ସ୍ବାସ୍ଥ୍ୟକେନ୍ଦ୍ରରେ ଏମିତି ଚାଲିଛି ଚିକିତ୍ସା? ମୋବାଇଲ୍‌ ଆଲୁଅରେ ହେଉଛି ଡ୍ରେସିଂ

ଅନୁଗୁଳ : ବିଜୁଳି କଟିଲେ ମୋବାଇଲ ଫୋନ୍‌ ଟର୍ଚ୍ଚରେ ଚିକିତ୍ସା ହେଉଛି। କୌଣସି ଉପାନ୍ତ ଗ୍ରାମାଂଚଳରେ ନୁହେଁ, ବିଦ୍ୟୁତ ଉତ୍ପାଦନର ପେଣ୍ଠସ୍ଥଳୀ ଅନୁଗୁଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ଅବସ୍ଥା ଏଭଳି।

ଆଜି ଅପରାହ୍ଣ ପ୍ରାୟ ୩ଟା ବେଳେ ବଅଁରପାଳ ଥାନା ମହୀଧରପୁର ଛକ ନିକଟରେ ସଂଘଟିତ ଏକ ବାଇକ୍‌ ଦୁର୍ଘଟଣାରେ ଜଣେ ଯୁବକ ଗୁରୁତର ହୋଇ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥି‌ଲେ। ପ୍ରାଥମିକ ଚିକିତ୍ସା ପାଇଁ ତାଙ୍କୁ ଡ୍ରେସିଂ କକ୍ଷରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡ୍ରେସିଂ କକ୍ଷରେ ସେତେବେଳେ ବିଦ୍ୟୁତ ସରବରାହ ନଥିଲା। ଫଳରେ, ମୋବାଇଲ୍‌ ଫୋନ୍‌ ଟର୍ଚ୍ଚ ଆଲୁଅରେ ଡାକ୍ତରଖାନାର କର୍ମଚାରୀମାନେ ରୋଗୀଙ୍କ ଚିକିତ୍ସା କରିଥିଲେ।

ଗର୍ଭନାଡ଼ି ବଦଳରେ ମୂତ୍ରଥଳି କାଟିଦେଲେ
ଚନ୍ଦ୍ରଗିରି : ଗଜପତି ଜିଲ୍ଲା ଚନ୍ଦ୍ରଗିରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପରିବାର ନିୟୋଜନ ଅସ୍ତ୍ରୋପଚାରରେ ଗୁରୁତର ତ୍ରୁଟି ଯୋଗୁଁ ଚନ୍ଦ୍ରଗିରି ଗ୍ରାମର ଜଣେ ମହିଳା ୨୨ ଦିନରୁ ଅଧିକ ହେଲାଣି ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଜୀବନ ସହ ସଂଗ୍ରାମ କରୁଛନ୍ତି।

ମୋହନା ବ୍ଳକ୍‌ ଚନ୍ଦ୍ରଗିରି ଗ୍ରାମର ନଡ଼ିଆ ସାହି ବାସିନ୍ଦା ପ୍ରମୋଦ ସାହୁଙ୍କ ଧର୍ମପତ୍ନୀ ବନିତା ସାହୁ (୩୦)ଙ୍କ ଗତ ଜୁଲାଇ ୧୬ ତାରିଖରେ ଚନ୍ଦ୍ରଗିରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପରିବାର ନିୟୋଜନ ଅସ୍ତ୍ରୋପଚାର କରାଯାଇଥିଲା। ମହିଳାଙ୍କ ସ୍ବାମୀ ପ୍ରମୋଦ ସାହୁ କହିବା ଅନୁସାରେ, ମୋହନା ସ୍ବାସ୍ଥ୍ୟକେନ୍ଦ୍ରରୁ ସ୍ବତନ୍ତ୍ର ଭାବେ ଚନ୍ଦ୍ରଗିରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଡ୍ୟୁଟିରେ ଆସିଥିବା ଡାକ୍ତର ତ୍ରୁଟିପୂର୍ଣ୍ଣ ଭାବେ ଗର୍ଭନାଡ଼ି ବଦଳରେ ମୂତ୍ରଥଳି କାଟି ଦେଇଥିଲେ। ଅସ୍ତ୍ରୋପଚାର ପରେ ପେଟରେ ଅସହ୍ୟ ଯନ୍ତ୍ରଣା ଆରମ୍ଭ ହେବା ସହ ପେଟ ଫୁଲି ଯାଇ ପରିସ୍ରା ନହେବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧିତ ଖବର