ଜ୍ଞାନେନ୍ଦ୍ର ରଥ

Advertisment

ବୌଦ୍ଧ: ରାଜ୍ୟର ଯେଉଁ କେତୋଟି ଜିଲ୍ଲାକୁ ରେଳ ଚଳାଚଳ ହୋଇନାହିଁ, ସେଗୁଡ଼ିକ ମଧ୍ୟରେ ବୌଦ୍ଧ ଅନ୍ୟତମ। ବହୁ ପ୍ରତୀକ୍ଷିତ ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ କାର୍ଯ୍ୟ ତ୍ବରାନ୍ବିତ ହେବା ସହ ଖୋର୍ଦ୍ଧାରୁ ଦଶପଲ୍ଲା ଏବଂ ବଲାଙ୍ଗୀରରୁ ସୋନପୁର ପର୍ଯ୍ୟନ୍ତ ରେଳ ଚଳାଚଳ ମଧ୍ୟ ହେଲାଣି। କିନ୍ତୁ ଉକ୍ତ ପ୍ରକଳ୍ପ ଅନ୍ତର୍ଗତ ବୌଦ୍ଧ ଜିଲ୍ଲା ହିଁ କେବଳ ବାକି ରହିଛି। ସୋନପୁରରୁ ବୌଦ୍ଧ ପର୍ଯ୍ୟନ୍ତ ରେଳଧାରଣା ବିଛାଯିବା ସହ ଅନ୍ୟାନ୍ୟ ଆନୁଷଙ୍ଗିକ କାର୍ଯ୍ୟ ଶେଷ ହୋଇ, ପରୀକ୍ଷାମୂଳକ ଭାବେ ଇଂଜିନ୍ ଗଡ଼ି ସାରିଛି। ଗତ ଜୁନ୍‌ ମାସରେ ସୋନପୁରରୁ ଝାରମୁଣ୍ଡା ପର୍ଯ୍ୟନ୍ତ ଏବଂ ଗତ ନଭେମ୍ବର ୬ ତାରିଖରେ ଝାରମୁଣ୍ଡାରୁ ବୌଦ୍ଧ ଷ୍ଟେସନ୍ ପର୍ଯ୍ୟନ୍ତ ମୋଟ ୪୮କିମି ରେଳପଥର ସିଆର୍‌ଏସ୍‌ (ରେଳବାଇ ନିରାପତ୍ତା ଆୟୁକ୍ତ)ଙ୍କ ନିରୀକ୍ଷଣ ମଧ୍ୟ ଶେଷ ହୋଇଛି। ପୁରୁଣାକଟକ ପର୍ଯ୍ୟନ୍ତ ମଧ୍ୟ ରେଳଧାରଣା ବିଛାଇବା କାମ ଶେଷ ହୋଇଥିବା ବେଳେ ସଫଳତାର ସହ ପରୀକ୍ଷାମୂଳକ ଭାବେ ଇଂଜିନ୍ ଗଡ଼ିସାରିଲାଣି। ହେଲେ ବର୍ଷ ସରିଗଲା ପଛେ, ବୌଦ୍ଧକୁ ରେଳ ଗଡ଼ି ପାରିଲା ନାହିଁ।

୨୦୨୪ ନିର୍ବାଚନ ବର୍ଷ ହୋଇଥିବା ବେଳେ, ନିର୍ବାଚନ ପୂର୍ବରୁ ବୌଦ୍ଧ ଜିଲ୍ଲାକୁ ରେଳ ଗଡ଼ିବ ବୋଲି ସାଧାରଣ ଆଶା ସଂଚାର ହୋଇଥିଲା। ରେଳପଥର ନିର୍ମାଣ କାର୍ଯ୍ୟରେ ମଧ୍ୟ ବେଶ୍‌ ତ୍ବରାନ୍ବିତ ହୋଇଥିଲା। ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ ଅନ୍ତର୍ଗତ ଦୁଇ ପଡ଼ୋଶୀ ଜିଲ୍ଲା ନୟାଗଡ଼ ଓ ସୁବର୍ଣ୍ଣପୁରକୁ ରେଳ ଚଳାଚଳ ହୋଇସାରିଥିବାରୁ, ଖୁବ୍‌ଶୀଘ୍ର ରେଳ ମାନଚିତ୍ରରେ ବୌଦ୍ଧ ସ୍ଥାନ ପାଇବ ବୋଲି ଅନୁମାନ କରାଯାଉଥିଲା। ତାହା ଏଯାବତ୍ ପୂରଣ ହୋଇନି। ସୂଚନା ମୁତାବକ, ୧୯୪୫ ମସିହାରେ ବ୍ରିଟିଶ୍ ଶାସନ ଅମଳରେ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ନିର୍ମାଣ ପାଇଁ ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଥିଲା। ୧୯୯୩ ମସିହାରେ ଏହି ପ୍ରକଳ୍ପ ପାଇଁ ଅନୁମୋଦନ ମିଳିଥିବା ବେଳେ ୨୦୦୧ ମସିହାରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। କିଛିବର୍ଷ ହେବ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଅଧିକ ବେଗରେ ତ୍ବରାନ୍ବିତ ହୋଇଛି। ୩୦୧ କିମି ଦୀର୍ଘ ଏହି ରେଳପଥଟି କେବଳ ବୌଦ୍ଧ ଜିଲ୍ଲା ଦେଇ ୧୧୦କିମି ଅତିକ୍ରମ କରିବ। ଏଥିପାଇଁ ରାଜ୍ୟ ସରକାର ୫୦ ପ୍ରତିଶତ ଅର୍ଥ ସହ ଜମି ଯୋଗାଇ ଦେଇଛନ୍ତି। ନିର୍ମାଣ କାର୍ଯ୍ୟରେ ବେଶ୍ ଅଗ୍ରଗତି ହୋଇ ସୋନପୁରଠାରୁ ପୁରୁଣାକଟକ ପର୍ଯ୍ୟନ୍ତ ରେଳପଥ ନିର୍ମାଣ କାମ ଏକପ୍ରକାର ଶେଷ ହୋଇଛି। କିନ୍ତୁ ପୁରୁଣାକଟକରୁ ଦଶପଲ୍ଲା ମଧ୍ୟରେ ପଡ଼ୁଥିବା ୭ଟି ଟନେଲ୍‌ର ନିର୍ମାଣ କାର୍ଯ୍ୟ ଜାରି ରହିଛି। ୨୦୨୫ ଶେଷ ସୁଦ୍ଧା ଏହା ଶେଷ କରିବାକୁ ରେଳ ବିଭାଗ ପକ୍ଷରୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି।