ଅନୁଗୁଳ: ଅନୁଗୁଳରୁ ବାହାରି ଥିବା ଲିଙ୍ଗରା ନାଳ ଏକଦା ଥିଲା ଚାଷୀମାନଙ୍କ ପାଇଁ ଆଶୀର୍ବାଦ। ଏହି ନାଳର ପାଣିକୁ ବ୍ୟବହାର କରି ଚାଷୀମାନେ କ୍ଷେତରେ ସୁନାର ଫସଲ ଫଳାଉଥିଲେ। କିନ୍ତୁ ଚଳିତ ବର୍ଷ ଏହି ନାଳ ଶୁଖିଲା ପଡ଼ିଛି। ଫଳରେ ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାର ପ୍ରାୟ ୩୨ଟି ଗାଁର ଚାଷଜମି ପ୍ରଭାବିତ ହୋଇଛି। ସେହି ଜମି ଏବେ ପଡ଼ିଆ ପଡ଼ିଛି। ସୂଚନା ମୁତାବକ, ଜଳସେଚନ ପାଇଁ ୧୯୬୦ ମସିହାରେ ଅନୁଗୁଳ ଡେରେଜାଙ୍ଗଠାରେ ‘ଡେରେଜାଙ୍ଗ ଡ୍ୟାମ୍’ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ୧୯୭୭-୭୮ ମସିହାରେ ଡେରେଜାଙ୍ଗ ଡ୍ୟାମ୍‌କୁ କାର୍ଯ୍ୟକ୍ଷମ କରାଯାଇ ବିଭିନ୍ନ ନାଳ ଓ କେନାଲ ଦେଇ ଜଳ ନିଷ୍କାସନର ବ୍ୟବସ୍ଥା କରାଯାଇଥିଲା। ଏହି ଜଳଭଣ୍ଡାରରେ ବର୍ଷାଦିନେ ଜଳ ଧାରଣ କ୍ଷମତାଠାରୁ ଅଧିକ ଜଳ ରହିଲେ ତାକୁ ନିଷ୍କାସନ କରିବାକୁ ୬ଟି ‌ଫାଟକ ରହିଛି। ଏହି ଫାଟକ ଦେଇ ଲିଙ୍ଗରା ନାଳ ବାହାରି ପରତରା, କୁଶାସିଂହା, କରଡ଼ାଗାଡ଼ିଆ, ଛେଳିଆପଡ଼ା, ବେନ୍ତପୁର, କାଙ୍ଗୁଲା, ଅଙ୍ଗାରବନ୍ଧ, ଅରାହାଟ ଦେଇ ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ଖଡ଼ଗପ୍ରସାଦଠାରେ ବ୍ରାହ୍ମଣୀ ନଦୀରେ ମିଶିଛି। ସେହିପରି ଚିରୋସ୍ ରୋତା ବଉଳି ନାଳ ଓ ଅନ୍ୟ ଛୋଟ ଛୋଟ ନାଳ ମଧ୍ୟ ଏହି ଲିଙ୍ଗରାରେ ମିଶିଛି। ବର୍ଷାଋତୁରେ ଏହି ନାଳରେ ବନ୍ୟା ଆସୁଥିବାବେଳେ ଖରାଦିନେ ଏହା ଶୁଖିଲା ପଡ଼ିଛି।

Advertisment

ଚାଷୀମାନେ କହିବା ମୁତାବକ, ପୂର୍ବବର୍ଷମାନଙ୍କରେ ଏହି ନାଳର ପାଣିକୁ ବ୍ୟବହାର କରାଯାଇ ଶହ ଶହ ହେକ୍ଟର ଚାଷ ଜମିରେ ଫସଲ ଚାଷ କରାଯାଉଥିଲା। ଚାଷଜମିରେ ଜଳ ସେଚନ ପାଇଁ ସରକାରଙ୍କ ପକ୍ଷରୁ ଉଠା ସେଚ ପ୍ରକଳ୍ପ ନିର୍ମାଣ କରାଯାଇଥିଲା। ଚାଷୀମାନଙ୍କୁ ନେଇ ପାଣି ପଞ୍ଚାୟତ ଗଠନ କରାଯାଇ ଚାଷ କରିବା ପାଇଁ ସେମାନଙ୍କ ମଧ୍ୟ‌ରେ ଆଗ୍ରହ ସୃ୍ଷ୍ଟି କରାଯାଉଥିଲା। ଏହା ଦ୍ବାରା ସାରାବର୍ଷ ନାଳ କୂଳ ଚାଷ ଜମିଗୁଡ଼ିକରେ ସୁନାର ଫସଲ ଫଳୁଥିଲା। ଚାଷୀମାନେ କ୍ବିଣ୍ଟାଲ କ୍ବିଣ୍ଟାଲ ଧାନ ଅମଳ କରି ପାରୁଥିଲେ। ‌ସେହିପରି ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାର ୩୨ରୁ ଅଧିକ ଗାଁର ଲୋକେ ଏହି ନାଳରେ ସ୍ନାନଶୌଚ ହୋଇପାରୁଥିଲେ। କିନ୍ତୁ ଗତ ପ୍ରାୟ ୫ ବର୍ଷ ହେଲା ଗ୍ରୀଷ୍ମଋତୁରେ ଲିଙ୍ଗରା ନାଳ ଶୁଖିଯାଉଛି। ଚଳିତ ବର୍ଷ ଏହି ନାଳ ଅଧିକ ଶୁଖିଯାଇଥିବା ଦେଖାଯାଇଛି। ଫଳରେ ଅନୁଗୁଳ ସମେତ ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ୍‌ର କିଛି ଅଞ୍ଚଳର ଜନସାଧାରଣ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେବେ ଡେରେଜାଙ୍ଗ ଜଳ ଭଣ୍ଡାରରୁ କାହିଁକି ଏବେ ପାଣି ଛଡ଼ାଯାଉନାହିଁ ବୋଲି ଜଳ ଭଣ୍ଡାର ଯନ୍ତ୍ରୀ ଜବାହାରଲାଲ୍‌ ମୁର୍ମୁଙ୍କୁ ପଚାରିବାରୁ ସେ କହିଛନ୍ତି, ବର୍ତ୍ତମାନ ଏହି ଡ୍ୟାମ୍‌ରେ ସ୍ବାଭାବିକଠାରୁ ଅଧିକ ଜଳ କମିଛି। ଏବେ ଜଳଭଣ୍ଡାରରେ ୨୦୧୮ ହେକ୍ଟୋ ମିଟର ଜଳ ରହିଛି। ତେଣୁ ଏବେ ଡ୍ୟାମ୍‌ରୁ ଜଳ ନିଷ୍କାସନ କରିବା ସମ୍ଭବ ନୁହେଁ ବୋଲି ସେ ପ୍ରକାଶ କରିଛନ୍ତି।