କରୋନା ଯୁଦ୍ଧରେ ଡିଆର୍‌ଡିଓ : ସଂକ୍ରମଣ ନିରୋଧୀ ପୋଷାକ ପ୍ରସ୍ତୁତିରେ ଲାଗିଛନ୍ତି ଶତାଧିକ ବୈଜ୍ଞାନିକ, ନିଜସ୍ବ ପ୍ରସ୍ତୁତ ସାନିଟାଇଜର୍‌ ଓ ସ୍ପ୍ରେ ମେସିନ୍‌ରେ କରୁଛନ୍ତି ବିଶୁଦ୍ଧିକରଣ

ବାଲେଶ୍ବର : କେବଳ ଡାକ୍ତର, ନର୍ସ କି ମେଡିକାଲ କର୍ମଚାରୀ ନୁହନ୍ତି, ମହାମାରୀ କରୋନା ଯୁଦ୍ଧରେ ବି ପ୍ରତ୍ୟକ୍ଷ ଭାବେ ସାମିଲ ହୋଇଛନ୍ତି ଡିଆରଡିଓ (ପ୍ରତିରକ୍ଷା ଗବେଷଣା ଉନ୍ନୟନ ସଂସ୍ଥା)ର ବୈଜ୍ଞାନିକ। ଦେଶର ଆଗଧାଡ଼ିର ଏହି ବୈଜ୍ଞାନିକମାନେ ସଂପ୍ରତି କରୋନା ବିରୋଧୀ ଲଢେଇରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି। ଡାକ୍ତର, ସ୍ବାସ୍ଥ୍ୟକର୍ମୀ ଓ ପୁଲିସ କରୋନା ସହ ସିଧାସଳଖ ଲଢ଼େଇ କରୁଥିବାବେଳେ ସେମାନଙ୍କ ପାଇଁ ବ୍ୟକ୍ତିଗତ ସୁରକ୍ଷା ଉପକରଣ (ପିପିଇ) ପ୍ରସ୍ତୁତିରେ ଅହରହ ଲାଗିଛନ୍ତି ଡିଆରଡିଓର ଶହ ଶହ ବୈଜ୍ଞାନିକ। ଖାଲି ସେତିକି ନୁହେଁ, କରୋନା ସଂକ୍ରମଣକୁ ରୋକିବା ଲାଗି ଡିଆରଡିଓ ବୈଜ୍ଞାନିକଙ୍କ ଜ୍ଞାନକୌଶଳ ଓ ପୋଷାକ ନିର୍ମାତାଙ୍କ ମିଳିତ ଉଦ୍ୟମରେ ଡାକ୍ତର, ମେଡିକାଲ କର୍ମଚାରୀଙ୍କ ପାଇଁ ନିର୍ମିତ ହୋଇଛି ସ୍ବତନ୍ତ୍ର ପୋଷାକ (ବାଇଓ ସୁଟ୍)। ଏବେ ଗୋଆଲିୟର ୟୁନିଟ୍‌ରୁ ପ୍ରାଥମିକ ଭାବେ ଦିନକୁ ୭ ହଜାର ସୁଟ୍ ପ୍ରସ୍ତୁତ ହେଉଥିବା ବେଳେ ଏହାକୁ ୧୫ ହଜାରକୁ ବୃଦ୍ଧି କରିବା ଲାଗି ଡିଆରଡିଓର ବୈଜ୍ଞାନିକମାନେ ଦିନରାତି ଏକ କରି ଦେଇଛନ୍ତି। ପୋଷାକ ଯୋଡ଼େଇରେ ଲାଗୁଥିବା ସ୍ବତନ୍ତ୍ର ଅଠା ଓ ଟେପ୍ ପର୍ଯ୍ୟାପ୍ତ ପରିମାଣରେ ମିଳୁ ନ ଥିବାରୁ କାମ ଡେରି ହେଉଥିଲା। ତେବେ ଡିଆରଡିଓର ବୈଜ୍ଞାନିକମାନେ ଏ ସମସ୍ୟାର ସମାଧାନ କରିଛନ୍ତି। ସବମେରାଇନ୍‌ ସୈନିକଙ୍କ ପୋଷାକ ପ୍ରସ୍ତୁତିରେ ଲାଗୁଥିବା ଅଠା ଟେପ୍ ଭଳି ଏକ ସ୍ବତନ୍ତ୍ର ଅଠା ଟେପ୍ ପ୍ରସ୍ତୁତ କରିଛନ୍ତି। ପୂର୍ବରୁ ଗୋଆଲିୟରରେ ଥିବା ଡିଆରଡିଓର ସହଯୋଗୀ ସଂସ୍ଥା ଡିଆରଡିଇର ବୈଜ୍ଞାନିକମାନେ ରାସାୟନିକ ବିକିରଣ ନିରୋଧୀ, ତେଜଷ୍କ୍ରିୟ ରଶ୍ମି ବିକିରଣ ନିରୋଧୀ, ଆଣବିକ ବିକିରଣ ନିରୋଧୀ ଓ ଜୈବିକ ଅସ୍ତ୍ର ବିରୋଧୀ ପୋଷାକ ପ୍ରସ୍ତୁତ କରିଛନ୍ତି। ଏହି ପୋଷାକକୁ ଭାରତୀୟ ସେନା ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳର ଯବାନମାନେ ବ୍ୟବହାର କରୁଛନ୍ତି।

କରୋନା ମୁକାବିଲା କ୍ଷେତ୍ରରେ ବାଲେଶ୍ବର ଚାନ୍ଦିପୁରସ୍ଥିତ ଆଇଟିଆରର ବୈଜ୍ଞାନିକମାନେ ମଧ୍ୟ ପଛରେ ନାହାନ୍ତି। ସଂପ୍ରତି ବଜାରରେ ସାନିଟାଇଜରର ଘୋର ଅଭାବ ଥିବା ବେଳେ ଚାନ୍ଦିପୁର ଆଇଟିଆରର ବୈଜ୍ଞାନିକମାନେ ଡବ୍ଲୁଏଚ୍‌ଓର ନିର୍ଦ୍ଦେଶାବଳୀ ଅନୁସାରେ ସାନିଟାଇଜର ପ୍ରସ୍ତୁତ କରିଛନ୍ତି। ନିଜସ୍ବ ପ୍ରସ୍ତୁତ ସାନିଟାଇଜର ଓ ସ୍ପ୍ରେ ମେସିନ୍‌ରେ ଚାନ୍ଦିପୁର ଆଇଟିଆର ପରିସର ସମେତ, ବାଲେଶ୍ବରରେ ଥିବା ବିଭିନ୍ନ ସରକାରୀ, ବେସରକାରୀ ସଂସ୍ଥାର କାର୍ଯ୍ୟାଳୟ ଓ ଆବାସିକ ଅଞ୍ଚଳଗୁଡ଼ିକୁ ସଂକ୍ରମଣମୁକ୍ତ କରାଯାଉଛି। ଏହା ସହିତ ଏଠାରେ କାମ କରୁଥିବା ବୈଜ୍ଞାନିକମାନଙ୍କ ସୁରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଗବେଷଣାଗାର ପାଇଁ ଆବଶ୍ୟକ ସମସ୍ତ ଜରୁରୀ ଆଲୋଚନା ଭିଡିଓ କନଫରେନସିଂ ଜରିଆରେ ହେଉଛି। ବୈଜ୍ଞାନିକ, ଇଞ୍ଜିନିୟର, ପ୍ରତିରକ୍ଷା କର୍ମଚାରୀ ଓ ଅଗ୍ନିଶମ କର୍ମଚାରୀମାନଙ୍କୁ ନେଇ ଏକ ବିପର୍ଯ୍ୟୟ ପରିଚାଳନା ଟିମ୍‌ ଗଠନ କରାଯାଇଛି। ଗତ ୬ ତାରିଖରେ ଆଇଟିଆରର ସ୍ବତନ୍ତ୍ର ଟିମ୍ ଦ୍ବାରା ବାଲେଶ୍ବର ସହରର ଷ୍ଟେସନ ଛକ, ଫାଣ୍ଡି ଛକ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଡିଆରଡିଏ କାର୍ଯ୍ୟାଳୟ, ହସ୍‌ପିଟାଲ, ସହଦେବଖୁଣ୍ଟା ଥାନା, ଆଇଟିଆର ଲ୍ୟାବ୍‌, ପ୍ରତିରକ୍ଷା କଲୋନି ଏବଂ ପ୍ରୁଫ୍‌ ପାର୍କ ପରିସରରେ ବିଶୋଧକ ସିଞ୍ଚନ କରାଯାଇଛି। ‌ଚାନ୍ଦିପୁର ଆଇଟିଆର ପରିସରରେ ୧୪୦ ବୈଜ୍ଞାନିକଙ୍କ ସମେତ ଅନ୍ୟାନ୍ୟ ବିଭାଗ ଓ ସମସ୍ତଙ୍କ ପରିବାରକୁ ମିଶାଇଲେ ୨ ହଜାରରୁ ଅଧିକ ପରିବାର ଅଛନ୍ତି। ଏହି ପରିବାରର ସଦସ୍ୟମାନେ ମଧ୍ୟ କରୋନା ବିରୋଧୀ ଯୁଦ୍ଧରେ ସାମିଲ ହୋଇ ସାମାଜିକ ଦୂରତ୍ବ ନିୟମକୁ କଡ଼ାକଡ଼ି ପାଳନ କରୁଛନ୍ତି। ବାଲେଶ୍ବର ସହରରେ ଆଇଟିଆରର ‌ବହୁ ବୈଜ୍ଞାନିକମାନେ ରହୁଥିବାରୁ ସେଣ୍ଟ୍ରାଲ ସ୍କୁଲ ଛକସ୍ଥିତ ପ୍ରତିରକ୍ଷା ବିଭାଗ କଲୋନି ପରିସରରେ ଆଇଟିଆରର ଏକ ସ୍ୟାଡୋ ଲ୍ୟାବ୍‌ କରାଯାଇଛି।

ଖାଲି କ୍ଷେପଣାସ୍ତ୍ର କି ଯୁଦ୍ଧାସ୍ତ୍ର ନୁହେଁ, ସ୍ବାସ୍ଥ୍ୟ ସମ୍ପର୍କିତ ଲଢ଼େଇରେ ବି ଆମେ ଦେଶବାସୀଙ୍କ ସହିତ ରହିଛୁ। ଦେଶର ଏହି ଘଡ଼ିସନ୍ଧି ସମୟରେ ଡିଆରଡିଓ ସମସ୍ତ ବୈଜ୍ଞାନିକ ଆପାତକାଳୀନ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି ଚାନ୍ଦିପୁର ଆଇଟିଆର୍‌ର ନିର୍ଦ୍ଦେଶକ ଡକ୍ଟର ବିନୟ କୁମାର ଦାସ।

ସମ୍ବନ୍ଧିତ ଖବର