କଟକ: ଭଲ ପାଠ ପଢ଼ନ୍ତୁ। ଜୀବନରେ କିଛି ଚମତ୍କାର କରିବାକୁ ସ୍ବପ୍ନ ଦେଖନ୍ତୁ। ସ୍ବପ୍ନ ଦେଖିବା ଏବଂ ଏହାକୁ ସାକାର କରିବାକୁ ଦିନ ରାତି ଏକ କରିବାକୁ ପଡ଼ିବ। ଯିଏ ପରିଶ୍ରମ କରିବ ଓ ଲକ୍ଷ୍ୟ ପଥରେ ଆଗେଇବ ତାଙ୍କୁ ନିଶ୍ଚୟ ଭଗବାନଙ୍କ ଆଶୀର୍ବାଦ ମିଳିବ। ତ୍ରିଶୂଳିଆ ନରଣପୁରସ୍ଥିତ କେଏମ୍‌ବିବି ସାଇନ୍ସ ହାୟର ସେକେଣ୍ଡାରି ସ୍କୁଲ ଏବଂ କେଏମ୍‌ବିବି ପବ୍ଲିକ୍‌ ସ୍କୁଲର ଯୁକ୍ତ୨ ବିଜ୍ଞାନ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁରେଶ ପୂଜାରୀ ଛାତ୍ରଛାତ୍ରୀଙ୍କୁ ଏଭଳି ପରାମର୍ଶ ଦେଇଛନ୍ତି। 

Advertisment

ଓୟୁଏଟିର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଥିଲେ ଯେ ଉଚ୍ଚମାଧ୍ୟମିକ ଶିକ୍ଷା ହେଉଛି ପ୍ରାଥମିକ ଶିକ୍ଷା ଓ ଉଚ୍ଚଶିକ୍ଷା ମଧ୍ୟରେ ସମ୍ପର୍କର ସେତୁ। ଉଚ୍ଚଶିକ୍ଷା କ୍ୟାରିୟର ଗଠନ କରେ। ବିଦ୍ୟାଳୟ ଶିକ୍ଷା ବା ମାଧ୍ୟମିକ ଶିକ୍ଷା ଆମ ଚରିତ୍ର ଗଠନ କରେ। କ୍ୟାରିୟର ଓ ଚରିତ୍ର ମଧ୍ୟରେ ସମନ୍ବୟ ଆଣିବାକୁ ପଡ଼ିବ। ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ, କେଏମ୍‌ବିବି ଗ୍ରୁପ ଅଫ୍ ଇନଷ୍ଟିଚ୍ୟୁଟ୍‌ର ଚେୟାରମ୍ୟାନ୍ ସୌମ୍ୟରଂଜନ ପଟ୍ଟନାୟକ କହିଥିଲେ ଯେ ଯେଉଁ ଉଦ୍ଦେଶ୍ୟ ନେଇ ଏହି ଅନୁଷ୍ଠାନ ଆରମ୍ଭ ହୋଇଥିଲା ସେଥିରେ ସମସ୍ତଙ୍କ ସହଯୋଗ, ସମର୍ଥନ ଓ ଈଶ୍ବରଙ୍କ ଆଶୀର୍ବାଦ ମିଳୁଥିବା ଅନୁଭବ କରୁଛୁ। ଛାତ୍ରଛାତ୍ରୀମାନେ କ୍ୟାରେକ୍ଟର, କ୍ୟାରିୟର, ଇଣ୍ଟେଲିଜେଣ୍ଟ କୋସେଣ୍ଟ, ସ୍ପିରିଚ୍ୟୁଆଲ୍ କୋସେଣ୍ଟ ଓ ଇମୋସନାଲ୍ କୋସେଣ୍ଟକୁ ମନେ ରଖିବା ଉଚିତ। ଯେଉଁମାନେ ମାର୍କକୁ ବଡ଼ ବୋଲି ଭାବୁଛନ୍ତି ଓ ରିମାର୍କକୁ ଛୋଟ ଭାବୁଛନ୍ତି ସେମାନେ ବେଶି ଆଗକୁ ଯାଇପାରିବେ ନାହିଁ। ଗୁରୁ, ସହପାଠୀଙ୍କ ଦ୍ବାରା ଯେଉଁ ରିମାର୍କ ଦିଆଯାଉଛି, ସେ ସମ୍ପର୍କରେ ସଚେତନ ହେବା ଆବଶ୍ୟକ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। 

