ନାମାଙ୍କନପତ୍ର ଦାଖଲ ପାଇଁ ଦିଲ୍ଲୀ ଗଲେ ଦ୍ରୌପଦୀ

ବିଜେପି ବିଧାୟକ ଦଳ ବି ଦିଲ୍ଲୀ ଗଲେ, ମା’ଙ୍କୁ ତାଙ୍କ କଠିନ ପରିଶ୍ରମର ଫଳ ମିଳିବାକୁ ଯାଉଛି: ଇତିଶ୍ରୀ

ଭୁବନେଶ୍ବର : ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଗୁରୁବାର ଦିନ ବିମାନବନ୍ଦରରେ ବିଜେପି ରା‌ଜ୍ୟ ସଭାପତି ସମୀର ମହାନ୍ତି, ସାଂସଦ ଅପରାଜିତା ଷଡ଼ଙ୍ଗୀ, ଭୁବନେଶ୍ବର ଜିଲ୍ଲା ସଭାପତି ବାବୁ ସିଂହଙ୍କ ସମେତ ବହୁ ଦଳୀୟ ପଦାଧିକାରୀ ଶ୍ରୀମତୀ ମୁର୍ମୁଙ୍କୁ ସମ୍ବର୍ଦ୍ଧନା ଦେଇଥିଲେ। ପାରମ୍ପରିକ ଆଦିବାସୀ ନୃତ୍ୟରେ ଦ୍ରୌପଦୀଙ୍କୁ ଶୁଭେଚ୍ଛା ଜଣାଯାଇଥିଲା। ଅପରପକ୍ଷେ ବିଜେପି ବିଧାୟକମାନେ ଗୁରୁବାର ଦିନ ଦିଲ୍ଲୀ ଗସ୍ତରେ ଯାଇଛନ୍ତି। ବିଧାୟକ ଜୟନାରାୟଣ ମିଶ୍ର, ନାଉରୀ ନାଏକ, କୁସୁମ ଟେଟେ, ଶଙ୍କର ଓରାମ, ନବ ଚରଣ ମାଝୀ, ମୋହନ ମାଝୀ, ମୁକେଶ ମହାଲିଙ୍ଗ, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ଜୟନ୍ତ ଷଡ଼ଙ୍ଗୀ, ବୁଧନ ମୁର୍ମୁ ଓ ପ୍ରକାଶ ସୋରେନ୍‌ ପ୍ରମୁଖ ଦ୍ରୌପଦୀଙ୍କ ପ୍ରସ୍ତାବକ ହେବାର ଥିବାରୁ ଦିଲ୍ଲୀ ଯାଇଥିବା ଦଳର ଜଣେ ବରିଷ୍ଠ ନେତା କହିଛନ୍ତି।

ସେହିପରି ଗୁରୁବାର ଦିନ ଦ୍ରୌପଦୀଙ୍କ ସହ ବିମାନବନ୍ଦରକୁ ଆସିଥିବା ତାଙ୍କ ଝିଅ ଇତିଶ୍ରୀ ମୁର୍ମୁ କହିଛନ୍ତି ଯେ ମୋ ମା’ଙ୍କୁ ତାଙ୍କ କଠିନ ପରିଶ୍ରମର ଫଳ ମିଳିବାକୁ ଯାଉଛି। ସେଥିପାଇଁ ଆମେ ବହୁତ ଖୁସି ଅଛୁ। ଇତିଶ୍ରୀ କହିଛନ୍ତି, ଯେତେବେଳେ ମା’ଙ୍କ ଗାଁକୁ ରାସ୍ତା ନ ଥିଲା, ଘରର ଆର୍ଥିକ ସ୍ଥିତି ଭଲ ନଥିଲା, ସେତେବେଳେ ସେ ନିଜ ଜିଦ୍‌ରେ ଭୁବନେଶ୍ୱର ଆସି ପାଠ ପଢ଼ିଥିଲେ। ସେ ଆହୁରି କହିଛନ୍ତି, ମୋ ମା’ ଗୋଟେ ଖୋଲାବହି। ସେ ସମସ୍ତଙ୍କ ସହ ମିଶି ଯାଆନ୍ତି। ମୋ ମା’ଙ୍କ ଜୀବନଶୈଳୀ ବହୁତ ସରଳ। ଦିଲ୍ଲୀ ଗଲା ବେଳେ ଛୁଆଙ୍କ ଯତ୍ନ ନେବୁ, ଘରର ଯତ୍ନ ନେବୁ ଓ ଭଲରେ ରହିବୁ ବୋଲି ମାଆ କହି ଯାଇଛନ୍ତି।

ସମ୍ବନ୍ଧିତ ଖବର