କଟକ: ଟ୍ରେଡିଂରେ ନିବେଶ କରି କୋଟିପତି ହେବାର ସ୍ବପ୍ନ ଦେଖିଥିବା ଭୁବନେଶ୍ବରର ଜଣେ ବ୍ୟକ୍ତି ଫସିଯାଇଛନ୍ତି। ସାଇବର୍ ଠକ ତାଙ୍କ ନିକଟରୁ ନିବେଶ ନାଁରେ ଦେଢ଼ କୋଟି ଟଙ୍କା ଲୁଟିନେଇଛନ୍ତି। ଏହି ଘଟଣାରେ କ୍ରାଇମବ୍ରାଞ୍ଚ ଟିମ୍‌ ଭୋପାଳ ଜାହାଙ୍ଗିରବାଦର ତୟବ ଖାଁ (୨୩) ଓ ଫିରୋଜ ଖାଁ (୩୬)ଙ୍କୁ ଗିରଫ କରିଛି। ଉଭୟଙ୍କୁ ରତଲାମ ଓ ଭୋପାଳ କୋର୍ଟରେ ହାଜର କରିବା ପରେ ଟ୍ରାନଜିଟ୍ ରିମାଣ୍ଡରେ ଓଡ଼ିଶା ଆଣି ତଦନ୍ତ ଜାରି ରଖିଛି। 

Advertisment

ସୂଚନା ଅନୁଯାୟୀ, ୨୦୨୫ ଜାନୁଆରି ୧ରେ ଭୁବନେଶ୍ବରରେ ରହୁଥିବା ଜଣେ ବ୍ୟକ୍ତି ଏକ ଅଜଣା ନିବେଶକ ଗୋଷ୍ଠୀ ସମ୍ପର୍କରେ ଆସିଥିଲେ। ପରବର୍ତ୍ତୀ ସମୟରେ ତାଙ୍କୁ ଆଇପିଓ ଓ ଓଟିସିରେ ନିବେଶ କରାଇବା ନାଁରେ ୧ କୋଟି ୫୦ ଲକ୍ଷ ଟଙ୍କା ନେଇଥିଲେ ଏହି ନିବେଶକ ଗୋଷ୍ଠୀ। ନିବେଶ ଆରମ୍ଭରୁ କ୍ଷତି ହୋଇଥିଲା। ଏହା ସତ୍ତ୍ବେ ନିବେଶକ ଗୋଷ୍ଠୀ ଅଧିକ ଟଙ୍କା ନିବେଶ କରିବାକୁ ପ୍ରବର୍ତ୍ତାଇଥିଲେ। ଭୁବନେଶ୍ବରର ବ୍ୟକ୍ତି ଜଣକ ଯେତେବେଳେ ଟଙ୍କା ଉଠାଇବାକୁ ଉଦ୍ୟମ କଲେ ସଫଳ ହୋଇନଥିଲେ। ସାଇବର୍ ଠକଙ୍କ ଜାଲରେ ସେ ପଡ଼ିଯାଇଥିବା ସନ୍ଦେହ କରି ଗତ ଜାନୁଆରି ୨୯ ତାରିଖରେ କ୍ରାଇମବ୍ରାଞ୍ଚରେ ଅଭିଯୋଗ କରିଥିଲେ। କ୍ରାଇମବ୍ରାଞ୍ଚ ଏ ନେଇ ସାଇବର୍ ଥାନାରେ ଏକ ମାମଲା ରୁଜୁ କରିବା ସହିତ ଡିଏସ୍‌ପି ଦୀପ୍ତିମୟି ମଲ୍ଲିକ ଘଟଣାର ତଦନ୍ତ ଦାୟିତ୍ବ ନେଇଥିଲେ।

ମଧ୍ୟପ୍ରଦେଶର ଭୋପାଳ ଓ ରତଲାମକୁ ଏହି ଟଙ୍କା ଯାଇଥିବା ତଦନ୍ତ ସମୟରେ ଜଣାପଡ଼ିଥିଲା। ଯେଉଁ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି ଉକ୍ତ ଆକାଉଣ୍ଟ ଯାଞ୍ଚ ସମୟରେ ସାଇବର୍ ଠକ ଗ୍ୟାଙ୍ଗର ତୟବ ଓ ଫିରୋଜଙ୍କୁ ଠାବ କରାଯାଇଥିଲା। ସେମାନଙ୍କ ନିକଟରୁ ମୋବାଇଲ୍ ଫୋନ୍, ସିମ୍ କାର୍ଡ, ଆଧାର କାର୍ଡ, ପାନ୍‌ କାର୍ଡ ଆଦି ଜବତ ହୋଇଛି। ଏହା ସହିତ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ କରାଯାଇଛି। ଏହି ଠକେଇ କାରବାର ପଛରେ ଆଉ ଏକ ବଡ଼ ଗ୍ୟାଙ୍ଗ ଥିବା ତଦନ୍ତରୁ ସ୍ପଷ୍ଟ ହୋଇଥିବାରୁ ଭୋପାଳରେ କ୍ରାଇମବ୍ରାଞ୍ଚର ଆଉ ଏକ ଟିମ୍ ଚଢ଼ଉ ଜାରି ରଖିଛି।