ଭବନରେ ବିଜେପି ସାଂସଦ ଓ ବିଧାୟକଙ୍କୁ ଭେଟିଲେ
ଭଉଣୀ ପାଉଣା ମାଗିବା ପୂର୍ବରୁ ଭାଇ ମନଜାଣି ଦେଇଦେଲେ : ଦ୍ରୌପଦୀ
ନବୀନ ନିବାସରେ ମଧ୍ୟାହ୍ନ ଭୋଜନ କଲେ
/sambad/media/post_attachments/wp-content/uploads/2022/07/Presidential-candidate-Smt-Droupadi-murmu-at-Naveen-Niwas-1.jpg)
ବିଧାନସଭାର ସମ୍ମିଳନୀ କକ୍ଷରେ ଶ୍ରୀମତୀ ମୁର୍ମୁ ପହଞ୍ଚିବା ଆଗରୁ ମୁଖ୍ୟମନ୍ତ୍ରୀ, ସବୁ ମନ୍ତ୍ରୀ, ସାଂସଦ ଓ ବିଧାୟକ ପହଞ୍ଚିଯାଇଥିଲେ। ଶ୍ରୀମତୀ ମୁର୍ମୁ ସମ୍ମିଳନୀ କକ୍ଷ ଭିତରକୁ ଗଲା ପରେ ମୁଖ୍ୟମନ୍ତ୍ରୀ ତାଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସ୍ବାଗତ କରିଥିଲେ। ବିଜେଡିର ସ୍ବାଗତ ସମ୍ବର୍ଦ୍ଧନାରେ ଭାବବିହ୍ବଳ ହୋଇପଡ଼ିଥିଲେ ଶ୍ରୀମତୀ ମୁର୍ମୁ। କହିଥିଲେ, ‘ଓଡ଼ିଶା ଜଗନ୍ନାଥ ସଂସ୍କୃତିରେ ବିଶ୍ବାସ କରେ। ମୁଁ ସୁଭଦ୍ରାଙ୍କ ଭଳି ମୁଖ୍ୟମନ୍ତ୍ରୀଙ୍କ ହାତରେ ରାକ୍ଷୀ ବାନ୍ଧିଥିଲି। ରାକ୍ଷୀର ପାଉଣା ମାଗିବା ପୂର୍ବରୁ ସେ ତାଙ୍କୁ ଦେଇସାରିଛନ୍ତି। ଭଉଣୀଙ୍କ ମନ କଥା ଜାଣି ଭାଇ ତାଙ୍କୁ ସମର୍ଥନ ଦେଇଛନ୍ତି। ଏ ମାଟିର ନାଁକୁ ସ୍ବର୍ଣ୍ଣାକ୍ଷରରେ ଲେଖିବାକୁ ସେ ଚେଷ୍ଟା କରିଛନ୍ତି। ଏଥିପାଇଁ ସେ ଚିର ନମସ୍ୟ। ପ୍ରାର୍ଥୀ ଘୋଷଣା ବେଳେ ବିଦେଶରୁ ଥାଇ ମୋ ସହ ମୁଖ୍ୟମନ୍ତ୍ରୀ ଫୋନ୍ରେ କଥା ହୋଇଥିଲେ। ମନ୍ତ୍ରୀ ଥିଲି ବହୁ କାମ କରିଛି। ରାଷ୍ଟ୍ରପତି ହେଲେ ଓଡ଼ିଶା ସୁନ୍ଦର ଭାବେ ବଢ଼ିବ।’ ଦଳର ସବୁ ସାଂସଦ ଓ ବିଧାୟକ ଦ୍ରୌପଦୀ ମୁର୍ମୁଙ୍କ ସପକ୍ଷରେ ମତଦାନ କରିବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଥିଲେ। ମତଦାନ ନିର୍ଭୁଲ୍ ଭାବେ ଦେବେ ଓ ଯେମିତି ଗୋଟିଏ ଭୋଟ୍ ନାକଚ ନ ହୁଏ, ସେଥି ପ୍ରତି ଯତ୍ନବାନ ହେବାକୁ ସେ ପରାମର୍ଶ ଦେଇଥିଲେ। ଏହା ପରେ ଶ୍ରୀମତୀ ମୁର୍ମୁ ଓ ମୁଖ୍ୟମନ୍ତ୍ରୀ ମିଶିକି ସମ୍ମିଳନୀ କକ୍ଷ ବାହାରକୁ ଆସିଥିଲେ। ପାଖାପାଖି ୪୫ ମିନିଟ୍ ଏହି ବୈଠକ ହୋଇଥିଲା।
/sambad/media/post_attachments/wp-content/uploads/2022/07/d-m13-750x430.jpg)
ଏହା ପରେ ଶ୍ରୀମତୀ ମୁର୍ମୁ ପୁନର୍ବାର ରାଜ୍ୟ ଅତିଥି ଭବନ ଯାଇଥିଲେ। ସେଠାରେ ବିଜେପି ସାଂସଦ, ବିଧାୟକ ଓ ରାଜ୍ୟ ନେତୃମଣ୍ଡଳୀଙ୍କ ସହ ବୈଠକ କରିଥିଲେ। ଏହା ପରେ ମଧ୍ୟାହ୍ନ ଭୋଜନ ପାଇଁ ନବୀନ ନିବାସ ଯାଇଥିଲେ। ଶ୍ରୀମତୀ ମୁର୍ମୁଙ୍କ ସହ କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ନେତା ଗଜେନ୍ଦ୍ର ସିଂ ଶେଖାୱତ ମଧ୍ୟ ନବୀନ ନିବାସରେ ପହଞ୍ଚିଥିଲେ। ଶ୍ରୀମତୀ ମୁର୍ମୁଙ୍କୁ ମୁଖ୍ୟମନ୍ତ୍ରୀ ସ୍ବାଗତ କରି ଭିତରକୁ ନେଇଥିଲେ। ନବୀନ ନିବାସରେ ମୁଖ୍ୟମନ୍ତ୍ରୀ, ଶ୍ରୀମତୀ ମୁର୍ମୁ, କେନ୍ଦ୍ର ମନ୍ତ୍ରୀ ଶ୍ରୀ ଶେଖାୱତ ଓ ସାଂସଦ ପିନାକୀ ମିଶ୍ର ଏକାଠି ମଧ୍ୟାହ୍ନ ଭୋଜନ କରିଥିଲେ। ଏହା ପରେ ଶ୍ରୀମତୀ ମୁର୍ମୁ ସିଧାସଳଖ ବିମାନବନ୍ଦର ଯାଇ ଅପରାହ୍ନ ୨ଟା ୫୧ରେ ଲକ୍ଷ୍ନୌ ଅଭିମୁଖେ ଯାତ୍ରା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/d-m10.jpg)