ଆଜି ଦ୍ରୌପଦୀଙ୍କ ପ୍ରାର୍ଥିପତ୍ର ଦାଖଲ

ଓଡ଼ିଶାରୁ ରହିବେ ମନ୍ତ୍ରୀ ଟୁକୁନି, ସାରକା, କଂଗ୍ରେସ ସମର୍ଥନ କରିବନି

ଭୁବନେଶ୍ବର : ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁ ଆଜି ତାଙ୍କ ପ୍ରାର୍ଥିପତ୍ର ଦାଖଲ କରିବେ। ଏହି ସମୟରେ ବିଜେଡି ପକ୍ଷରୁ ଦୁଇ ଜଣ କ୍ୟାବିନେଟ ମନ୍ତ୍ରୀ ଉପସ୍ଥିତ ରହିବେ। ତେବେ ମୁର୍ମୁଙ୍କୁ ସମର୍ଥନ ଦେବା ଲାଗି ଓଡ଼ିଶା ପ୍ରଦେଶ କଂଗ୍ରେସ ମନା କରିଦେଇଛି।

ସୂଚନାଯୋଗ୍ୟ ଯେ ମୁର୍ମୁଙ୍କୁ ଗତକାଲି ବିଜେଡି ସମର୍ଥନ ଘୋଷଣା କରିଥିଲା। ବିଜେପି ଅଧ୍ୟକ୍ଷ ଜେ ପି ନଡ୍ଡା ଆଜି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଫୋନରେ କଥା ହୋଇଥିଲେ।

ପ୍ରାର୍ଥିପତ୍ର ଦାଖଲ ବେଳେ ଉପସ୍ଥିତ ରହିବାକୁ ଅନୁରୋଧ କରିଥିଲେ। ଶ୍ରୀ ପଟ୍ଟନାୟକ ଏବେ ବିଦେଶ ଗସ୍ତରେ ଥିବାରୁ ରାଜ୍ୟର ଦୁଇ ଜଣ କ୍ୟାବିନେଟ୍ ମନ୍ତ୍ରୀ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ମନ୍ତ୍ରୀ ଜଗନ୍ନାଥ ସାରକା ଓ ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ ଆଜି ଉପସ୍ଥିତ ରହିବେ। ଦୁଇ ମନ୍ତ୍ରୀ ଶ୍ରୀ ସାରକା ଓ ଶ୍ରୀମତୀ ସାହୁ ନୂଆଦିଲ୍ଲୀ ଯାଇଛନ୍ତି। ସେମାନେ ଆଜି କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ସିଂହ ଯୋଶୀଙ୍କ ବାସଭବନ ଯାଇ ସେଠାରେ ଶ୍ରୀମତୀ ମୁର୍ମୁଙ୍କ ପ୍ରାର୍ଥିପତ୍ରରେ ପ୍ରସ୍ତାବକ ଭାବେ ସ୍ବାକ୍ଷର କରିଥିଲେ। ଏହି ସମୟରେ ବିଜେଡିର ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଉପସ୍ଥିତ ଥିଲେ।

ଅନ୍ୟପକ୍ଷରେ ଦ୍ରୌପଦୀ ମୁର୍ମୁଙ୍କୁ ଓଡ଼ିଶା କଂଗ୍ରେସ ସମର୍ଥନ କରିବାକୁ ମନା କରିଦେଇଛି। କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ଗୁରୁବାର ଦିନ ଏହା ସ୍ପଷ୍ଟ କରିଛନ୍ତି। ବିଧାନସଭାର ସମସ୍ତ ସଦସ୍ୟ ଦଳମତ ନିର୍ବିଶେଷରେ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍ କରିବା ପରେ ଶ୍ରୀ ମିଶ୍ର କହିଛନ୍ତି, ଦ୍ରୌପଦୀ ମୁର୍ମୁ ଜଣେ ଭଲ ମଣିଷ ଓ ଭଲ ବିଧାୟିକା। ମୁଁ ତାଙ୍କୁ ବ୍ୟକ୍ତିଗତ ଭାବେ ଜାଣେ। କିନ୍ତୁ ସେ ବିଜେପି ନୀତି ଆଦର୍ଶରେ ବିଶ୍ୱାସ କରୁଥିବାରୁ ସମର୍ଥନ ଦେବୁନି। ତାଙ୍କ ପ୍ରାର୍ଥିତ୍ୱ ଘୋଷଣା ପୂର୍ବରୁ ମିଳିତ ବିରୋଧୀ ଦଳ ପ୍ରାର୍ଥୀ ଘୋଷଣା କରିସାରିଛି। ତେଣୁ ଜଣଙ୍କୁ ଛିଡ଼ା କରି ଅନ୍ୟ ଜଣଙ୍କୁ ସମର୍ଥନ କରିବା ଠିକ୍‌ କଥା ହେବନି। ଓଡ଼ିଶା କଂଗ୍ରେସର ବିଧା‌ୟକମାନେ ମିଳିତ ବିରୋଧୀ ଦଳର ପ୍ରାର୍ଥୀଙ୍କୁ ସମର୍ଥନ କରିବେ ବୋଲି ସେ କହିଛନ୍ତି।

ଏହାସହ ଶ୍ରୀ ମିଶ୍ର କଟାକ୍ଷ କରି କହିଛନ୍ତି ‌ଯେ ଯଦି ମୁଖ୍ୟମନ୍ତ୍ରୀଙ୍କର ଓଡ଼ିଆ ପ୍ରୀତି ଅଛି ବୋଲି କହୁଛନ୍ତି, ତାହେଲେ ଜଣେ ଅଣଓଡ଼ିଆଙ୍କୁ କାହିଁକି ରାଜ୍ୟସଭା ପଠାଇଲେ? ରାଜ୍ୟରେ କ’ଣ ଓଡ଼ିଆ ପ୍ରାର୍ଥୀ ନଥିଲେ କି ବୋଲି ନରସିଂହ ପ୍ରଶ୍ନ କରିଛନ୍ତି।

କଂଗ୍ରେସର ଆଭିମୁଖ୍ୟ ଉପରେ କଳିଙ୍ଗ ସେନା ସୁପ୍ରିମୋ ହେମନ୍ତ ରଥ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଓଡ଼ିଶା କଂଗ୍ରେସ ଓଡ଼ିଆ ବିରୋଧୀ। କଂଗ୍ରେସର ନିଷ୍ପତ୍ତିକୁ ଆମେ ଦୃଢ଼ ନିନ୍ଦା କରୁଛୁ।

ସମ୍ବନ୍ଧିତ ଖବର