କେଏମ୍‌ବିବିରେ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ

ସମ୍ବାଦ ଓ କନକ ନ୍ୟୁଜ୍‌ର ସମ୍ପାଦକ ତନୟା ପଟ୍ଟନାୟକ କହିଥିଲେ ଯେ ମୋବାଇଲ୍ ଫୋନ୍‌ ଆଜିର ପିଲାଙ୍କ ପାଇଁ ସବୁଠାରୁ ବଡ଼ ବିଷ। ମୋବାଇଲ୍‌ ଫୋନ୍‌ ଆମକୁ ଏତେ ମାତ୍ରାରେ ନିୟନ୍ତ୍ରଣ କରୁଛି ଯେ ମସ୍ତିଷ୍କ ଓ ଜୀବନ ଆମ ହିସାବରେ ଚାଲୁନାହିଁ। ତେଣୁ ଏହି ଦୁଇ ବର୍ଷକୁ ଠିକ୍ ଭାବେ ବ୍ୟବହାର କରି ମୋବାଇଲ୍‌ଠାରୁ ଦୂରେଇ ରୁହନ୍ତୁ। ଦୁଇଟି ମଞ୍ଜି ନିଜ ଭିତରେ ପୋତନ୍ତୁ। ଗୋଟିଏ ହେଉଛି ‘ମୁଁ କିଛି ବି କରିପାରିବି’ ଏବଂ ଦ୍ବିତୀୟ ‘ମୁଁ କିଛି ବି ହୋଇପାରିବି’।ଆପଣମାନେ ଯେତେ ସଫଳ ହେବେ ଆମେ ସେହି ସଫଳତାକୁ ନିଜ ସଫଳତା ବୋଲି ମନେ କରିବୁ ବୋଲି ଶ୍ରୀମତୀ ପଟ୍ଟନାୟକ କହିଥିଲେ। କେଏମ୍‌ବିବି ଗ୍ରୁପ ଅଫ୍ ଇନ୍‌ଷ୍ଟିଚ୍ୟୁଟ୍‌ର ନିର୍ଦ୍ଦେଶକ(ପ୍ରଶାସନ) ପ୍ରଫେସର ସରୋଜ କୁମାର ପଣ୍ଡା କହିଥିଲେ ଯେ ଯେଉଁ ଉଦ୍ଦେଶ୍ୟ ଓ ଭରସା ନେଇ ଅଭିଭାବକମାନେ ଏହି ଅନୁଷ୍ଠାନରେ ପିଲାଙ୍କୁ ଛାଡ଼ିଛନ୍ତି ତାହା ନିଶ୍ଚିତ ପୂରଣ ହେବ।  ଅନୁଷ୍ଠାନର ନିର୍ଦ୍ଦେଶକ(ଶିକ୍ଷା) ଡକ୍ଟର ବିଜୁନି ଚରଣ ସୁତାର ସ୍ବାଗତ ଭାଷଣ ଦେଇଥିଲେ। ଏହି ଅବସରରେ ସିବିଏସ୍‌ଇ ପରୀକ୍ଷାରେ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ୬ ଜଣ ଛାତ୍ରଛାତ୍ରୀଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଆର୍ଥିକ ପୁରସ୍କାର ସହିତ ମେଡାଲ୍ ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷାରେ ୩୫ ଜଣଙ୍କୁ ଅର୍ଥ ରାଶି ସହ ମେଡାଲ୍ ଦିଆଯାଇଥିଲା। ଷ୍ଟୁଡେଣ୍ଟ ଅଫ୍ ଦ ଇଅର୍-୨୦୨୫ ଭାବେ ନମିତା ସାମଲ ଓ ବିଷ୍ଣୁ ପ୍ରସାଦ ଭୋଇଙ୍କୁ ସମ୍ମାନିତ କରାଯାଇଥିଲା। କେଏମ୍‌ବିବି କ୍ୟାମ୍ପସ୍-୨ ଡିନ୍(ପ୍ରଶାସନ) ମିନତିପ୍ରଭା ସାହୁ ଧନ୍ୟବାଦ ଦେଇଥିଲେ।