ଶ୍ରୀମନ୍ଦିରରେ ଲାଗୁହେଲା ସେବାୟତଙ୍କ ଡ୍ରେସକୋଡ୍‌

ପାରମ୍ପରିକ ପୋଷାକ ପିନ୍ଧି କଲେ ମହାପ୍ରଭୁଙ୍କ ସେବା

ପୁରୀ : ଶ୍ରୀମନ୍ଦିରରେ ଗୁରୁବାରଠାରୁ ସେବାୟତଙ୍କ କ୍ଷେତ୍ରରେ ଲାଗୁ ହୋଇଛି ଡ୍ରେସକୋଡ୍‌। ସେବାୟତମାନେ ସେମାନଙ୍କ ପାରମ୍ପରିକ ପୋଷାକ ପରିଧାନ କରି ଆରମ୍ଭ କରିଛନ୍ତି ମହାପ୍ରଭୁଙ୍କ ସେବାକାର୍ଯ୍ୟ। ମକୁଟା, ରଣପୁରୀ, ଧୋବ(ଧୋତି), ପାଟ ଆଦି ପିନ୍ଧି ଖଟିଛନ୍ତି ପାଳି। ଅନ୍ୟପଟେ ଦୀପାବଳିରୁ ଶ୍ରୀମନ୍ଦିର କର୍ମଚାରୀଙ୍କ କ୍ଷେତ୍ରରେ ଲାଗୁ ହେବାକୁ ଯାଉଛି ଏହି ନିୟମ। ପାରିପାର୍ଶ୍ବିକ ସ୍ଥିତି ଓ ଅନୁଭୂତିକୁ ଦେଖି ଆଗାମୀ ଦିନରେ ଭକ୍ତଙ୍କ କ୍ଷେତ୍ରରେ ବି ଏହି ନିୟମ ଲାଗୁ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ଯୋଜନା କରିଛି।

ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ତଥା ଶ୍ରୀମନ୍ଦିରର ଗାରିମା ବଜାୟ ରଖିବା ପାଇଁ ଶ୍ରୀମନ୍ଦିରରେ ଡ୍ରେସ୍‌କୋଡ୍‌ ଲାଗୁ କରିବାକୁ ଖୁଣ୍ଟିଆ ନିଯୋଗ ସହ ଅନ୍ୟ ସେବାୟତ ନି‌ଯୋଗମାନେ ଦାବି କରିଥିଲେ। ଗତ ଛତିଶାନିଯୋଗ ବୈଠକରେ ଏ ଉପରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ସ୍ବରୂପ ସେବାୟତଙ୍କୁ ପାରମ୍ପରିକ ପୋଷାକ ବିନା ଗର୍ଭଗୃହ ପ୍ରବେଶରେ କଟକଣା ଲଗାଇବାକୁ ନିଷ୍ପତ୍ତି ହୋଇଥିଲା। ଆଜିଠାରୁ ଏହି ନିୟମ ଲାଗୁ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ନିଷ୍ପତ୍ତିକ୍ରମେ ପାଳି ଖଟିଥିବା ସେବାୟତମାନେ ଆଜି ପାରମ୍ପରିକ ପୋଷାକ ପିନ୍ଧି ପୋଖରିଆରେ ମହାପ୍ରଭୁଙ୍କ ସେବା କରିଛନ୍ତି।

ସମ୍ବନ୍ଧିତ ଖବର