କଟକ ଏସ୍‌ସିବିର କରୋନା ୱାର୍ଡକୁ ଟାଙ୍ଗୀ ଡ୍ରିମ୍ସ କଲେଜକୁ ସ୍ଥାନାନ୍ତର କରାଯିବ

ସ୍ୱତନ୍ତ୍ର କରୋନା ହସ୍ପିଟାଲରେ ୫୦୦ ବେଡ ଓ ୫୦ ଆଇସିୟୁ ଖୋଲିବ

କଟକ: ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ (ଏସସିବି)ରେ ଥିବା କରୋନା ୱାର୍ଡକୁ ଟାଙ୍ଗୀର ଡ୍ରିମ୍ସ କଲେଜର ପରିସରକୁ ସ୍ଥାନାନ୍ତର କରାଯିବ । ଏଥିପାଇଁ ଡ୍ରିମ୍ସ କଲେଜ ପରିସରରେ ଏକ ସ୍ୱତନ୍ତ୍ର କରୋନା ହସ୍ପିଟାଲ ଖୋଲାଯିବ । ଏ ନେଇ ଏସସିବି ଓ ଜିଲ୍ଲା ପ୍ରଶାସନ ମିଳିତ ଭାବେ ନିଷ୍ପତ୍ତି ନେଇଛନ୍ତି । ଏହି କରୋନା ହସ୍ପିଟାଲରେ ୫୦୦ ବେଡ ଓ ୫୦ଟି ଆଇସିୟୁ ରହିବ ବୋଲି ଜଣାପଡ଼ିଛି ।

ଏହି ସ୍ବତନ୍ତ୍ର କରୋନା ହସ୍ପିଟାଲ ଖୋଲିବା ପାଇଁ ପୁରୁଷ ଛାତ୍ରାବାସର ୩୦୪ଟି କୋଠରି ଓ ମହିଳା ଛାତ୍ରାବାସର ୧୩୦ଟି କୋଠରିକୁ କର୍ତ୍ତୃପକ୍ଷଙ୍କ ଠାରୁ ପ୍ରଶାସନ ନିଜ ହାତକୁ ନେଇଛି। ପ୍ରଶାସନିକ ଭବନରେ ଥିବା ଗୋଟିକିଆ କୋଠରିକୁ ଆଇସିୟୁ କରାଯିବ । ଡ୍ରିମ୍ସ ପରିସରରେ ଓପିଡି କାଉଣ୍ଟର, ପରୀକ୍ଷାଗାର, ଡାକ୍ତର ଏବଂ ମେଡିକାଲ ଷ୍ଟାଫଙ୍କ ରହିବା ପାଇଁ ମଧ୍ୟ ବ୍ୟବସ୍ଥା କରାଯିବ । ଯୁଦ୍ଧକାଳୀନ ଭିତ୍ତିରେ ଏହି କାମ କରାଯିବ ।

ଏ ସଂପର୍କରେ ଭିତ୍ତିଭୂମିର ଯାଞ୍ଚ ପାଇଁ କେନ୍ଦ୍ରାଞ୍ଚଳ ରାଜସ୍ୱ କମିସନର ଅନୀଲ କୁମାର ସାମଲ, ଜିଲ୍ଲାପାଳ ଭବାନୀ ଶଙ୍କର ସୟନୀଙ୍କ ସହିତ ଏସସିବିର ଅଧୀକ୍ଷକ ଅନ୍ନଦା ପ୍ରସାଦ ପଟ୍ଟନାୟକ, ଡ୍ରିମ୍ସ କଲେଜର ଅଧ୍ୟକ୍ଷ ପ୍ରମୋଦ ରଥ ପ୍ରମୁଖ ଭିତ୍ତିଭୂମି ଯାଞ୍ଚ କରିଥିଲେ । ଖୁବ ଶୀଘ୍ର ଏହାକୁ କାର୍ଯ୍ୟକାରୀ କରାଯାଇ ଏସସିବିରେ ରହିଥିବା କରୋନା ୱାର୍ଡକୁ ଡ୍ରିମ୍ସ ପରିସରକୁ ସ୍ଥାନାନ୍ତରିତ କରାଯିବ ବୋଲି ଜାଣିବାକୁ ମଳିଛି।

ସମ୍ବନ୍ଧିତ ଖବର