ଶୁଖିଗଲା ଇନ୍ଦ୍ରାବତୀ ଜଳଭଣ୍ଡାର: ବିଦ୍ୟୁତ୍‌ ଉତ୍ପାଦନ ପ୍ରଭାବିତ ଆଶଙ୍କା

ଗଚ୍ଛିତ ରହିଛି ୧୧.୮୩% ଜଳ, ଗତବର୍ଷ ଅପେକ୍ଷା ୧୫% କମ୍‌

ନବରଙ୍ଗପୁର: ଜୁନ୍‌ ମାସର ପ୍ରଥମ ୧୧ଦିନ ବିତିଲାଣି। ଅଥଚ ମୌସୁମୀର ଦେଖାନାହିଁ। ଗ୍ରୀଷ୍ମ ଲହରୀ ବି ଜାରି ରହିଛି। ଯାହାର ବଡ଼ ପ୍ରଭାବ ଏବେ ନବରଙ୍ଗପୁର ଜିଲ୍ଲାର ଜୀବନରେଖା କୁହାଯାଉଥିବା ଇନ୍ଦ୍ରାବତୀ ଜଳଭଣ୍ଡାର ଉପରେ ପଡ଼ିଛି। ଆଜି ଜଳଭଣ୍ଡାରେ ମାତ୍ର ୧୭,୫୭୮ ହେକ୍ଟୋମିଟର ଜଳ ଗଚ୍ଛିତ ରହିଛି। ଯାହା ମୋଟ କ୍ଷମତାର ମାତ୍ର ୧୧.୮୩ ପ୍ରତିଶତ ଜଳ। ଗତବର୍ଷ ଆଜିର ତାରିଖରେ ୩୮,୯୦୨ ହେକ୍ଟୋମିଟର (୨୬.୧୮ ପ୍ରତିଶତ) ଜଳ ଗଚ୍ଛିତ ରହିଥିଲା। ଗତବର୍ଷ ତୁଳନାରେ ୧୫ପ୍ରତିଶତ କମ ପାଣି ରହିଥିବାରୁ ଆଉ କିଛି ଦିନ ପରେ ବିଦ୍ୟୁତ ଉତ୍ପାଦନ ପ୍ରଭାବିତ ହେବା ଆଶଙ୍କା କରାଯାଉଛି। ଇନ୍ଦ୍ରାବତୀ ଜଳଭଣ୍ଡାର ସଂଲଗ୍ନ ଅଞ୍ଚଳ ତଥା ଉପରମୁଣ୍ଡରେ ଆବଶ୍ୟକ ତୁଳନାରେ କମ ବର୍ଷା କାରଣରୁ ସ୍ଥିତି ଗମ୍ଭୀର‌ ହେବାରେ ଲାଗିଛି।

