ଡିଆର୍‌ଡିଓ ତଥ୍ୟ ଲିକ୍‌ ମାମଲା: ବସ୍ତିକୁ ଯାଇଛି ପାକିସ୍ତାନ ଟଙ୍କା!

ସ୍କାନରରେ ୪ ବାଂଲାଦେଶୀ ଶରଣାର୍ଥୀ

ବୈଜ୍ଞାନିକଙ୍କ କଥାବାର୍ତ୍ତା ରେକର୍ଡିଂ ସନ୍ଦେହ
ଅଭିଯୁକ୍ତଙ୍କ ସାତଦିନିଆ ରିମାଣ୍ଡ ଆବେଦନ
ମୁଖ୍ୟ ସୁରକ୍ଷା ଅଧିକାରୀଙ୍କୁ ଜେରା

କଟକ/ବାଲେଶ୍ୱର/ଚାନ୍ଦିପୁର : ବାଲେଶ୍ବର ଚାନ୍ଦିପୁରରେ ରହୁଥିବା ବାଂଲାଦେଶୀ ଶରଣାର୍ଥୀଙ୍କ ବସ୍ତିରେ ପହଞ୍ଚିଛି କ୍ରାଇମବ୍ରାଞ୍ଚ। ବସ୍ତିର ପ୍ରାୟ ୪ ଜଣ ବାଂଲାଦେଶୀ ଶରଣାର୍ଥୀଙ୍କୁ କ୍ରାଇମବ୍ରାଞ୍ଚ ଉଠାଇ ନେଇଥିବା କୁହାଯାଉଛି। ଏମାନଙ୍କ ବ୍ୟାଙ୍କ୍ ଆକାଉଣ୍ଟରେ ଉତ୍ତରପ୍ରଦେଶର ହ୍ୟାଣ୍ଡଲର ମାଧ୍ୟମରେ ଆଇଟିଆରର କର୍ମଚାରୀଙ୍କ ପାଇଁ ପାକିସ୍ତାନରୁ ଟଙ୍କା ଆସିଛି। ଆତଙ୍କବାଦୀଙ୍କ ପାଇଁ ବାଂଲାଦେଶୀଙ୍କ ବ୍ୟାଙ୍କ ଆକାଉଣ୍ଟ ଭଡ଼ାରେ ଲାଗିଥିବା ସନ୍ଦେହ କରାଯାଉଛି। ଗୋପନୀୟ ଭାବେ ଏହି ବାଂଲାଦେଶୀ ଶରଣାର୍ଥୀଙ୍କୁ କ୍ରାଇମବ୍ରାଞ୍ଚ ଜେରା କରିଛି। ଅନ୍ୟପଟେ ବର୍ତ୍ତମାନ ସୁଦ୍ଧା ଗିରଫ ୫ ଜଣଙ୍କୁ ରିମାଣ୍ଡରେ ଆଣିବା ପାଇଁ କ୍ରାଇମବ୍ରାଞ୍ଚ ଆଜି ୭ ଦିନିଆ ରିମାଣ୍ଡ ଆବେଦନ କରିଛି। ରିମାଣ୍ଡରେ ଆସିଲେ ଅନେକ ଗୋପନୀୟ ତଥ୍ୟ ସାମ୍‌ନାକୁ ଆସିବା ନେଇ ସୂଚନା ମିଳିଛି।

ସୂଚନା ଅନୁସାରେ, ୧୩ ତାରିଖରେ ଗିରଫ ହୋଇଥିବା ଚାନ୍ଦିପୁର ଆଇଟିଆରର ଠିକା ଏସି ଅପରେଟର୍ ବସନ୍ତ ବେହେରା, ସେକ୍ ମୁସାଫିର୍, ମୁଖ୍ୟ ଫାଟକର ସୁରକ୍ଷାକର୍ମୀ ତାପସ ରଞ୍ଜନ ନାୟକ, ଡିଜି ଅପରେଟର୍ ହେମନ୍ତ କୁମାର ମିସ୍ତ୍ରି ଏବଂ ୧୬ ତାରିଖରେ ଗିରଫ ହୋଇଥିବା ଆଇଟିଆରର ଗାଡ଼ି ଡ୍ରାଇଭର୍ ଉତ୍ତରପ୍ରଦେଶର ସଚିନ୍ କୁମାର ଛେତାଙ୍କୁ କ୍ରାଇମବ୍ରାଞ୍ଚ ଏକକାଳୀନ ରିମାଣ୍ଡରେ ଆଣିବାକୁ ଯୋଜନା କରିଛି। ଆଜି କ୍ରାଇମବ୍ରାଞ୍ଚ ଏସ୍‌ଆଇଟି ବାଲେଶ୍ବର ଏସ୍‌ଡିଜେଏମଙ୍କ ଅଦାଲତରେ ୭ଦିନିଆ ରିମାଣ୍ଡ ଆବେଦନ କରିଥିବାବେଳେ ଆସନ୍ତାକାଲି ରିମାଣ୍ଡ ମିଳିବା ନେଇ ଅନୁମାନ କରାଯାଉଛି।

