ଅଢ଼େଇ ବର୍ଷରେ ପୂରଣ ହେବ ଲୋୟର ସୁକତେଲ ସ୍ୱପ୍ନ

ବଲାଙ୍ଗୀରରେ ମୁଖ୍ୟ ସଚିବ, ୫-ଟି ସଚିବଙ୍କ ସମୀକ୍ଷା
୨୦୨୨ ଶେଷ ସୁଦ୍ଧା ମେଡିକାଲ କଲେଜ କାମ ସରିବ

ବଲାଙ୍ଗୀର : ବଲାଙ୍ଗୀରର ଜୀବନରେଖା ଲୋୟର ସୁକତେଲ ପ୍ରକଳ୍ପ। ଲୋୟର ସୁକତେଲ ପ୍ରକଳ୍ପର ସ୍ପିଲ୍‌ୱେ କାମ ୭୫ ପ୍ରତିଶତ ସରିଲାଣି। ଆର୍ଥଡ୍ୟାମ କାମ ବି ୪୫ ପ୍ରତିଶତ ସରିଗଲାଣି। ଜନସାଧାରଣ ଓ ସ୍ଥାନୀୟ ବିସ୍ଥାପିତଙ୍କ ସହଯୋଗରେ କାମ ଆଗେଇ ଚାଲିଛି। ଆସନ୍ତା ଦୁଇରୁ ଅଢ଼େଇ ବର୍ଷ ଭିତରେ ପ୍ରକଳ୍ପ କାମ ସମ୍ପୂର୍ଣ୍ଣ ହେବ ଏବଂ ବଲାଙ୍ଗୀରବାସୀଙ୍କ ସ୍ୱପ୍ନ ସାକାର ହେବ। ଆଜି ବଲାଙ୍ଗୀର ଗସ୍ତରେ ଆସି ପ୍ରକଳ୍ପକାର୍ଯ୍ୟ ଅନୁଧ୍ୟାନ କରିବା ସହିତ ଏହିଭଳି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶଚନ୍ଦ୍ର ମହାପାତ୍ର। ୫-ଟି ସଚିବ ଭି.କେ. ପାଣ୍ଡିଆନ ଏବଂ ଅନ୍ୟ ପ୍ରଶାସନିକ ଅଧିକାରୀଙ୍କ ସହ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ବି ସମୀକ୍ଷା କରିଛନ୍ତି।

ଆଜି ସକାଳ ସାଢ଼େ ୯ଟାରେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର, ୫-ଟି ସଚିବ ଭି.କେ. ପାଣ୍ଡିଆନ, ଜଳସମ୍ପଦ ବିଭାଗ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ ଓ ଜାତୀୟ ସ୍ୱାସ୍ଥ୍ୟ ମିସନର ମିସନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ତୁଷୁରା ଏୟାର୍‌ଷ୍ଟ୍ରିପ୍‌ରେ ଅବତରଣ କରିବା ପରେ ଦେଓଗାଁ ବ୍ଲକ୍‌ ଗସ୍ତରେ ଆସି ଦେଓଗାଁସ୍ଥିତ ପଞ୍ଚାୟତ ସମିତି ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟ ପରିଦର୍ଶନ କରିଥିଲେ। ପରେ ବଲାଙ୍ଗୀର ସହରସ୍ଥିତ ପି.ପି. ଏକାଡେମି ପରିଦର୍ଶନ କରି ୫-ଟି ଅନ୍ତର୍ଗତ ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟର ଅନୁଧ୍ୟାନ କରିବା ସହ ସ୍ମାର୍ଟ କ୍ଲାସ୍‌ରୁମ, ବିଜ୍ଞାନ ପରୀକ୍ଷାଗାର, ଇ-ପାଠାଗାର ତଥା ବିଦ୍ୟାଳୟର ବିକାଶମୂଳକ କାର୍ଯ୍ୟ ତଦାରଖ କରିଥିଲେ। ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ପୁରାତନ ଛାତ୍ରଙ୍କ ସହ ଆଲୋଚନା କରିଥିଲେ। ପରେ ଏହି ଉଚ୍ଚସ୍ତରୀୟ ଟିମ୍‌ ଭୀମ ଭୋଇ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ଯାଇ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଶିଳାନ୍ୟାସ କରାଯାଇଥିବା ନିର୍ମଣାଧୀନ ତରଳ ମେଡିକାଲ ଅକ୍ସିଜେନ ପ୍ଳାଣ୍ଟ (ଏଲ୍‌ଏମ୍‌ଓ) ଓ ଚାପ ଅବଶୋଷଣ ପ୍ରଣାଳୀରେ ମେଡିକାଲ ଅକ୍ସିଜେନ ଉତ୍ପାଦନ ଏବଂ ବଣ୍ଟନ ବ୍ୟବସ୍ଥା (ପିଏସ୍‌ଏ) କାର୍ଯ୍ୟର ଅନୁଧ୍ୟାନ କରିବା ସହ କାମର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ। ଏଥିସହିତ, ବିଭିନ୍ନ ଯୋଜନା ଓ ପ୍ରକଳ୍ପର ସମୀକ୍ଷା କରିବା ସହିତ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ନିର୍ମାଣସ୍ଥଳ ପରିଦର୍ଶନରେ ଯାଇ ଡ୍ୟାମ ଓ ସ୍ପିଲୱେର ନିର୍ମାଣ କାର୍ଯ୍ୟ ତଦାରଖ କରିଥିଲେ।

ଏହି ଅବସରରେ ମୁଖ୍ୟ ଶାସନ ସଚିବ ଶ୍ରୀମହାପାତ୍ର କହିଥିଲେ ଯେ, ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ନିକଟରେ ନିର୍ମାଣାଧୀନ ନୂଆ ହସ୍‌ପିଟାଲ, ହଷ୍ଟେଲ କାମ ସବୁ ଡିସେମ୍ବର ୨୦୨୨ ସୁଦ୍ଧା ସରିବ ବୋଲି କହିଥିଲେ। ବିବିଏମ୍‌ସିଏଚ୍‌ରେ ଚାଲିଥିବା ଏଲ୍‌ଏମ୍‌ଓ ଏବଂ ପିଏସ୍‌ଏ ପ୍ଲାଣ୍ଟ କାମ ଗୋଟିଏ ମାସ ଭିତରେ ସରିବ।

ଉଚ୍ଚସ୍ତରୀୟ ଟିମ୍‌ର ଏହି ଗସ୍ତ ସମୟରେ ଜିଲ୍ଲାପାଳ ଚଞ୍ଚଳ ରାଣା, ଏସ୍‌ପି ନିତିନ କୁଶଲଙ୍କରଙ୍କ ସମେତ ବିଭାଗୀୟ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଆମ ଦେଓଗାଁ ପ୍ରତିନିଧିଙ୍କ ସୂଚନା ଅନୁସାରେ, ସଚିବମାନଙ୍କ ଦେଓଗାଁ ଗସ୍ତ ସମୟରେ ବିରୋଧ ପ୍ରଦର୍ଶନ ଆଶଙ୍କା କରି ପୁଲିସ ୫ ଜଣ କଂଗ୍ରେସ କର୍ମୀଙ୍କୁ ଆଗୁଆ ଅଟକ ରଖିଥିଲା। ସେମାନେ ହେଲେ; ପପୁ ପାତ୍ର, ବଳରାମ ନାୟକ, ପ୍ରଦ୍ୟୁମ୍ନ ସାହୁ, ପିଣ୍ଟୁ ପୋଢ଼ ଓ ଜଗୁ ସାହୁ।

ସମ୍ବନ୍ଧିତ ଖବର