ଇନ୍ଦ୍ରାବତୀ ଜଳଭଣ୍ଡାର ଜଳଧାରଣ‌ କ୍ଷମତା ୬୪୨ ମିଟର ହୋଇଥିବା ବେଳେ ୧ଲକ୍ଷ ୪୮ହଜାର ୫୫୦ ହେକ୍ଟୋମିଟର ଜଳ ଗଚ୍ଛିତ ହୋଇପାରିବ। ଜୁଲାଇ ପହିଲା ସୁଦ୍ଧା ୬୩୮ ମିଟର ପାଣି ଗଚ୍ଛିତ ରହିଲେ ବିଦ୍ୟୁତ ଉତ୍ପାଦନ ଉପରେ କୌଣସି ପ୍ରଭାବ ପଡ଼ିନଥାଏ। କିନ୍ତୁ ଆଜି ଜଳଭଣ୍ଡାର ଜଳସ୍ତର ୬୨୭.୭୭ ମିଟର ରହିଛି। ଗତବର୍ଷ ଜୁନ୍‌ ୧୧ତାରିଖରେ ଜଳସ୍ତର ୬୩୦.୭୨ ମିଟର ରହିଥିଲା। ଗତବର୍ଷ ତୁଳନାରେ ପ୍ରାୟ ୩ମିଟର କମ ପାଣି ରହିଛି। ଜଳଭଣ୍ଡାର ମଧ୍ୟକୁ ଏବେ ପ୍ରତି ସେକେଣ୍ଡରେ ୨୦.୩୪୭ କ୍ୟୁମେକ୍ ଜଳ ପ୍ରବେଶ କରୁଥିବା ବେଳେ ପ୍ରତି ସେକେଣ୍ଡରେ ୫୧.୭୩୬ କ୍ୟୁମେକ୍ ଜଳ ନିଷ୍କାସିତ ହେଉଛି। ନିଷ୍କାସିତ ହେଉଥିବା ଜଳରୁ ୪୧.୮୮୭ କ୍ୟୁମେକ୍‌ ବିଦ୍ୟୁତ୍‌ ଉତ୍ପାଦନ ପରେ ପାୱାର ହାଉସ୍‌ରୁ ମହାନଦୀ ବେସିନ୍ ଅନ୍ତର୍ଗତ ହାତୀ ବ୍ୟାରେଜ୍‌ରେ ପ୍ରବେଶ କରୁଛି। ସେହିପରି ଇନ୍ଦ୍ରାବତୀ ନଦୀରେ ୫.୧୫ କ୍ୟୁମେକ୍ ପାଣି ପ୍ରବାହିତ ହେଉଥିଲା ବେଳେ ୪.୭୦ କ୍ୟୁମେକ୍‌ ପାଣି ଲିକେଜ୍‌ ହେଉଛି। ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ଯେତିକି ପାଣି ପଶୁଛି ତାହାର ଅଢ଼େଇ ଗୁଣ ନିଷ୍କାସିତ ହେଉଛି। ଯାହା ଜଳସଂକଟର ମୂଳ କାରଣ ବୋଲି ଜଣାପଡ଼ିଛି।

ଜଳଭଣ୍ଡାର ସଂଲଗ୍ନ ଅଞ୍ଚଳରେ ଗତବର୍ଷ ଜାନୁଆରିରୁ ଜୁନ୍ ୧୧ତାରିଖ ପର୍ଯ୍ୟନ୍ତ ୨୦୯.୬ ମିମି ବର୍ଷା ହୋଇଥିବା ବେଳେ ଚଳିତ ବର୍ଷ ଜାନୁଆରିରୁ ଆଜି ପର୍ଯ୍ୟନ୍ତ ମାତ୍ର ୧୩୬ ମିମି ବର୍ଷା ହୋଇଛି। ସେହିପରି ଉପରମୁଣ୍ଡରେ ବର୍ଷା କମିବା କାରଣରୁ ଜଳସ୍ତର ନିମ୍ନଗାମୀ ହେଉଥିବା କୁହାଯାଉଛି। ବିଦ୍ୟୁତ ଉତ୍ପାଦନ ଲାଗି ଜଳଭଣ୍ଡାରରେ ଅତିକମରେ ଜଳସ୍ତର ୬୨୫ ମିଟରରୁ ଅଧିକ ରହିବା ଆବଶ୍ୟକ। ଆଜି ସୁଦ୍ଧା ଜଳସ୍ତର ମାତ୍ର ୬୨୭.୭୭ ମିଟର ରହିଛି। ଯଦି ସପ୍ତାହକ ମଧ୍ୟରେ ଭଲ ବର୍ଷା ନହୁଏ ତେବେ ସ୍ଥିତି ଅଧିକ ବିଷମ ହେବ ବୋଲି ଆଶଙ୍କା କରାଯାଉଛି। ଏବେ ମୁଖିଗୁଡାସ୍ଥିତ ବିଦ୍ୟୁତ ଉତ୍ପାଦନ କେନ୍ଦ୍ରରୁ ପ୍ରତି ଘଣ୍ଟାରେ ୧୨୫.୬୬୭ ମେଗାୱାଟ୍‌ ବିଦ୍ୟୁତ୍‌ ଉତ୍ପାଦନ ହେଉଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର