ପୁରୀ: ଆଉ ଅଳ୍ପ କିଛି ମାସ ମଧ୍ୟରେ ବିଶ୍ବ ପ୍ରସିଦ୍ଧ ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ଡ୍ରେସ୍‌ କୋର୍ଡ ଲାଗୁ ହେବ। ଏହି ଡ୍ରେସ୍‌ କୋର୍ଡ ଭିନ୍ନ ପ୍ରକାରର ହେବ। କହିବାକୁ ଗଲେ ଡ୍ରେସ୍‌ କୋର୍ଡ କୌଣସି ଏକ ରଂଗ ଓ ଡିଜାଇନରେ ସୀମିତ ରହିବ ନାହିଁ। ଅର୍ଥାତ ଯାହା ଆଶା କରାଯାଉଛି ଭକ୍ତଙ୍କର ପୋଷାକରେ ଶାଳୀନତା ଆଣିବାକୁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଉଦ୍ୟମ କରାଯାଇଛି। ଶ୍ରୀମନ୍ଦିରକୁ ଯାଉଥିବା ଭକ୍ତଙ୍କ ପୋଷାକରେ ଶାଳୀନତା ନଥଲେ ମନ୍ଦିର ଭିତରକୁ ପ୍ରବେଶ ହୋଇପାରିବ ନାହିଁ। ଶାଳୀନତା ଭାବେ ପୋଷାକ ପିନ୍ଧି ଶ୍ରୀମନ୍ଦିର ଭିତରକୁ ଭକ୍ତମାନେ ଯିବେ। ସବୁ ଯଦି ଠିକ୍‌ଠାକ୍‌ ଚାଲେ ଆସନ୍ତା ଜାନୁଆରି ୧ ତାରିଖ ଠାରୁ କଡ଼ାକଡ଼ି ଭାବେ ଏହି ନିର୍ଦ୍ଦେଶ ଲାଗୁ ହେବ। ଆସନ୍ତାକାଲି (୨୦୨୩ ଅକ୍ଟୋବର ୧୦) ଠାରୁ ଭକ୍ତମାନଙ୍କୁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସଚେତନତା କରାଯିବ। ୨୦୨୪ ଜାନୁଆରି ୧ ତାରିଖ ଠାରୁ ସିଂହଦ୍ଵାରରେ ଶ୍ରୀଜଗନ୍ନାଥ ମନ୍ଦିର ପୁଲିସ (ଜେଟିପି) ଓ ଶ୍ରୀମନ୍ଦିର ଭିତରେ ରହୁଥିବା ପ୍ରତିହାରୀ ସେବକ ଭକ୍ତଙ୍କ ପୋଷାକକୁ ତଦାରଖ କରିବେ।

Advertisment

ଭକ୍ତଙ୍କ ପୋଷାକରେ ଶାଳୀନତା ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଂଜନ ଦାସ କହିଛନ୍ତି, ମନ୍ଦିରକୁ ଆସୁଥିବା ଭକ୍ତମାନଙ୍କ ମଧ୍ୟରେ ଶାଳୀନତା ରହୁନାହିଁ। ଏହା ଦ୍ବାରା ଶ୍ରୀମନ୍ଦିରର ଧାର୍ମିକ ଭାବନା କ୍ଷୁର୍ଣ୍ଣ ହେଉଛି। ତେଣୁ ଭକ୍ତମାନଙ୍କୁ ଅନୁରୋଧ କରାଯିବ ଯେ, ଶାଳୀନତାପୂର୍ଣ୍ଣ ପୋଷାକ ପିନ୍ଧି ମନ୍ଦିରକୁ ପ୍ରବେଶ କରନ୍ତୁ। ସେ କହିଛନ୍ତି ଯେ, ଛୋଟ ପିଲାଙ୍କ ପାଇଁ ଏହି କଟକଣା ରହିବ ନାହିଁ।

ସୂଚନାଯୋଗ୍ୟ, ଶ୍ରୀମନ୍ଦିରରେ ପ୍ରାୟ ବର୍ଷେ ହେଲା ସେବାୟତଙ୍କ କ୍ଷେତ୍ରରେ ଡ୍ରେସକୋଡ୍‌ ଲାଗୁ ହୋଇଛି। ସେବାୟତମାନେ ସେମାନଙ୍କ ପାରମ୍ପରିକ ପୋଷାକ ପରିଧାନ କରି  ମହାପ୍ରଭୁଙ୍କ ସେବାକାର୍ଯ୍ୟ ଆରମ୍ଭ କରିଛନ୍ତି। ମକୁଟା, ରଣପୁରୀ, ଧୋବ(ଧୋତି), ପାଟ ଆଦି ପିନ୍ଧି ପାଳି ଖଟିଛନ୍ତି। ସେବାୟତଙ୍କ ପାଇଁ ଡ୍ରେସ୍‌ କୋର୍ଡ ବ୍ୟବସ୍ଥା ଲାଗୁ ହେଲା ପରେ ଭକ୍ତଙ୍କ ପାଇଁ ମଧ୍ୟ ଏହି ନିୟମ ଲାଗୁ ହେବା ପାଇଁ ଦାବି ହୋଇ ଆସୁଛି। ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ଡ୍ରେସକୋଡ୍‌ ଲାଗୁ ଦାବି ଜୋର ଧରିଛି। ଶ୍ରୀମନ୍ଦିରର ବିଭିନ୍ନ ନିଯୋଗ ଏହା ସପକ୍ଷରେ ମତ ଦେଇଛନ୍ତି। ନଚେତ୍‌ ଶ୍ରୀମନ୍ଦିରରେ ଭକ୍ତଙ୍କ ଧାର୍ମିକ ଭାବନା କ୍ଷୁର୍ଣ୍ଣ ହେବ। ବିଶୃଙ୍ଖଳିତ ପରିବେଶ ସୃଷ୍ଟି ହେବ ବୋଲି ନିଯୋଗମାନେ ମତ ରଖିଛନ୍ତି। ଏ ସମ୍ପର୍କରେ ଖୁଣ୍ଟିଆ ନିଯୋଗ ବି ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖି ତୁରନ୍ତ ଡ୍ରୋସ୍‌କୋଡ୍‌ ଲାଗୁ ପାଇଁ ଦାବି କରିଛି।