ଭୁବନେଶ୍ୱର: ମହାପ୍ରଭୁଙ୍କ ଧାମ ସବୁଠାରୁ ଆଗରେ । ଆଜି ପୁରୀରେ 'ଡ୍ରିଙ୍କ ଫ୍ରମ ଟ୍ୟାପ' ପ୍ରକଳ୍ପ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବାରେ ପୁରୀ ହେଉଛି ଦେଶର ପ୍ରଥମ ସହର। ଏହାଦ୍ବାରା ପୁରୀର ଜନସାଧାରଣ ଟ୍ୟାପରୁ ସିଧାସଳଖ ଉଚ୍ଚମାନର ପିଇବା ପାଣି ପାଇଲେ । ପିଇବା ପାଣିକୁ ଷ୍ଟୋର କରି ରଖିବା ଦରକାର ନାହିଁ, କିମ୍ବା ଫିଲଟର୍ କରିବା ମଧ୍ୟ ଆବଶ୍ୟକ ନାହିଁ । ବିଶ୍ବର କେବଳ ବଡ଼ ବଡ଼ ସହରମାନଙ୍କରେ ଏଭଳି ସୁବିଧା ମିଳେ । ଏହାଦ୍ବାରା ପୁରୀର ଅଢେଇ ଲକ୍ଷ ଜନସାଧାରଣଙ୍କ ସହିତ ବର୍ଷକୁ ଆସୁଥିବା ୨ କୋଟି ପର୍ଯ୍ୟଟକ ଏହା ଦ୍ୱାରା ଉପକୃତ ହେବେ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆଜି ଦିନଟି କେବଳ ପୁରୀ ନୁହେଁ, ସାରା ଓଡ଼ିଶାର ବିକାଶ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛି । ମହାପ୍ରଭୁଙ୍କ ଧାମ ପୁରୀରେ ସବୁ ପରିବାରକୁ ଆଜିଠାରୁ ଟ୍ୟାପରେ ଭଲ ପିଇବା ପାଣି ମିଳିଲା । 'ଡ୍ରିଙ୍କ ଫ୍ରମ ଟ୍ୟାପ' ବା ସୁଜଳ ଯୋଜନାରେ ଆପଣମାନେ ସିଧା ଟ୍ୟାପରୁ ପାଣି ଆଣି ପିଇପାରିବେ। ଷ୍ଟୋରେଜ ବା ଫିଲ୍ଟର କରିବା କିଛି ବି ଦରକାର ନାହିଁ। ଦିନରାତି ୨୪ ଘଣ୍ଟା ଏହି ସେବା ମିଳିବ।
ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ, ସାରା ଦେଶରେ 'ଡ୍ରିଙ୍କ ଫ୍ରମ ଟ୍ୟାପ' କାର୍ଯ୍ୟକାରୀ ହେବାରେ ପୁରୀ ପ୍ରଥମ। ମହାପ୍ରଭୁଙ୍କ ଧାମ ସବୁଠାରୁ ଆଗରେ । ଆମର ମେଟ୍ରୋ ସହର ମାନଙ୍କରେ ବି ଏ ସୁବିଧା ନାହିଁ । ଏ ଯୋଜନା ପାଇଁ ପୁରୀ ଆଜି ଲଣ୍ଡନ, ନିୟୁୟର୍କ, ସିଙ୍ଗାପୁର ଆଦି ବିଶ୍ବର ବଡ଼ ବଡ଼ ସହରରେ ସାମିଲ ହୋଇପାରିଛି । ଏହା ସମସ୍ତଙ୍କ ପାଇଁ ଖୁସିର କଥା ବୋଲି ସେ କହିଥିଲେ ।
ରାଜ୍ୟ ନଗର ଉନ୍ନୟନ ଓ ଗୃହନିର୍ମାଣ ବିଭାଗକୁ ଧନ୍ୟବାଦ ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ୯ ମାସ ମଧ୍ୟରେ ପୁରୀର ୨.୫ ଲକ୍ଷ ଲୋକଙ୍କ ପାଇଁ 'ଡ୍ରିଙ୍କ ଫ୍ରମ ଟ୍ୟାପ' ସୁବିଧା ମିଳିବା ସହିତ ପୁରୀକୁ ପ୍ରତି ବର୍ଷ ଆସୁଥିବା ୨ କୋଟି ପର୍ଯ୍ୟଟକ ମଧ୍ୟ ଏହି ସୁବିଧା ପାଇପାରିବେ । ସେମାନଙ୍କୁ ଆଉ ପାଣି ବୋତଲ ଧରି ବୁଲିବାକୁ ପଡ଼ିବ ନାହିଁ । ଏହି ପ୍ରକଳ୍ପରେ ବଡ଼ଦାଣ୍ଡ ସହିତ ସହରର ୪୦୦ଟି ଜାଗାରେ ପାଣି ଫାଉଣ୍ଟେନ କରାଯାଇଛି | ଏହାଦ୍ବାରା ୪୦୦ ମେଟ୍ରିକ ଟନ୍ ପ୍ଲାଷ୍ଟିକ ଆବର୍ଜନାରୁ ମଧ୍ୟ ସହର ରକ୍ଷା ପାଇପାରିବ। ୫ଟି ପରିବର୍ତ୍ତନଶୀଳ ପଦକ୍ଷେପର ଏହା ହେଉଛି ଶ୍ରେଷ୍ଠ ମଡ଼େଲ। ଭଲ ପିଇବା ପାଣିର ସ୍ବାସ୍ଥ୍ୟ, ଜୀବନଧାରଣର ମାନ ଓ ଅର୍ଥନୀତି ସହ ଗଭୀର ସଂପର୍କ ରହିଛି । ତେଣୁ ପାଣିକୁ କେବେ ନଷ୍ଟ କିମ୍ବା ଦୂଷିତ ନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ। ଭଲ ପିଇବା ପାଣି ପାଇଁ ବଜେଟକୁ ୫ ବର୍ଷରେ ୨୦ ଗୁଣ ବୃଦ୍ଧି କରାଯାଇଛି ଓ ୨୦୦ କୋଟିର ବଜେଟ ଆଜି ୪ ହଜାର କୋଟି ଟଙ୍କାରେ ପହଞ୍ଚିଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ।
