ଭୁବନେଶ୍ବର : ‘୫ଟି ଅଭିଯାନ’ ଅଧୀନରେ ‘ଡ୍ରିଙ୍କ ଫ୍ରମ୍ ଟ୍ୟାପ ମିସନ’ ପୁରୀରେ ଆରମ୍ଭ ହୋଇଛି। ଏଥିରେ ଟ୍ୟାପ୍ରୁ ୨୪ ଘଣ୍ଟିଆ ଜଳ ଯୋଗାଣ ହେଉଛି। ଏଭଳି ଏକ ସଫଳତା ହାସଲ କରିବାରେ ପୁରୀ ଦେଶର ପ୍ରଥମ ସହର ହୋଇଥିବା ବେଳେ ଅନ୍ତର୍ଜାତୀୟ ସହର ଲଣ୍ଡନ, ନ୍ୟୁୟର୍କ, ସିଙ୍ଗାପୁର ଓ ଟୋକିଓର ସମକକ୍ଷ ହୋଇପାରିଛି। ଏହି ପଦକ୍ଷେପ ଫଳରେ ପୁରୀରୁ ବାର୍ଷିକ ୪ଶହ ଟନ୍ ପ୍ଲାଷ୍ଟିକ ବର୍ଜ୍ୟ ହ୍ରାସ ପାଇବ। ଏହାକୁ ଆଗାମୀ ଦିନରେ ଭୁବନେଶ୍ବର, କଟକ, ବ୍ରହ୍ମପୁର, ରାଉରକେଲା ସମେତ ୧୭ଟି ସହରକୁ ସଂପ୍ରସାରଣ କରିବା ଲାଗି ଲକ୍ଷ୍ୟ ରଖାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।
ଦେଶରେ ଆଜି ଅମୃତ ୨.୦ ଓ ଏସ୍ବିଏମ୍ ୨.୦ର ଶୁଭାରମ୍ଭ ହୋଇଛି। କାର୍ଯ୍ୟକ୍ରମରେ ଦେଶର ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ସାମିଲ ହୋଇଥିଲେ। ଭର୍ଚୁଆଲ ମୋଡରେ ସାମିଲ ହୋଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ରାଜ୍ୟର ସହରାଞ୍ଚଳରେ ବାସ କରୁଥିବା ସମସ୍ତ ପରିବାରକୁ ସ୍ବଚ୍ଛ ଓ ନିରାପଦ ଟ୍ୟାପ୍ ପାଣି ଯୋଗଣ ଓ ଅବର୍ଜନାମୁକ୍ତ ସହର ପାଇଁ ରାଜ୍ୟ ସରକାରଙ୍କ ପ୍ରାଥମିକତା ରହି ଆସିଛି। ରାଜ୍ୟରେ ୨୦୧୫ ମସିହାରେ ଅମୃତ ମିସନ ଆରମ୍ଭ ହେବା ପରେ ରାଜ୍ୟର ୯ଟି ସହରରେ ପାଣି ଯୋଗାଣ ଓ ସେପ୍ଟେଜ୍ ପରିଚାଳନାରେ ବିଶେଷ ଅଗ୍ରଗତି ହୋଇଛି। ଏଥିପାଇଁ ୧୬ ଶହ କୋଟି ଟଙ୍କାର ନିବେଶ କରାଯାଇଛି। ଅମୃତ ଯୋଜନାର ସଫଳ ରୂପାୟନ ପାଇଁ ଗତ ୩ବର୍ଷ ଧରି ଓଡ଼ିଶା ଜାତୀୟ ସ୍ତରରେ ପ୍ରଥମ ସ୍ଥାନରେ ରହି ଆସୁଛି। ଏ ପର୍ଯ୍ୟନ୍ତ ୧୧୪ଟି ସହରରରୁ ୨୭ଟିରେ ଶତ ପ୍ରତିଶତ ଘରକୁ ପାଣି ସଂଯୋଗ ହୋଇପାରିଛି। ୧୦ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ସହର ବର୍ଗରେ ଭୁବନେଶ୍ବର ଏକମାତ୍ର ଓ ପ୍ରଥମ ସହର ହୋଇପାରଛି। ତେବେ ଆସନ୍ତା ବର୍ଷ ଡିସେମ୍ବର ସୁଦ୍ଧା ସମସ୍ତ ସହରକୁ ଶତ ପ୍ରତିଶତ ସଂଯୋଗ ଲକ୍ଷ୍ୟ ରହିଛି।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଅମ୍ରୁତ ମିସନ ଅଧୀନରେ ପୁରୀ ସମତେ ୯ଟି ସହରରେ ମଳ ପରିଚାଳନା(ଏଫ୍ଏସ୍ଏମ୍) କାର୍ଯ୍ୟକାରୀ ହୋଇଥିବା ବେଳେ ପ୍ରତିଷ୍ଠା ହୋଇଥିବା କୋ-ଟ୍ରିଟମେଣ୍ଟ ସୁବିଧା ଦେଶରେ ସ୍ବୀକୃତି ହାସଲ କରିଛି। ତେବେ ଅମୃତ ସହର ବାଦ୍ ରାଜ୍ୟର ଅନ୍ୟ ସହରଗୁଡ଼ିକୁ ମଧ୍ୟ ଏହା ସମ୍ପ୍ରସାରିତ ହୋଇଛି। ଏବେ ମିସନ ଶକ୍ତିଙ୍କ ଜରିଆରେ ୫୫ଟି ଟ୍ରିଟମେଣ୍ଟ ପ୍ଲାଣ୍ଟ ରାଜ୍ୟରେ ପରିଚାଳିତ ହେଉଛି। ତେବେ ଆସନ୍ତା ବର୍ଷ ମାର୍ଚ ସୁଦ୍ଧା ୧୧୪ ସହରରେ ଶତ ପ୍ରତିଶତ ମଳ ପରିଚାଳନା ଲକ୍ଷ୍ୟ ରଖାଯାଇଛି। କେନ୍ଦ୍ର ସରକାର ଅମୃତ ୨.୦ ଓ ଏସ୍ବିଏମ୍ ୨.୦ ଯୋଜନାର ଆରମ୍ଭ କରିଥିବା ବେଳେ ରାଜ୍ୟ ସରକାର ଏଥିପାଇଁ ସମସ୍ତ ସହଯୋଗ କରିବେ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।