ପୁଲିସର ‘ମଦୁଆ ଡ୍ରାଇଭର୍‌’ ମିସନ୍‌ : ଧରିବା ମାତ୍ରେ ଜେଲ୍‌ ପଠାଅ

୧୪ ଟୋଲ୍‌ ଗେଟ୍‌ରେ ଆଜି ସନ୍ଧ୍ୟାରୁ ଯାଞ୍ଚ, ଗିରଫର ଦୁଇ ଘଣ୍ଟାରେ ରକ୍ତ ପରୀକ୍ଷା ପାଇଁ ନିର୍ଦେଶ

କଟକ : ‘ମଦ ପିଇ ଗାଡ଼ି ଚଳାଇଥିବା ଚାଳକଙ୍କୁ ଛାଡ଼ ନାହିଁ। ଗାଡ଼ି ଅଟକାଇ ସେମାନଙ୍କୁ ଧର। ବ୍ରେଥ୍‌ ଆନାଲାଇଜର‌୍‌ ଓ ରକ୍ତ ପରୀକ୍ଷାରୁ ମଦ ପିଇଥିବା ଜଣାପଡ଼ିଲେ ତୁରନ୍ତ ଚାଳକଙ୍କୁ ଗିରଫ କରି କୋର୍ଟ ଚାଲାଣ କର।’- ନୂଆ ମୋଟର ଯାନ ଆଇନକୁ ନେଇ ସଂପ୍ରତି ସାରା ରାଜ୍ୟରେ କଡ଼ାକଡ଼ି ଗାଡ଼ି ମଟର ଯାଞ୍ଚ ଚାଲିଥିବା ବେଳେ ଆଜି ପୁଲିସ ଡିଜି ବିଜୟ କୁମାର ଶର୍ମା ମଦୁଆ ଚାଳକଙ୍କୁ ସାବାଡ୍‌ କରିବା ପାଇଁ ଏହି ମର୍ମରେ ସମସ୍ତ ଜିଲ୍ଲା ଏସ୍‌ପିଙ୍କୁ କଡ଼ା ନିର୍ଦେଶ ଦେଇଛନ୍ତି। କୌଣସି ପରିସ୍ଥିତିରେ ମଦୁଆ ଡ୍ରାଇଭର୍‌ଙ୍କୁ ନ ଛାଡ଼ିବାକୁ ପୁଲିସ ଅଧିକାରୀଙ୍କୁ ତାଗିଦ୍ କରାଯିବା ସହ ଆଜି ସଂଧ୍ୟାରୁ ରାଜ୍ୟର ୧୪ଟି ଟୋଲଗେଟ୍‌ରେ ଗାଡ଼ି ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିବାକୁ କୁହାଯାଇଛି। ପୁଲିସର ଏପ୍ରକାର ‘ମଦୁଆ ଡ୍ରାଇଭର୍‌’ ମିସନ୍‌ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ଅନ୍ୟପଟେ ଏହାକୁ ନେଇ ଡ୍ରାଇଭର୍‌ଙ୍କ ମଧ୍ୟରେ ଭାଳେଣି ପଡ଼ିଯାଇଛି।

ଉଲ୍ଲେଖଯୋଗ୍ୟ, ରାଜ୍ୟରେ ଉଦ୍‌ବେଗଜନକ ଭାବେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଅଧିକାଂଶ ଦୁର୍ଘଟଣାର କାରଣ ନିଶାଗ୍ରସ୍ତ ଚାଳକଙ୍କ ବେପରୁଆ ଗାଡ଼ି ଚାଳନା ବୋଲି ଜଣାପଡ଼ିବା ପରେ ସୁପ୍ରିମକୋର୍ଟ ଦ୍ବାରା ଗଠିତ ସଡ଼କ ସୁରକ୍ଷା କମିଟି ଜାଣିବାକୁ ପାଇଥିଲା। ଏଣୁ ବର୍ଧିତ ଦୁର୍ଘଟଣାହାରକୁ ୧୦ପ୍ରତିଶତ କମ୍‌ କରିବା ପାଇଁ ସଂପ୍ରତି କମିଟି ରାଜ୍ୟଵାରୀ ସରକାରଙ୍କୁ ନିର୍ଦ୍ଦେଶ ଦେବା ସହ ମୋଟର ଯାନ ଆଇନ-୧୯୮୮ ଅନୁଯାୟୀ ମଦ୍ୟପାନ କରି ଗାଡ଼ି ଚଳାଉଥିବା ଚାଳକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବାକୁ ନିର୍ଦେଶ ଦେଇଛି। ତା’ସହିତ ଜରିମାନା ଆଦାୟ କରିବାକୁ ବି କମିଟି ପକ୍ଷରୁ ସରକାରଙ୍କୁ କୁହାଯାଇଛି। ପ୍ରଥମ ପର୍ଯ୍ୟାୟରେ ଶେରଗଡ଼, ପାଣିକୋଇଲି, ଢେଙ୍କିକୋଟ, ପଳାଶପଙ୍ଗ, ରାମଚନ୍ଦ୍ରପୁର, ପିପିଲି, ମାଶୁଣିକଣି, ରାଜଗାଙ୍ଗପୁର, ତାପଙ୍ଗ, ଲଙ୍ଗଳେଶ୍ବର, ଶାସନ, ଅତାବିରା, ବାଲିଚନ୍ଦ୍ରପୁର, ମଙ୍ଗୁଳି ଭଳି ୧୪ଟି ତନଖି ଫାଟକରେ ଆଜି ସନ୍ଧ୍ୟାରୁ ବ୍ରେଥ ଆନାଲାଇଜର‌୍‌ ଯନ୍ତ୍ରକୁ ବ୍ୟବହାର କରି ମଦ ପିଇ ଗାଡ଼ି ଚଳାଉଥିବା ଚାଳକଙ୍କୁ ଗିରଫ କରାଯିବାକୁ ପୁଲିସ ଡିଜି ବିଜୟ ଶର୍ମା ସମସ୍ତ ଜିଲ୍ଲା ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ଆବଶ୍ୟକୀୟ ପୁଲିସ ଫୋର୍ସ ମୁତୟନ କରାଯିବ। ନିର୍ଦ୍ଦେଶନାମାରେ ଦର୍ଶାଯାଇଛି କି, ଯଦି କୌଣସି ବ୍ୟକ୍ତି ମଦ୍ୟପାନ କରି ଗାଡ଼ି ଚଳାଉଥିବା ନେଇ ପୁଲିସ ଅଧିକାରୀ ସନ୍ଦେହ କରନ୍ତି, ତେବେ ଉକ୍ତ ବ୍ୟକ୍ତିଙ୍କ ଗାଡ଼ିକୁ ଅଟକାଇ ତାଙ୍କର ଶ୍ବାସ ପରୀକ୍ଷା କରାଯିବ। ସମ୍ପୃକ୍ତ ବ୍ୟକ୍ତିଙ୍କ ୧୦୦ ମିଲିଗ୍ରାମ ରକ୍ତ ନମୁନାରେ ୩୦ ମିଲିଗ୍ରାମଠାରୁ ଅଧିକ ଆଲ୍‌କହଲ ଥିବ ଏବ˚ ସେ ନିରାପଦ ଭାବେ ଗାଡ଼ି ଚଳାଇବା ପାଇଁ ସକ୍ଷମ ନୁହନ୍ତି, ତେବେ ତାଙ୍କୁ ଗିରଫ କରାଯିବ। ଗିରଫ ହେବାର ଦୁଇ ଘଣ୍ଟା ମଧ୍ୟରେ ସମ୍ପୃକ୍ତ ବ୍ୟକ୍ତିଙ୍କଠାରୁ ପଞ୍ଜୀକୃତ ଡାକ୍ତରଙ୍କ ଦ୍ବାରା ରକ୍ତ ନମୁନା ସ˚ଗ୍ରହ କରାଯିବ। ସମ୍ପୃକ୍ତ ବ୍ୟକ୍ତି ଯଦି ଜଣେ ମହିଳା ହୋଇଥାନ୍ତି, ତେବେ ତାଙ୍କ ରକ୍ତ ନମୁନା ଜଣେ ମହିଳା ପଞ୍ଜୀକୃତ ଡାକ୍ତରଙ୍କ ଦ୍ବାରା ସ˚ଗ୍ରହ କରାଯିବ କିମ୍ବା ମହିଳା ଡାକ୍ତର ନ ଥିଲେ ଜଣେ ମହିଳାଙ୍କ ଉପସ୍ଥିତିରେ ସ˚ଗ୍ରହ କରାଯିବ। ଗିରଫ କଲା ପରେ ଅଟକ ଥିବା ଗାଡ଼ିର ଥଇଥାନ ପାଇଁ ପୁଲିସ ଅଫିସର ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବେ। ଗିରଫ ବ୍ୟକ୍ତି ଯଦି ଜାମିନଦାର ଦେଇ ନ ପାରିବେ, ତେବେ ସେମାନଙ୍କୁ ଦୁଇ ଜଣ ସାକ୍ଷୀଙ୍କ ଦ୍ବାରା ଦସ୍ତଖତ ହୋଇଥିବା ଅଭିଯୋଗ ନଥିପତ୍ର ସହିତ କୋର୍ଟକୁ ଚାଲାଣ କରାଯିବ। ଗିରଫ ବ୍ୟକ୍ତିଙ୍କ ଠିକଣା ଓ ମୋବାଇଲ ନମ୍ବର ସ˚ଗ୍ରହ ପାଇଁ ପ୍ରଚେଷ୍ଟା କରାଯିବ। ତନଖି ଫାଟକରେ ଲାଗିଥିବା ସିସିଟିଭା କ୍ୟାମେରା ମାଧ୍ୟମରେ କାର୍ଯ୍ୟାନୁଷ୍ଠାନ ହେଉଥିବା ସମସ୍ତ ରେକର୍ଡି˚କୁ ସ˚ଗୃହୀତ କରାଯାଇ କୋର୍ଟରେ ଦାଖଲ କରାଯିବ। ଗାଡ଼ି ଜବତ ପରେ ସେଥିରେ ଥିବା ଯାତ୍ରୀଙ୍କୁ ଅନ୍ୟ ଗାଡ଼ିରେ ଗନ୍ତବ୍ୟ ସ୍ଥଳକୁ ପଠାଇବାର ବ୍ୟବସ୍ଥା ପୁଲିସ ଦ୍ବାରା କରାଯିବ। ଯଥା ସମ୍ଭବ ଯାତ୍ରୀଙ୍କୁ ଶାଳୀନତାର ସହିତ ଭଦ୍ର ବ୍ୟବହାର ଦେଖାଇବେ ପୁଲିସ ଅଫିସର। ନିର୍ଦ୍ଦିଷ୍ଟ ଭାବେ ବୟସ୍କ ବ୍ୟକ୍ତି, ମହିଳା ଓ ଶିଶୁଙ୍କ କ୍ଷେତ୍ରରେ ଅଧିକ ଧ୍ୟାନ ଦେବାକୁ ପୁଲିସ ଅଫିସରଙ୍କୁ ତାଗିଦ୍‌ କରାଯାଇଛି। ପୁଲିସ ଅଫିସର କେବଳ ମଦ୍ୟପାନ କରି ଗାଡ଼ି ଚଳାଉଥିବାର ସନ୍ଦେହ ହେଲେ ବ୍ୟକ୍ତିଙ୍କୁ ଅଟକାଇ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଡିଜି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର