ସୋମବାର ରାଷ୍ଟ୍ରପତି ଭାବେ ଶପଥ ନେବେ ଦ୍ରୌପଦୀ; ଶାଢ଼ି, ଆରିସା ଓ ଗୁଡ଼ପିଠା ନେଇକି ଗଲେ ଭାଇଭାଉଜ

ରାଇରଙ୍ଗପୁର/ ଭୁବନେଶ୍ବର : ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି ରାଇରଙ୍ଗପୁରର ଝିଅ ଦ୍ରୌପଦୀ ମୁର୍ମୁ। ସୋମବାର ସଂସଦର କେନ୍ଦ୍ରୀୟ ହଲରେ ଶପଥ ସମାରୋହ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି। ଆଉ ଏହି ଉତ୍ସବରେ ସାମିଲ ହେବା ପାଇଁ ଦ୍ରୌପଦୀ ମୁର୍ମୁଙ୍କ ପରିବାରବର୍ଗଙ୍କୁ ମଧ୍ୟ ଦିଲ୍ଲୀରୁ ଡାକରା ଆସିଛି। ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବେ ତାଙ୍କ ସାନଭାଇ ଓ ଭାଉଜ। ଏଥିପାଇଁ ଭାଇ ତରଣୀସେନ୍ ଟୁଡୁ ଓ ଭାଉଜ ସାକ୍ରମଣି ଟୁଡୁ ଦିଲ୍ଲୀ ଯାଇଛନ୍ତି। ସାଥିରେ ଦ୍ରୌପଦୀଙ୍କ ପାଇଁ ନେଇ ଯାଇଛନ୍ତି ହାତ ତିଆରି ଆରିସା, ଗୁଡ଼ପିଠା ଓ ପାରମ୍ପରିକ ଝେଲ ଶାଢ଼ି। ଦ୍ରୌପଦୀଙ୍କ ଭାଉଜ ନିଜେ ଏହି ପିଠା ପ୍ରସ୍ତୁତ କରିଛନ୍ତି। ଆରିସା ଓ ଗୁଡ଼ପିଠା ଦ୍ରୌପଦୀଙ୍କର ବେଶ୍ ପସନ୍ଦ।

ସେହିପରି ଦ୍ରୌପଦୀଙ୍କ ଝିଅ, ପରିବାରର ଅନ୍ୟ ସଦସ୍ୟ, ସହପାଠୀ, ବନ୍ଧୁ ପରିଜନଙ୍କୁ ମିଶାଇ ପ୍ରାୟ ୫୦ରୁ ଅଧିକ ଲୋକ ଶପଥଗ୍ରହଣ ଉତ୍ସବରେ ସାମିଲ୍‌ ହେବା ପାଇଁ ଦିଲ୍ଲୀ ଯାଉଛନ୍ତି। ଏଥିରେ ମୟୂରଭଞ୍ଜ ଜିଲ୍ଲାର ୬ ବିଜେପି ବିଧାୟକ ସନାତନ ବିଜୁଳି, ଡ. ବୁଧନ ମୁର୍ମୁ, ଭାସ୍କର ମଢ଼େଇ, ଗଣେଶ ରାମସିଂହ ଖୁଣ୍ଟିଆ, ନବଚରଣ ମାଝୀ, ପ୍ରକାଶ ସୋରେନ୍ ବି ଶପଥ ଗ୍ରହଣ ଉତ୍ସବକୁ ଯିବାକୁ ନିମନ୍ତ୍ରଣ ପାଇଛନ୍ତି।

ମୁଁ ଶଦ୍ଦରେ ବର୍ଣ୍ଣନା କରିପାରୁନି: ଭାଇ ତରଣୀସେନ
ରାଷ୍ଟ୍ରପତି ଆସନରେ ଦ୍ରୌପଦୀଙ୍କୁ ଦେଖିବା ସ୍ୱପ୍ନ ଭଳି ଲାଗୁଛି: ଭାଉଜ ସାକ୍ରମଣି
୬ ବିଜେପି ବିଧାୟକଙ୍କ ସମେତ ୫୦ରୁ ଅଧିକ ସାମିଲ ହେବେ