ରିମାଣ୍ଡ ଆବେଦନ ପରେ ମୁଖ୍ୟତଃ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ନିକଟରୁ ଆସୁଥିବା ଟଙ୍କା, ଉତ୍ତରପ୍ରଦେଶର ହ୍ୟାଣ୍ଡଲରର୍‌ ଓ ବାଲେଶ୍ବରର ସ୍ଲିପର୍ ସେଲ୍ ସମ୍ପର୍କରେ ଖୋଳତାଡ଼ କରାଯିବାକୁ ଯୋଜନା କରାଯାଉଛି। ଗିରଫ ୫ ଜଣଙ୍କ ଦରମା ଟଙ୍କା ଆସୁଥିବା ବ୍ୟାଙ୍କ୍ ଆକାଉଣ୍ଟ କ୍ରାଇମବ୍ରାଞ୍ଚ ଜବତ କରିଥିବାବେଳେ ଏହି ଆକାଉଣ୍ଟରେ ଟଙ୍କା କାରବାର ହୋଇ ନଥିବା କୁହାଯାଉଛି। ସେମାନେ ଟଙ୍କା କାରବାର ପାଇଁ ବାହାର ଲୋକଙ୍କ ଆକାଉଣ୍ଟ ବ୍ୟବହାର କରିଛନ୍ତି। ଚାନ୍ଦିପୁରରେ ବେଆଇନ ଭାବେ ରହୁଥିବା ବାଂଲାଦେଶୀ ଶରଣାର୍ଥୀଙ୍କ ବ୍ୟାଙ୍କ୍ ଆକାଉଣ୍ଟ ବ୍ୟବହାର ହୋଇଥିବା ସୁରାଗ୍ ମିଳିବା ପରେ ଶରାଣାର୍ଥୀଙ୍କୁ ଟେକି ନେଇ ଜେରା କରାଯାଉଛି।

ଅନ୍ୟପଟେ ସଚିନ୍ ଆଇଟିଆରର ସ୍ଥାୟୀ କର୍ମଚାରୀ ହୋଇଥିବାବେଳେ ଆଇଟିଆର୍ କ୍ୟାମ୍ପସ୍ ଭିତରେ କ୍ବାର୍ଟର ନେଇ ରହୁଥିଲା। ତେବେ ସେ ବିଭିନ୍ନ ସମୟରେ ବରିଷ୍ଠ ଅଧିକାରୀଙ୍କ ଗାଡ଼ି ଚଲାଇବା ସହିତ ସେମାନଙ୍କୁ ନେବା ଆଣିବା ବି କରିଛି। ଏହିସମୟରେ ବରିଷ୍ଠ ଅଧିକାରୀମାନେ ମୋବାଇଲରେ କଥାବାର୍ତ୍ତା ହେଉଥିବାର ଅଡ଼ିଓ ରେକର୍ଡ କରି ସଚିନ୍ ପାକିସ୍ତାନ ପଠାଇଥିବା ସନ୍ଦେହ କରାଯାଉଛି। ଏବେ ସଚିନର ମୋବାଇଲ୍ ଯାଞ୍ଚ କରୁଛି କ୍ରାଇମବ୍ରାଞ୍ଚ। ହ୍ୟାଣ୍ଡଲର୍ ଉତ୍ତରପ୍ରଦେଶରୁ ଅପରେଟ୍ କରୁଥିବାରୁ ସଚିନ ଘର ଉତ୍ତରପ୍ରଦେଶ ହୋଇଥିବାରୁ ହ୍ୟାଣ୍ଡଲର ସହିତ ସେ ଘନିଷ୍ଠ ଥିବା ସନ୍ଦେହ ହେଉଛି। ରିମାଣ୍ଡ ଶେଷ ପରେ କ୍ରାଇମବ୍ରାଞ୍ଚର ଏକ ଟିମ୍ ଉତ୍ତରପ୍ରଦେଶ ଯିବାକୁ ଯୋଜନା କରୁଛି। ଅନ୍ୟ ଚାରି ଠିକା କର୍ମଚାରୀ ଆଇଟିଆରରେ ପାଖାପାଖି ୧୫ରୁ ୨୦ ବର୍ଷ ହେବ କାମ କରୁଥିବାରୁ ଆଇଟିଆରର ସମସ୍ତ ଅବସ୍ଥିତି ସମ୍ପର୍କରେ ଦଖଲ ରହିଛି। କେଉଁ ସମୟରେ ଆଇଟିଆରରୁ କ୍ଷେପଣାସ୍ତ୍ର ଛଡ଼ାହେଲା, କେତେ ଦୂର ଭେଦ କଲା ଏବଂ କେଉଁଠି କ୍ଷେପଣାସ୍ତ୍ର ଲଞ୍ଚ୍‌ ହେଉଛି, ସେ ସମ୍ପର୍କିତ ତଥ୍ୟ ଏହି ଚାରି ଜଣ ମୋବାଇଲରେ ପଠାଇଛନ୍ତି। କିନ୍ତୁ କ୍ଷେପଣାସ୍ତ୍ରର ଯାନ୍ତ୍ରୀକ କୌଶଳ ସମ୍ପର୍କରେ ତଥ୍ୟ ଲିକ୍ ପଛରେ କେହି ବଡ଼ ମୁଣ୍ଡ ଥିବା ବି ଅନୁମାନ କରାଯାଉଛି। କ୍ରାଇମବ୍ରାଞ୍ଚ ଏବେ ସେହି ବଡ଼ ମୁଣ୍ଡ ସନ୍ଧାନରେ ରହିଥିବା ଜଣାପଡ଼ିଛି।

