ମୁଖ୍ୟମନ୍ତ୍ରୀ ଗଞ୍ଜାମକୁ ଏକ ନମ୍ବର କରିବାକୁ ସ୍ବପ୍ନ ଦେଖାଇବା ହାସ୍ୟାସ୍ପଦ : ବିଜେପି

ବ୍ରହ୍ମପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ଗଞ୍ଜାମ ଜିଲ୍ଲା ଗସ୍ତରେ ଆସି ୨୪ ବର୍ଷ ପରେ ଉପେକ୍ଷିତ ଗଞ୍ଜାମକୁ ଏକ ନମ୍ବର କରିବାକୁ ସ୍ବପ୍ନ ଦେଖାଇଛନ୍ତି। ୨୪ ବର୍ଷ ପରେ ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଜିଲ୍ଲା ମନେ ପଡ଼ିବା ଦୁର୍ଭାଗ୍ୟଜନକ ବୋଲି ବିଜେପି କହିଛି। ବିଜେପି ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନା ଏକ ପ୍ରେସ ବିବୃତିରେ କହିଛନ୍ତି ଗଞ୍ଜାମ ଜିଲ୍ଲା ରାଜ୍ୟର ସବୁଠୁ ପଛୁଆ ଓ ଅନୁନ୍ନତ ଜିଲ୍ଲା। ଏଠାରେ ବିକାଶ ନାହିଁ କି କୃଷି, ଶିଳ୍ପ, ଶିକ୍ଷା, ଚିକିତ୍ସା ଓ ମହିଳା ବିକାଶ କ୍ଷେତ୍ରରେ ସବୁଠୁ ନିମ୍ନରେ ରହିଛି। ଦାଦନ ଶ୍ରମିକରେ ଜିଲ୍ଲା ନମ୍ବର ୱାନ୍‌ ହୋଇଛି। ପ୍ରାୟ ୨୦ ଲକ୍ଷରୁ ଅଧିକ ଲୋକ ଗାଁ ଛାଡି ଜିଲ୍ଲା ବାହାରେ ଜୀବିକା ନିର୍ବାହ କରୁଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ଶାସନ କାଳରେ ଜିଲ୍ଳାରେ ଗୋଟିଏ ବି ଡ୍ୟାମ୍ ନିର୍ମାଣ ହୋଇନି କି ଇଞ୍ଚେ ଅଧିକ ଜମିକୁ ଜଳସେଚନ ହୋଇପାରି ନାହିଁ। ବଡ଼ ଡାକ୍ତରଖାନା ସମେତ ୧୩୩ ଡାକ୍ତରଖାନାରେ ୬୭୭ଟି ଡାକ୍ତର ପଦବିରୁ ୪୧୬ ଜଣ ଡାକ୍ତର ନାହାନ୍ତି। ଜିଲ୍ଲାର ହାଇସ୍କୁଲରେ ଅଧାରୁ ଅଧିକ ଶିକ୍ଷକ ନାହାନ୍ତି।। ମହାତ୍ମାଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ରାଜନୈତିକ କାର୍ଯ୍ୟକ୍ରମ ପାଲଟି ଥିବା ଶ୍ରୀ ଜେନା ଉଲ୍ଲେଖ କରିଛନ୍ତି। ମନରେଗାରେ ଆର୍ଥିକ ହେରଫେର କ୍ଷେତ୍ରରେ ଗଞ୍ଜାମ ଜିଲ୍ଲା ନମ୍ବର ୱାନ୍‌ ହୋଇଥିବା ବେଳେ ଚାଷୀ ଅଭାବୀ ବିକ୍ରିର ସମ୍ମୁଖୀନ ହେଉଛନ୍ତି। ଗୋପାଳପୁର ରାୟପୁର ରେଳଲାଇନ୍ ପ୍ରକଳ୍ପ ସର୍ଭେରେ ଅଟକିଛି। ବ୍ରହ୍ମପୁରରେ ଗ୍ରିନ୍‌ ଫିଲ୍ଡ ବିମାନ ବନ୍ଦର ନିର୍ମାଣ ଦାବି ହେଉଥିବା ବେଳେ କେନ୍ଦ୍ର ସରକାର ଜମି ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କୁ କହିଛନ୍ତି।

ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍ ଜାଗା କେନ୍ଦ୍ର ସରକାରଙ୍କ ବେସାମରିକ ବିମାନ ଚଳାଚଳ ବିଭାଗକୁ ହସ୍ତାନ୍ତର ହୋଇନାହିଁ। ଜିଲ୍ଲାରେ ମହିଳା ସଶକ୍ତୀକରଣ କେବଳ କାଗଜ କଲମରେ ସୀମିତ ରହିଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ତାଲିକାଭୁକ୍ତ କରାଯାଉନାହିଁ। ଗଞ୍ଜାମର ଗର୍ବ ବ୍ରହ୍ମପୁର ପାଟ ନବୀନ ଶାସନରେ ହଜିଗଲାଣି। ଜିଲ୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ସାଂଘାତିକ ହୋଇପଡ଼ିଥିବା ବେଳେ ମୁଖ୍ୟମନ୍ତ୍ରୀ ଗଞ୍ଜାମକୁ ଶ୍ରେଷ୍ଠ ଜିଲ୍ଲା କରିବା ଘୋଷଣା ହାସ୍ୟାସ୍ପଦ ବୋଲି ଜିଲ୍ଲା ସଭାପତି ଶ୍ରୀ ଜେନା ଓ ଜିଲ୍ଲା ଉପସଭାପତି ତଥା ମିଡ଼ିଆ ପ୍ରଭାରୀ ସୁନୀଲ କୁମାର ସାହୁ ଏକ ପ୍ରେସ୍ ବିଜ୍ଞପ୍ତିରେ ଜଣାଇଛନ୍ତି।

ସମ୍ବନ୍ଧିତ ଖବର