ଦ୍ରୌପଦୀ ରାଷ୍ଟ୍ରପତି ହେବେ; ଶିକ୍ଷାରେ ସଂସ୍କାର ଆସିବ!

ରାଜ୍ୟର ୨୫% ଗାଁ ଝିଅଙ୍କ ଭାଗ୍ୟରେ ନାହିଁ ବିଦ୍ୟାଳୟ ଶିକ୍ଷା ସୁବିଧା?

ବାଲେଶ୍ବର,(ରୁଦ୍ରରଞ୍ଜନ ଶେଜପଡ଼ା): ସତୁରୀ ଦଶକର କଥା। ରାଇରଙ୍ଗପୁରକୁ ଆସିଥିଲେ ବିଧାୟକ କାର୍ତ୍ତିକ ଚନ୍ଦ୍ର ମାଝି। ପାଠ ପଢ଼ିବାକୁ ଅଦ୍ୟମ ଇଚ୍ଛା ରଖିଥିବା ଜଣେ ୧୩ ବର୍ଷୀୟା ଆଦିବାସୀ ଝିଅ ମନରେ ସାହାସ ବାନ୍ଧି ବିଧାୟକଙ୍କୁ ଭେଟିବାକୁ ଚାହିଁଲା। ବିଧାୟକ ନିର୍ଦ୍ଧାରିତ ସମୟରେ ଆସି ବୈଠକ କଲେ। ଏହି ସମୟରେ ଝିଅଟି ତାର ସବୁତକ ସାର୍ଟିଫିକେଟ୍‌ ବିଧାୟକଙ୍କ ଆଡ଼କୁ ବଢ଼ାଇ ଦେଇ କହିଲା, ‘ସାର, ମୁଁ ଭୁବନେଶ୍ବରରେ ପାଠ ପଢ଼ିବି। ବ୍ୟବସ୍ଥା କରିଦିଅନ୍ତୁ। ଝିଅଟିର ପାଠପଢ଼ା ପ୍ରତି ଆଗ୍ରହ ଦେଖି ବିଧାୟକ ଶ୍ରୀ ମାଝି ଭୁବନେଶ୍ବର ୟୁନିଟ୍‌-୨ ବାଳିକା ଉଚ୍ଚ ବିଦ୍ୟାଳୟରେ ତାର ନାମ ଲେଖାଇ ଦେଲେ। ବାସ୍‌ ତା ପରେ ଝିଅଟି ଆଉ ଜୀବନର ଚଲାବାଟରେ ଅଟକିନି। ପାଠପଢ଼ା ସହ ସରକାରୀ ଚାକିରି, ଶିକ୍ଷକତା, ସମାଜସେବା, ରାଜନୀତି; ସବୁ କ୍ଷେତ୍ରରେ ନିଜର ଏକ ଅନନ୍ୟ ପରିଚୟ ତୋଳିଛନ୍ତି। ସେ ହେଉଛନ୍ତି ଭାରତର ଭାବି ରାଷ୍ଟ୍ରପତି; ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପରବେଡ଼ାର ୬୪ ବର୍ଷୀୟା ଦ୍ରୌପଦୀ ମୁର୍ମୁ।