ଶନିବାର ଦିନ ଦିଲ୍ଲୀ ଯିବା ଅବସରରେ ପ୍ରତିକ୍ରିୟା ରଖିଥିଲେ ଦ୍ରୌପଦୀଙ୍କ ଭାଇଭାଉଜ। ରାଷ୍ଟ୍ରପତି ଆସନରେ ଦ୍ରୌପଦୀଙ୍କୁ ଦେଖିବା ଏକ ସ୍ୱପ୍ନ ଭଳି ଲାଗୁଛି ବୋଲି କହିଛନ୍ତି ଭାଉଜ ସାକ୍ରମଣି ଟୁଡୁ। ଅନ୍ୟପକ୍ଷରେ ଦ୍ରୌପଦୀଙ୍କ ଭାଇ ତରଣୀସେନ ଟୁଡୁ ଭଉଣୀକୁ ଏହି ବିଶେଷ ମୁହୂର୍ତ୍ତରେ ଦେଖିବା ପାଇଁ ବ୍ୟଗ୍ର ଅଛନ୍ତି। ‘‘ମୁଁ ବହୁତ ଖୁସି। ଶଦ୍ଦରେ ଏହାକୁ ବର୍ଣ୍ଣନା କରିପାରୁନି। ଅତୀତର ସଂଘର୍ଷ ପାଇଁ ଆଜି ସଫଳତା ମିଳିଛି। ଶପଥଗ୍ରହଣ ଉତ୍ସବକୁ ଯାଉଥିବାରୁ ବହୁତ ଖୁସି ବୋଲି କହିଛନ୍ତି ତରଣୀସେନ। ଏଥିସହିତ ଭଉଣୀ ପାଇଁ ପାରମ୍ପରିକ ଆଦିବାସୀ ଝେଲ ଶାଢ଼ି ବି ନେଇଛି। ଝେଲ ଶାଢ଼ି ଆଦିବାସୀଙ୍କ ମହିଳାଙ୍କର ବେଶ ପସନ୍ଦ। ବାହାଘର ଓ ପୂଜାବିଧି ସମୟରେ ଆଦିବାସୀ ମହିଳାମାନେ ଏହି ଶାଢ଼ିକୁ ପରିଧାନ କରିଥାନ୍ତି। ତୁଳାରୁ ସ୍ୱତନ୍ତ୍ର ଭାବେ ସୂତା ପ୍ରସ୍ତୁତ କରାଯାଇ ବୁଣାକାରମାନେ ହାତରେ ତିଆରି କରିଥାନ୍ତି ଏହି ଶାଢ଼ି। ବଜାରରେ ଏହାର ଦାମ ୫ ଶହ ଟଙ୍କାରୁ ଆରମ୍ଭ କରି ୫ ହଜାର ଟଙ୍କା ଯାଏ ରହିଛି। ଆଶା କରାଯାଉଛି, ଏହି ଝେଲ ଶାଢୀ ପିନ୍ଧି ସୋମବାର ଦ୍ରୌପଦୀ ମୁର୍ମୁ ଦେଶର ୧୫ତମ ରାଷ୍ଟ୍ରପତି ଭାବେ ଶପଥ ନେଇପାରନ୍ତି। ଏବେ ସେହି ବିଶେଷ ମୁହୂର୍ତ୍ତକୁ ଅପେକ୍ଷା। ଦ୍ରୌପଦୀ ମୁର୍ମୁ ସୋମବାର ଶପଥ ନେଇ ନୂଆ ଇତିହାସ ରଚିବେ। ଆଉ ଦେଶର ହେବେ ପ୍ରଥମ ମହିଳା ଆଦିବାସୀ ରାଷ୍ଟ୍ରପତି। ଭାଇଭାଉଜଙ୍କ ବ୍ୟତୀତ ଦ୍ରୌପଦୀଙ୍କର ୭ ଜଣ ଘନିଷ୍ଠ ବନ୍ଧୁ ମଧ୍ୟ ଆଜି ରାଇରଙ୍ଗପୁରରୁ କାର୍‌ ଯୋଗେ ବାହାରି ରାଞ୍ଚି ବିମାନ ବନ୍ଦରରୁ ଦିଲ୍ଲୀ ବାହାରିଛନ୍ତି।

ସମ୍ବନ୍ଧିତ ଖବର