/sambad/media/post_attachments/wp-content/uploads/2021/02/naveen-patnaik-e1613405118616-450x300.jpg)
ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ବିଭାଗ ପକ୍ଷରୁ ନିଆଯାଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରି କହିଥିଲେ ଯେ ସାରା ଓଡ଼ିଶାର ୧୬ଟି ସହରରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି । ସହରମାନଙ୍କରେ ଉଚ୍ଚମାନର ସୁବିଧା ଯୋଗାଇ ଦେବାପାଇଁ ମୁଖ୍ୟମନ୍ତ୍ରୀ ସବୁବେଳେ ଗୁରୁତ୍ବ ଦେଇଥାନ୍ତି | ପୁରୀରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବା ଦ୍ବାରା ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନ ଆଜି ସାର୍ଥକ ହୋଇଛି ।
ଭାରତ ସରକାରଙ୍କ ଗୃହ ନିର୍ମାଣ ଓ ନଗର ବ୍ୟାପାର ସଚିବ ଦୁର୍ଗାଶଂକର ମିଶ୍ର କହିଲେ ଯେ, ଶ୍ରାବଣ ମାସର ପ୍ରଥମ ସୋମବାର ଦିନ ମହାପ୍ରଭୁ ଜଗନ୍ନାଥଙ୍କ ସହର ପୁରୀରେ ଦେଶର ସର୍ବପ୍ରଥମ 'ଡ୍ରିଙ୍କ ଫ୍ରମ ଟ୍ୟାପ' ପ୍ରକଳ୍ପ କାର୍ଯ୍ୟକାରୀ ହେବା ଗୌରବର କଥା । ଏହା ଭାରତର ଅନ୍ୟ ସହରମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ବୋଲି ସେ କହିଥିଲେ । ଏଥିପାଇଁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟ ସରକାରଙ୍କ ଉଚ୍ଚ ପ୍ରଶଂସା କରିଥିଲେ ।
ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ । ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଜି. ମାଥିଭାତନନ୍ ସ୍ବାଗତ ଭାଷଣ ଦେଇଥିଲେ ଏବଂ ୱାଟକୋର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ପି.କେ. ସ୍ବାଇଁ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ମନ୍ତ୍ରୀ ସମୀର ଦାଶ, ଯୋଜନା ବୋର୍ଡର ଉପାଧ୍ୟକ୍ଷ ସଂଜୟ ଦାସବର୍ମା, ସାଂସଦ ପିନାକୀ ମିଶ୍ର, ବିଧାୟକ ଜୟନ୍ତ ଷଡଙ୍ଗୀ, ଉମା ସାମନ୍ତରାୟ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଉନ୍ନୟନ କମିଶନର ପି.କେ. ଜେନା ଓ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବ ମାନେ ଉପସ୍ଥିତ ଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/t-180.jpg)