ଭୁବନେଶ୍ୱର: ବଡ଼ ହେବା ପାଇଁ ବଡ଼ ସ୍ବପ୍ନ ଦେଖ। ତୁମମାନଙ୍କ ସ୍ବପ୍ନର କାନ୍‌ଭାସ ଯେତେ ବଡ଼ ରହିବ, ଚିତ୍ରର ଆକାର ମଧ୍ୟ ସେତେ ବଡ଼ ହେବ। କେବଳ ଯେ ସ୍ବପ୍ନ ଦେଖିଲେ ହେବ ନାହିଁ, କଠୋର ପରିଶ୍ରମ ମଧ୍ୟ କରିବାକୁ ପଡ଼ିବ। ତା’ହେଲେ ଯାଇ ତୁମେ ନିଜ ନିଜ କ୍ଷେତ୍ରରେ ସଫଳତା ପାଇବ। ମହିଳା ଓ ଶିଶୁ ବିକାଶ  ବିଭାଗ ଅଧୀନ ରାଜ୍ୟ ଶିଶୁ ସୁରକ୍ଷା ସମିତି ପକ୍ଷରୁ କଳିଙ୍ଗ ଷ୍ଟାଡିୟମ୍‌ଠାରେ ଆଜିଠାରୁ ଆରମ୍ଭ ହୋଇଥିବା ଦୁଇଦିନିଆ ରାଜ୍ୟସ୍ତରୀୟ କ୍ରୀଡ଼ା ମହୋତ୍ସବ ‘ଉତ୍ସାହ’କୁ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପିଲାମାନଙ୍କୁ ଏହା କହିଛନ୍ତି।

Advertisment

ରାଜ୍ୟସ୍ତରୀୟ କ୍ରୀଡ଼ା ମହୋତ୍ସବ ‘ଉତ୍ସାହ’ ଉଦ୍‌ଘାଟିତ

ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆହୁରି କହିଲେ ତୁମମାନଙ୍କ ପ୍ରତିଭା ଓ ସୃଜନଶୀଳତାର ସଠିକ୍ ଉପଯୋଗ କର। ଆମ ଦେଶର ପ୍ରତ୍ୟେକ ପିଲାଙ୍କ ମଧ୍ୟରେ ରହିଛି ଏକଲବ୍ୟଙ୍କ କୌଶଳ, ଅଭିମନ୍ୟୁଙ୍କ ଦୁଃସାହସ, ପ୍ରହଲ୍ଲାଦଙ୍କ ଭକ୍ତି ଓ ଅଷ୍ଟବକ୍ରଙ୍କ ପାଣ୍ଡିତ୍ୟ ଭରି ରହିଛି। ଅଲମ୍ପିକ୍ ବିଜେତା ନିରୋଜ ଚୋପ୍ରାଙ୍କ ଠାରୁ ଆରମ୍ଭ କରି କିମ୍ବଦନ୍ତୀ କ୍ରିକେଟ ତାରକା ସଚିନ ତେନ୍ଦୁଲକରଙ୍କ ପର୍ଯ୍ୟନ୍ତ, କଠିନ ପରିଶ୍ରମ ଓ ସେମାନଙ୍କ ସଫଳତା ଗୋଟିଏ ଗୋଟିଏ ଉଦାହରଣ। କ୍ରୀଡ଼ାର ବିକାଶ ପାଇଁ କେବଳ ଅର୍ଥର ବ୍ୟବସ୍ଥା ଯଥେଷ୍ଟ ନୁହେଁ, ଏଥିପାଇଁ ଆନ୍ତରିକତାର ଆବଶ୍ୟକତା ରହିଛି। କଳିଙ୍ଗ ଷ୍ଟାଡିୟମ ସହ ବିଭିନ୍ନ ଜିଲ୍ଲାରେ ସ୍ପୋର୍ଟସ୍‌ ହଷ୍ଟେଲ୍ ଜରିଆରେ ଗ୍ରାମାଞ୍ଚଳ ପ୍ରତିଭାଙ୍କର ପାଠାପଢ଼‌ା ସହ କ୍ରୀଡ଼ାର ବିକାଶ କରାଯାଉଛି। ଆମ ରାଜ୍ୟର ବହୁ ଅନ୍ତର୍ଜାତୀୟ କ୍ରୀଡାବିତ୍ ସ୍ପୋର୍ଟସ ହଷ୍ଟେଲରେ ଅନ୍ତେବାସୀ ଭାବେ ରହି ତାଙ୍କ କ୍ୟାରିଅର ଗଢ଼ିଛନ୍ତି। ତେଣୁ ତୁମେମାନେ ଗଭୀର ଆତ୍ମବିଶ୍ବାସର ସହ ଆଗକୁ ବଢ଼। ଯାହାର ଯେଉଁ କ୍ଷେତ୍ର ପ୍ରତି ଆଗ୍ରହ ରହିଛି ସେଥିରେ ଆତ୍ମବିଶ୍ବାସର ସହ ମନୋନିବେଶ କର। ତୁମମାନଙ୍କୁ ନେଇ ଆମେ ଓଡ଼ିଶାକୁ କ୍ରୀଡ଼ାର ପାୱାର ହାଉସ୍‌ କରିବାକୁ ଲକ୍ଷ୍ୟ ରଖିଛୁ ବୋଲି ସେ ମତବ୍ୟକ୍ତ କରିଥିଲେ।

ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଅନ୍ୟତମ ଅତିଥି ଭାବେ ଯୋଗଦେଇ ରାଜ୍ୟର ଶିଶୁ ଯତ୍ନ କେନ୍ଦ୍ରରେ ରହୁଥିବା ପିଲାମାନଙ୍କ ମୁଣ୍ଡ ଉପରେ ରାଜ୍ୟ ସରକାରଙ୍କ ହାତ ସବୁବେଳେ ରହିଛି ବୋଲି ମତବ୍ୟକ୍ତ କରିଥିଲେ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବିନାରାୟଣ ନାଏକ, କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଢେଙ୍କାନାଳଗଞ୍ଜାମ ଜିଲ୍ଲା ଶିଶୁଯତ୍ନ କେନ୍ଦ୍ରର ପିଲାମାନଙ୍କ ମଧ୍ୟରେ ଏକ ଫୁଟବଲ ମ୍ୟାଚ୍‌କୁ ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଥିଲେ। ଏହି ଉତ୍ସବରେ ରାଜ୍ୟର ବିଭିନ୍ନ ଜିଲ୍ଲାର ୧୬୫ଟି ଶିଶୁ ଯତ୍ନ କେନ୍ଦ୍ରର ପ୍ରାୟ ୫୮୦ ପିଲା ଯୋଗଦେଇଛନ୍ତି।