ଭୁବନ: ସଫେଇ ହୋଇଥାନ୍ତା ରଗଡ଼ି ନାଳ। ଜଳ ସଂରକ୍ଷଣ ସାଙ୍ଗକୁ ହୋଇଥାନ୍ତା ବୋଟିଂ କମ୍ପ୍ଲେକ୍ସ। ଭୁବନ ଏନ୍ଏସି ଅଧୀନରେ ଥିବା ରଗଡ଼ି ନାଳର ପୁନରୁଦ୍ଧାର ପାଇଁ ଦେଢ଼ ବର୍ଷ ହେଲା ଯୋଜନା ଚାଲିଛି ଯେ ଚାଲିଛି। ବର୍ତ୍ତମାନ ସୁଦ୍ଧା ନା ନାଳର ପୁନରୁଦ୍ଧାର ହୋଇପାରିଲା ନା ଉନ୍ନୟନମୂଳକ କାର୍ଯ୍ୟ ସମାପ୍ତ ହେଲା। ବରଂ କୋଟି କୋଟି ଟଙ୍କା ପାଣିରେ ପଡ଼ିଲା ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ୨୦୨୩ ଏପ୍ରିଲ ୧୨ ତାରିଖ। ରଗଡ଼ି ନାଳର ପୁନରୁଦ୍ଧାର ପାଇଁ ଶୁଭ ଦିଆଗଲା। ମନ୍ତ୍ରୀ ପ୍ରଫୁଲ ମଲ୍ଲିକ, ସାଂସଦ ମହେଶ ସାହୁ, ନଗରପାଳ ଶୁଭେନ୍ଦୁ ସାହୁ, କ୍ଷୁଦ୍ର ଜଳସେଚନ ବିଭାଗ ନିର୍ବାହୀଯନ୍ତ୍ରୀ ପ୍ରଦୀପ ସାହୁଙ୍କ ଉପସ୍ଥିତିରେ ପ୍ରକଳ୍ପର ଶିଳାନ୍ୟାସ ହେଲା।
ବିରାଟ ଜଳାଶୟ ରଗଡ଼ି ନାଳ ମରିଯିବା ପୂର୍ବରୁ ପୁନର୍ଜନ୍ମ ପାଇବ ବୋଲି ଅତିଥିମାନେ କହିଥିଲେ। ଜଳ ସଂରକ୍ଷଣ ଓ ବୋଟିଂ କମ୍ପ୍ଲେକ୍ସ ହେଲେ ସ୍ଥାନୀୟ ଲୋକେ ଉପକୃତ ହେବେ ବୋଲି ସୁନେଲି ସ୍ବପ୍ନ ଦେଖାଇଥିଲେ। ଲୋକେ ବି ସେଇ ଆଶାରେ ଭାସିଗଲେ। କିନ୍ତୁ ଦେଢ଼ ବର୍ଷ ପରେ ବି ବଦଳିପାରିନି ଚିତ୍ର। ‘ଯଥା ପୂର୍ବଂ ତଥା ପରଂ’ ଭାବେ ରଗଡ଼ି ନାଳ ସେମିତି ରହିଛି। ବୋଟିଂ କମ୍ପ୍ଲେକ୍ସ ତ ଦୂରର କଥା ଦେଢ଼ ବର୍ଷ ଭିତରେ ରଗଡ଼ି ନାଳରୁ ଦଳ କଢ଼ା ସରିପାରିଲା ନାହିଁ। ଏ ମୁଣ୍ଡରୁ ସେ ମୁଣ୍ଡ ଯାଏଁ ଯୁଆଡ଼େ ଚାହିଁଲେ ନାଗଦଳ ଆଁ କରି ଚାହିଁଛି। ଦୀର୍ଘଦିନ ତଳେ ଏହି ଦଳ ସଫା ହୋଇଥିଲେ ବି ଏବେ ତାହା ପୂର୍ବଠାରୁ ଅଧିକ ମାଡ଼ି ଗଲାଣି। ଯାହାକୁ ସଫା କରିବା ଏବେ କାଠିକର ପାଠ ହୋଇଛି।
ପ୍ରକଳ୍ପ ଶିଳାନ୍ୟାସକୁ ୧୫ ମାସରୁ ଅଧିକ ଦିନ ହୋଇଗଲାଣି। କିନ୍ତୁ ଏହି ପ୍ରକଳ୍ପ ପାଇଁ ଆସିଥିବା ଦେଢ଼ କୋଟି ଟଙ୍କା ଏମ୍ଆଇ ବିଭାଗର ଖର୍ଚ୍ଚ କରିପାରିନଥିବା ଜଣାପଡ଼ିଛି। ୩୦ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାରେ ଉକ୍ତ ନାଳ ଉପରେ ପୂର୍ତ୍ତ ବିଭାଗ ପକ୍ଷରୁ ଏକ ଆନିକଟ୍ ନିର୍ମାଣ ହୋଇଛି। କିନ୍ତୁ ପୋଲ ତଳେ ଆନିକଟ୍ ଭାଙ୍ଗିରୁଜି ଗଲାଣି। ବ୍ୟକ୍ତିଗତ ଜମି ରହୁଥିବାରୁ ଉନ୍ନୟନ କାର୍ଯ୍ୟ ହୋଇପାରୁନାହିଁ। ବିବାଦ ଅଧିକ ବାଟ ଯିବା ପୂର୍ବରୁ ପ୍ରଶାସନ ତାହାକୁ ସମାଧାନ କରିବାକୁ ପ୍ରସ୍ତାବ ଦିଆଯାଇଥିଲା। ଘରୋଇ ଜମିଥିବା ମାଲିକଙ୍କ ସହ ଆଲୋଚନା କରି ପ୍ରକଳ୍ପ କାମ ଆଗେଇବାକୁ କଥା ହୋଇଥିଲା। ହେଲେ ତାହା କେତେ ବାଟ ଆଗେଇଲା ସେ କଥା କେହି କହିପାରୁନାହାନ୍ତି। ଅନ୍ୟପଟେ ଏ ନେଇ ରଗଡ଼ି ଛକସ୍ଥିତ ଅଷ୍ଟଶମ୍ଭୁ ମନ୍ଦିର କମିଟିର କିଛି ସଦସ୍ୟଙ୍କ ପକ୍ଷରୁ ବିଭାଗୀୟ ନିର୍ବାହୀଯନ୍ତ୍ରୀ ଙ୍କୁ ଲିଖିତ ଅଭିଯୋଗ ହୋଇଛି।
ପ୍ରକଳ୍ପ ପାଇଁ ମଂଜୁର ଟଙ୍କାକୁ ଅବିଳମ୍ବେ ଖର୍ଚ୍ଚ କରିବା ପାଇଁ ସେମାନେ ଦାବି କରିଛନ୍ତି। ବିବାଦ ବଢ଼ିବା ପୂର୍ବରୁ ଆଲୋଚନା ଭିତ୍ତିରେ ପ୍ରକଳ୍ପ ସାରିବାକୁ କମିଟି ସଦସ୍ୟ ସୁନାକର ବେହେରା କହିଛନ୍ତି। ସେହିପରି ରଗଡ଼ି ନାଳ ଭୁବନର ଜୀବନରେଖା। ଅତୀତରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇ ବି ଚାଷୀ ଏଥିରୁ ଉପକୃତ ହେଉନଥିବା ଭୁବନ କୃଷକ ବିକାଶ ପରିଷଦ ସମ୍ପାଦକ ରଥ ସେଠୀ ଅଭିଯୋଗ ଆଣିଛନ୍ତି। ଏହି ନାଳରେ ୪ଟି ଉଠା ଜଳସେଚନ ପ୍ରକଳ୍ପ ପଏଣ୍ଟ ହୋଇଥିଲାବେଳେ ଜଳସ୍ରୋତ ପ୍ରବାହିତ ହେବାରୁ ତାହା କାମ କରୁନଥିବା ସେ କହିଛନ୍ତି। ତେବେ ପ୍ରକଳ୍ପ ଦାୟିତ୍ବରେ ଥିବା ଦିଲୀପ କୁମାର ଦାସଙ୍କୁ ପଚାରିବାରେ, ଉକ୍ତ ପ୍ରକଳ୍ପ ବିଭାଗ ପାଇଁ ଏକ ଚ୍ୟାଲେଞ୍ଜ ଓ ବିବାଦୀୟ ଜମି ଏଥିରେ ପ୍ରତିବନ୍ଧକ ସାଜିଥିବା କହିଛନ୍ତି। ବୁଦ୍ଧେଶ୍ବରଠାରୁ ରଗଡ଼ି ପର୍ଯ୍ୟନ୍ତ ଆଉ ଦେଢ଼ କୋଟି ପାଇଁ କୃଷକ ସମାଜ ଦେଇଥିବା ପ୍ରସ୍ତାବ ଉପରେ ଆଲୋଚନା ହୋଇଥିବା ସେ କହିଥିଲେ।