ଶିକ୍ଷା ହେଉ କି ସାମାଜିକ ବିଧିବ୍ୟବସ୍ଥା; ଦ୍ରୌପଦୀ ସବୁବେଳେ ଝିଅଙ୍କୁ ଗୁରୁତ୍ବ ଦେଇ ଆସିଛନ୍ତି। ସେ ଜାଣନ୍ତି ଝିଅଟି ଶିକ୍ଷିତ ହେଲେ ସମାଜର ବିକାଶ ହେବ। ଯେଉଁଥି ପାଇଁ ସେ ନିଜେ ଉଚ୍ଚଶିକ୍ଷା ଗ୍ରହଣ କରିବାକୁ ଚାହିଁଥିଲେ। କେବଳ ସେତିକି ନୁହେଁ, ନିଜ ଅଞ୍ଚଳର ପିଲାମାନଙ୍କୁ ବିଶେଷ କରି ଝିଅମାନଙ୍କୁ ଶିକ୍ଷିତ କରିବା ପାଇଁ ସେ ବିନା ଦରମାରେ ଶିକ୍ଷକତା କରିଛନ୍ତି। ୧୯୯୪ରୁ ୧୯୯୭ ମସିହା ଯାଏ ଦ୍ରୌପଦୀ ରାଇରଙ୍ଗପୁର ଶ୍ରୀ ଅରବିନ୍ଦ ଇଣ୍ଟିଗ୍ରାଲ୍‌ ଏଜୁକେସନ୍‌ ଆଣ୍ଡ ‌ରିସର୍ଚ ସେଣ୍ଟରରେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ କାମ କରିଛନ୍ତି। ନିଜ ଉଦ୍ୟମରେ ପାହାଡ଼ପୁର ଗାଁରେ ଆବାସିକ ବିଦ୍ୟାଳୟ ଖୋଲିଛନ୍ତି। ୨୦୧୫ ମସିହାରେ ଝାଡ଼ଖଣ୍ଡ ରାଜ୍ୟପାଳ ହେବା ପରେ କୁଳାଧିପତି ଭାବେ ସେ ରାଜ୍ୟର ୫ଟି ବିଶ୍ବବିଦ୍ୟାଳୟର ଶୈକ୍ଷିକ ବ୍ୟବସ୍ଥାରେ ଅନେକ ସଂସ୍କାର ଆଣିଛନ୍ତି। ପାଠପଢ଼ା ସହ ଖେଳକୁଦରେ କିପରି ଝିଅମାନେ ଆଗକୁ ବଢ଼ିବେ, ତାର ବ୍ୟବସ୍ଥା ମଧ୍ୟ କରିଛନ୍ତି। ଦ୍ରୌପଦୀଙ୍କ ଉଦ୍ୟମରେ ଅନେକ ନୂଆ ମହିଳା କଲେଜ ମଧ୍ୟ ଖୋଲା ହୋଇଛି। ୬ ବର୍ଷର କାର୍ଯ୍ୟକାଳ ଭିତରେ ଝାଡ଼ଖଣ୍ଡର ୨୪ଟି ଜିଲ୍ଲାରେ ଥିବା ୩୦୨ଟି କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ବୁଲି ଦେଖିବା ସହ ସେଠାରେ ଥିବା ଅସୁବିଧାଗୁଡ଼ିକର ସମାଧାନ ପାଇଁ ବାଟ କାଢ଼ିଛନ୍ତି। ବ୍ୟାସକବି ଫକୀରମୋହନ ସେନାପତିଙ୍କ ରଚିତ ‘ରେବତୀ’ ଦ୍ରୌପଦୀଙ୍କ ପ୍ରିୟ ଗଳ୍ପ। ଯାହା ବାଳିକା ଶିକ୍ଷାର ବିକାଶ ନେଇ ତାଙ୍କ ମନରେ ଥିବା ଅନୁସନ୍ଧିତ୍ସାକୁ ପ୍ରତିଫଳିତ କରୁଛି।

