ବାଲେଶ୍ବର: ନୂଆ କାର୍‌ କିଣିବାର ସ୍ବପ୍ନ ମାତ୍ର କେଇ ମିନିଟରେ ଚୂର୍‌ମାର୍‌ ହୋଇଗଲା। ରବିବାର ଅପରାହ୍ନରେ ବାଲେଶ୍ବର ସହର ଉପକଣ୍ଠ ୧୬ ନମ୍ବର ଜାତୀୟ ରାଜପଥର କୁରୁଡ଼ା ଓଭରବ୍ରିଜ୍‌ ଉପରେ ଘଟିଥିବା ଏହି ଦୁର୍ଘଟଣା ହିଁ ସେମାନଙ୍କ ସ୍ବପ୍ନ ଛଡ଼ାଇନେଇଛି। ଏହି ଦୁର୍ଘଟଣାରେ ୨ଜଣ ସାଙ୍ଗଙ୍କ ଜୀବନ ଚାଲିଯାଇଛି। ସେମାନେ ହେଲେ, ସୋର ପୌରାଞ୍ଚଳରେ ରହୁଥିବା ନୀଳଗିରି ବାଙ୍କିପଦା ଗ୍ରାମର ମାୟାଧର ରାଜ୍‌ ଓ ଔପଦା ଅଞ୍ଚଳର ଶ୍ରୀକାନ୍ତ ପଣ୍ଡା।
ସୂଚନା ଅନୁସାରେ, ମାୟାଧର ରେଳବାଇର ଜଣେ କର୍ମଚାରୀ ହୋଇଥିବା ବେଳେ ଶ୍ରୀକାନ୍ତ ଜଣେ ଜମି ବ୍ୟବସାୟୀ। ଦୁର୍ଘଟଣାଗ୍ରସ୍ତ କାର୍‌ ମାରୁତି ‘ସୁଇଫଟ୍‌ ଡିଜାୟାର’ର (ଓଡି୦୧ଏକ୍ସ-୦୨୪୧) ମାଲିକ ହେଉଛନ୍ତି ସୋର ଅଞ୍ଚଳର ଦୀପକ ପ୍ରଧାନ। ମାୟାଧର, ଶ୍ରୀକାନ୍ତ ଓ ଦୀପକ ତିନିଜଣ ଉତ୍ତମ ବନ୍ଧୁ। ଦୀପକ ତାଙ୍କର ପୁରୁଣା କାର୍‌କୁ ବଦଳାଇ ଏକ ନୂଆ କାର୍‌ ନେବାକୁ ଚାହୁଁଥିଲେ।

Advertisment

ଆଜି ଦ୍ବିପ୍ରହର ସମୟରେ ଦୀପକଙ୍କ କାର୍‌ରେ ସାଙ୍ଗ ମାୟାଧରଙ୍କୁ ବସାଇ ସୋରରୁ ବାଲେଶ୍ବର ବାମପଦାସ୍ଥିତ ହୁଣ୍ଡାଇ କାର୍‌ ସୋ’ରୁମ୍ ଅଭିମୁଖେ ଗାଡ଼ି ଚଳାଇ ବାହାରିଥିଲେ ଶ୍ରୀକାନ୍ତ। ତାଙ୍କ ପଛରେ ଅନ୍ୟ ଏକ କାରରେ ଆସୁଥିଲେ ଗାଡ଼ି ମାଲିକ ଦୀପକ। ସେଠାରେ ୩ ଜଣ ଯାକ ପହଞ୍ଚିବା ପରେ ପୁରୁଣା କାର୍‌ ଏକ୍ସଚେଞ୍ଜ କରି ଆଉ ଏକ ନୂଆ କାର୍‌ ନେଇଥା’ନ୍ତେ। ତେବେ ହୁଣ୍ଡାଇ ସୋ’ ରୁମରେ ପହଞ୍ଚିବାକୁ ଆଉ ମାତ୍ର ୩ କିଲୋମିଟର ବାକିଥିବା ବେଳେ କୁରୁଡ଼ା ଓଭରବ୍ରିଜ୍‌ ଉପରେ କୋଲକାତାରୁ ଭୁବନେଶ୍ବର ଅଭିମୁଖେ ଯାଉଥିବା ଏକ ଫୁଲ ବୋଝେଇ ଟ୍ରକ୍‌ (ଓଡି୦୨ସିଜେ-୨୫୧୬) ମୁହାଁମୁହିଁ ଧକ୍କା ଦେଇଥିଲା କାର୍‌କୁ। ଦୁର୍ଘଟଣା ଏତେ ଆକସ୍ମିକ ଓ ଭୟଙ୍କର ଥିଲା ଯେ, କାର୍‌ର ସମ୍ମୁଖ ଭାଗ ଭାଙ୍ଗି ଚୂନା ହୋଇ ଯାଇଥିଲା। ଦୁର୍ଘଟଣା ପରେ ଫୁଲ ବୋଝେଇ ଟ୍ରକ୍‌ର ଡ୍ରାଇଭର ଓ ହେଲପର୍‌ ଗାଡ଼ି ଛାଡ଼ି ଫେରାର ହୋଇ ଯାଇଥିଲେ। ବାଲେଶ୍ବର ସଦର ଥାନା ଆଇଆଇସି ଦୟାନିଧି ଦାସ ଓ ପୁଲିସ କର୍ମଚାରୀ ଦୁର୍ଘଟଣାଗ୍ରସ୍ତ କାର୍‌ ଭିତରୁ ଉଭୟଙ୍କୁ ଉଦ୍ଧାର କରି ବାଲେଶ୍ବର ବାଲେଶ୍ବର ମେଡିକାଲ କଲେଜ ହାସପାତାଳକୁ ଆଣିଥିବା ବେଳେ ସେଠାରେ ଡାକ୍ତର ଦୁହିଁଙ୍କୁ ମୃତ ଘୋଷଣା କରିଥିଲେ।