ଜୟପୁର: ଜୟପୁର ଆଂଚଳିକ ସମବାୟ ମାର୍କେଟିଂ ସୋସାଇଟି ଲିମିଟେଡ (ଜେଆରସିଏମ୍ଏସ୍ ) ଖାତା ଖତିଆନ୍ କିଛି ନଥିବା ବେଳେ ଗତ ୩ବର୍ଷ ହେବ ଅଡିଟ୍ ହୋଇନି କି ଆୟକର ବିଭାଗରେ ରିଟର୍ଣ୍ଣ ଦାଖଲ କରାଯାଇନି। ଫଳରେ ଆୟକର ବିଭାଗ ୫୪ଲକ୍ଷର ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛି ବୋଲି କହିଛନ୍ତି ପରିଚାଳନା କମିଟିର ସଭାପତି ସୁକାନ୍ତ ତ୍ରିପାଠୀ। ସାମାୟିକ ଅସ୍ବସ୍ଥି ପାଇଁ ୫ଲକ୍ଷ ଜମା କରାଯାଇଛି। କୋଟି କୋଟି ଟଙ୍କାର କାରବାର କରୁଥିବା ଏହି ସମିତିର କିଛି ଖାତା କିମ୍ବା ଖତିଆନ୍ ନଥିବାରୁ ବର୍ଷକୁ କେତେ ଟଙ୍କାର ବ୍ୟବସାୟ ହେଉଛି ତାହାର କିଛି ସ୍ପଷ୍ଟ ଚିତ୍ର ନାହିଁ ବୋଲି କହିଛନ୍ତି ସଭାପତି ଡିଆରସିଏସଙ୍କ ନିକଟରେ ଅଭିଯୋଗ ଦାଖଲ କରିଥିଲେ। ତାଙ୍କ ଅଭିଯୋଗକୁ ଭିତ୍ତି କରି ଜୟପୁର ଉପନିବନ୍ଧକ ସମବାୟ ସମିତି ସମୁହ ଭୀମସେନ ସାହୁ ତଦନ୍ତ ଆରମ୍ଭ କରିଛନ୍ତି। ଉଭୟ ସଭାପତି ଶ୍ରୀ ତ୍ରିପାଠୀ ଓ ସଂପାଦକ ପ୍ରମୋଦ ରାଉତଙ୍କୁ ପୃଥକ ପୃଥକ ଭାବେ ପଚାରା ଉଚାରା କରିଛନ୍ତି।

Advertisment

ଏହି ସଂସ୍ଥାରେ ଜଣେ ମାତ୍ର ପିଅନ୍ ସ୍ଥାୟୀ କର୍ମଚାରୀ ରହିଥିବା ବେଳେ ବଳକା ସବୁ କର୍ମଚାରୀ ଆଉଟସୋର୍ସିଂ। ସଂପାଦକ ମଧ୍ୟ ଡିଆରସିଏସ୍ କାର୍ଯ୍ୟାଳୟରେ କାମ କରିବା ସହ ଏଠାରେ ଅତିରିକ୍ତ ଦାୟିତ୍ବରେ ରହିଛନ୍ତି। ପ୍ରତ୍ୟେକ ଦିନ ଲକ୍ଷାଧିକ ଟଙ୍କାର ସାର ବିକ୍ରୀ ସହ ଅନ୍ୟାନ୍ୟ କାରାବାର କରାଯାଉଥିବା ବେଳେ ଏତେ ବଡ଼ ସଂସ୍ଥାକୁ ପରିଚାଳନା କରିବାକୁ ସ୍ଥାୟୀ କର୍ମଚାରୀ ଦେବାକୁ ସଭାପତି ଦାବି କରିଥିଲେ। ପରିଚାଳନା ବୋର୍ଡର ନିର୍ଦ୍ଦେଶକ, ସଭାପତି ଓ ଉପସଭାପତି ଆଦି ନିର୍ବାଚିତ ହେବା ପରେ ଥରକଟିଏ ବି ବୈଠକ ନହେବା ଅତ୍ୟନ୍ତ ପରିତାପର ବିଷୟ। ସଂସ୍ଥାକୁ ସଠିକ ଭାବେ କିଭଳି ପରିଚାଳନା କରି ହେବ, ନିୟମିତ ଅଡିଟ୍‌ ସହ ବାର୍ଷିକ ଆୟ ବ୍ୟୟର ଖସଡା ପ୍ରସ୍ତୁତ କରିବା ଜରୁରୀ ବୋଲି ସଭାପତି ଡିଆରସିଏସଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଖାତା ଖତିଅନ୍ ଆଦିର ସଂପୂର୍ଣ୍ଣ ଯାଞ୍ଚ କରିବା ସହ କିଭଳି ଆୟକର ବିଭାଗ ପକାଇଥିବା ଜରିମାନା ୫୪ଲକ୍ଷକୁ ନେଇ ଆଲୋଚନା କରିଥିଲେ।

ତେବେ ଡିଆରସିଏସ୍ ସଭାପତି ଓସଂପାଦକ, ଆଉଟସୋର୍ସିଂ କର୍ମଚାରୀ ଆଦିଙ୍କ ବୟାନ ନେଇଥିବା ସୂଚନା ମିଳିଛି। ସେ ଆଗାମୀ ଦିନରେ କଣ ପଦକ୍ଷେପ ନିଆଯାଉଛି ତାହା ଦେଖିବାକୁ ରହିଲା।  ନିୟମିତ ଭାବେ ଉପନିବନ୍ଧକ ସମବାୟ ସମିତି ସମୁହ ନିୟମିତ ତଦାରଖ କରୁ ନଥିବାରୁ ଏଭଳି ଅନିମିୟତତା ଗୁଡିକ ବିଭିନ୍ନ ସମବାୟ ସମିତିରେ ଦେଖିବାକୁ ମିଳୁଛି ବୋଲି କିଛି ନିର୍ଦ୍ଦେଶକ କହିଛନ୍ତି। ଜେଆରସିଏମ୍ଏସ୍ ପରି ଅନ୍ୟ ସମବାୟ ସଂସ୍ଥା ଗୁଡିକର ବି ଖାତା ଖତିୟାନର ତଦାରଖ କରିବା ନିହାତି ରୁପେ ଆବଶ୍ୟକ ବୋଲି ବୁଦ୍ଧିଜୀବୀ ଓ ସମବାୟବିତ୍‌ ମାନେ ମତ ପ୍ରକାଶ କରିଛନ୍ତି।