Times of India

ତେବେ ରାଷ୍ଟ୍ରପତି ନିର୍ବାଚନରେ ଦ୍ରୌପଦୀଙ୍କ ବି‌ଜୟ ଏକପ୍ରକାର ନିଶ୍ଚିତ ‌ଥିବା ଜାଣିବା ପରେ ଓଡ଼ିଶାବାସୀ ବେଶ୍‌ ଉତ୍ସାହିତ ଅଛନ୍ତି। ବାଳିକା ଶିକ୍ଷା ପ୍ରତି ରହିଥିବା ଦ୍ରୌପଦୀଙ୍କ ଇଚ୍ଛା ଓ ଉଦ୍ୟମ ଓଡ଼ିଶାରେ ମଧ୍ୟ ଫଳବତୀ ହେବ। ଶିକ୍ଷା କ୍ଷେତ୍ରରେ ସଂସ୍କାର ଆସିବ, ଗ୍ରାମାଞ୍ଚଳରେ କେହି ଜଣେ ମଧ୍ୟ ଝିଅ ଶିକ୍ଷାରୁ ବଞ୍ଚିତ ହେବେ ନାହିଁ ବୋଲି ସଭିଁଏ ଆଶା ବାନ୍ଧିଛନ୍ତି। ଉଲ୍ଲେଖ ଥାଉକି, ଭାରତ ସରକାରଙ୍କ ଅନ୍ତ୍ୟୋଦୟ ଯୋଜନାରେ କରାଯାଇଥିବା ଏକ ସର୍ଭେ ରିପୋର୍ଟ ଅନୁଯାୟୀ; ରାଜ୍ୟର ୭୩ ପ୍ରତିଶତ ଗାଁର ଝିଅମାନେ ପ୍ରାଥମିକ ଶିକ୍ଷା ପାଉଛନ୍ତି। ୩୪ ପ୍ରତିଶତ ଗାଁର ଝିଅଙ୍କ ପାଇଁ ମାଧ୍ୟମିକ, ୧୮ ପ୍ରତିଶତ ଗାଁର ଝିଅଙ୍କ ପାଇଁ ଉଚ୍ଚ ବିଦ୍ୟାଳୟ, ୫.୫୧ ପ୍ରତିଶତ ଗାଁର ଝିଅଙ୍କ ପାଇଁ ଉଚ୍ଚ ମାଧ୍ୟମିକ ଏବଂ ମାତ୍ର ୨.୯ ପ୍ରତିଶତ ଗାଁର ଝିଅଙ୍କ ପାଇଁ ଡିଗ୍ରି ଶିକ୍ଷାର ସୁବିଧା ଅଛି। ଅନ୍ୟପଟେ ଶିକ୍ଷାନୁଷ୍ଠାନର ଅଭାବ ଯୋଗୁ ୨୫.୨୭ ପ୍ରତିଶତ ଗାଁର ଝିଅଙ୍କୁ ବିଦ୍ୟାଳୟ ଓ ଡିଗ୍ରି ମହାବିଦ୍ୟାଳୟରେ ପାଠ ପଢ଼ିବାର ସୁଯୋଗ ଏଯାଏ ମିଳିନି। ଦ୍ରୌପଦୀ ମୁର୍ମୁଙ୍କ ନିଜ ଜିଲ୍ଲା ମୟୂରଭଞ୍ଜରେ ମଧ୍ୟ ସମାନ ସ୍ଥିତି। ଏଠାରେ ୭୮.୭୩ ପ୍ରତିଶତ ଗାଁର ଝିଅମାନେ ପ୍ରାଥମିକ ଶିକ୍ଷା, ୩୦.୫୨ ପ୍ରତିଶତ ଗାଁର ଝିଅମାନେ ମାଧ୍ୟମିକ ଶିକ୍ଷା, ୧୪.୧୧ ପ୍ରତିଶତ ଗାଁର ଝିଅମାନେ ଉଚ୍ଚ ବିଦ୍ୟାଳୟ ଶିକ୍ଷା, ୪.୨୧ ପ୍ରତିଶତ ଗାଁର ଝିଅମାନେ ଉଚ୍ଚ ମାଧ୍ୟମିକ ଶିକ୍ଷା ଏବଂ ୨.୨୯ ପ୍ରତିଶତ ଗାଁର ଝିଅମାନେ ଡିଗ୍ରି ଶିକ୍ଷା ପାଉଥିବା ବେଳେ ଶିକ୍ଷାନୁଷ୍ଠାନର ଅଭାବ ଯୋଗୁ ୧୯.୯ ପ୍ରତିଶତ ଗାଁର ଝିଅମାନେ ବିଦ୍ୟାଳୟ ଓ ଡିଗ୍ରି ଶିକ୍ଷା ପାଇବାରୁ ବଞ୍ଚିତ ହେଉଛନ୍ତି।

ଝିଅଙ୍କ ଶିକ୍ଷା ପାଇଁ ଦ୍ରୌପଦୀ ମୁର୍ମୁ ବିଭିନ୍ନ ସମୟରେ ନେଇଥିବା ପଦକ୍ଷେପକୁ ସମ୍ମାନ ଜଣାଇଛନ୍ତି ଫକୀରମୋହନ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ ତ୍ରିପାଠୀ। ଦ୍ରୌପଦୀଙ୍କୁ ନେଇ ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ଯେଉଁ ସୁଧାର କଥା ଆଶା କରାଯାଉଛି, ତାହା ସ୍ବାଭାବିକ। ଯଦି ସେପରି ହୁଏ, ତେବେ ସାମ୍ବିଧାନିକ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ା ହେବ। ଏହା ସହିତ ନାରୀ ସଶକ୍ତୀକରଣର ଭିନ୍ନ ପରିଭାଷା ମିଳିବ ବୋଲି ପ୍ରଫେସର ତ୍ରିପାଠୀ କହିଛନ୍ତି।

ସମ୍ବନ୍ଧିତ ଖବର