Business Today

ଅନ୍ୟପକ୍ଷରେ, ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ର (ଆଇଟିଆର୍‌)ରୁ ଗୁପ୍ତ ତଥ୍ୟ ଲିକ୍ ମାମଲାର ତଦନ୍ତ ପାଇଁ ଶୁକ୍ରବାର ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ଓ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଆଇଟି ଟିମ୍‌ ତନାଘନା କରିଛନ୍ତି। ଏହି ଘଟଣାରେ ଆଇଟିଆର୍‌ର ୪ ଠିକା କର୍ମଚାରୀ ଏବଂ ଜଣେ ସ୍ଥାୟୀ କର୍ମଚାରୀଙ୍କ ବ୍ୟତୀତ ଆଉ କେଉଁମାନେ ସଂପୃକ୍ତ ଅଛନ୍ତି ସେ ନେଇ ଦୁଇ ତଦନ୍ତକାରୀ ସଂସ୍ଥା ଖୋଳତାଡ଼ ଚଳାଇଛନ୍ତି।

ଶୁକ୍ରବାର ମଧ୍ୟାହ୍ନରେ କ୍ରାଇମବ୍ରାଞ୍ଚ୍‌ ଏସ୍‌ଆଇଟି ଟିମ୍‌ ଆଇଟିଆର୍‌ର ମୁଖ୍ୟ ସୁରକ୍ଷା ଅଧିକାରୀ (ସିଏସ୍‌ଓ) ଅନୁରାଗ ସେନ୍‌ଙ୍କୁ ପୂର୍ବାଞ୍ଚଳ ପୁଲିସ ଆଇଜି କାର୍ଯ୍ୟାଳୟକୁ ଡାକି ସେଠାରେ ୨ ଘଣ୍ଟାରୁ ଅଧିକ ସମୟ ଧରି ଜେରା କରିଥିଲା। ଆଇଟିଆର୍‌ର ସୁରକ୍ଷା ବ୍ୟବସ୍ଥା, ତଥ୍ୟ ପ୍ରଘଟ ମାମଲାରେ ଗିରଫ ୪ ଠିକା କର୍ମଚାରୀ ଓ ଜଣେ ସ୍ଥାୟୀ କର୍ମଚାରୀ କେବେଠାରୁ ନିଯୁକ୍ତି ପାଇଥିଲେ, କେତେଯାଏ ସେମାନଙ୍କର ଚାକିରି ଅବଧି ରହିଥିଲା, ନିଯୁକ୍ତି ସମୟରେ ସେମାନଙ୍କ ବାବଦରେ ଆଇଟିଆର୍‌ କର୍ତ୍ତୃପକ୍ଷ କଣ ସବୁ ତଥ୍ୟ ସଂଗ୍ରହ କରିଥିଲେ, ପ୍ରତିରକ୍ଷା ବିଭାଗ ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗରେ କାହିଁକି ଠିକା କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଉଛି, କଡ଼ା ସୁରକ୍ଷା ବଳୟ ସତ୍ତ୍ବେ ବିଦେଶୀ ଲିଙ୍କ୍‌ ନେଟୱର୍କ ସମ୍ପର୍କରେ ଆଇଟିଆର୍‌ କର୍ତ୍ତୃପକ୍ଷ କେମିତି ଜାଣିପାରୁନାହାନ୍ତି…ଏମିତି ଅନେକ ପ୍ରଶ୍ନ ଏସ୍‌ଆଇଟି ପଚାରି ବୁଝିବା ସହ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସଂଗ୍ରହ କରିଥିବା ଜଣାପଡ଼ିଛି।

ଜେରା ପରେ ସିଏସ୍‌ଓ ଶ୍ରୀ ସେନ୍‌ ବାହାରକୁ ଆସିଥିବାବେଳେ ଗଣମାଧ୍ୟମ ଆଗରେ କିଛି ପ୍ରତିକ୍ରିୟା ନରଖି ଚାଲିଯାଇଥିଲେ।

ସେପଟେ କୋଲ୍‌କାତାରୁ ଆସିଥିବା ଏନ୍‌ଆଇଏର ୨ ଜଣିଆ ଟିମ୍‌ ଆଜି ସକାଳେ ଚାନ୍ଦିପୁର ଆଇଟିଆର୍‌ ପରିସରକୁ ଯାଇ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବା ସହ ଘଟଣା ବାବଦରେ ତଥ୍ୟ ସଂଗ୍ରହ କରିଥିଲେ। ପରେ ଏହି ଟିମ୍‌ ବାଲେଶ୍ବର ଏସ୍‌ପିଙ୍କୁ ‌ଭେଟିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର