ଭୁବନେଶ୍ବର : ୧୯୯୨ ମସିହା ମେ ୭। ଆଜିକୁ ଠିକ୍ ୨୮ ବର୍ଷ ତଳେ କଟକରେ ଘଟିଥିଲା ବିଷାକ୍ତ ମଦ ମୃତ୍ୟୁ ଘଟଣା। ସରକାରୀ ତଥ୍ୟ ଅନୁଯାୟୀ ୧୩୪ ଜଣ ଲୋକ ପ୍ରାଣ ହରାଇଥିଲେ ବି ବେସରକାରୀ ଭାବେ ଅଧିକ ଲୋକ ପ୍ରାଣ ହରାଇବା ସହ ଶତାଧିକ ବିକଳାଙ୍ଗ ହୋଇଥିଲେ। ବେଲୁ ମଦ ମୃତ୍ୟୁ ଘଟଣା ନାଁରେ ଚର୍ଚ୍ଚିତ ଏହି ମାମଲା ଏବେ ବି କଟକ ଜିଲ୍ଲା ଦୌରାଜଜ୍ଙ୍କ କୋର୍ଟରେ ବିଚାରାଧୀନ ଅଛି। ଓଡ଼ିଶାରେ ମଦ ମୃତ୍ୟୁ ଘଟଣା ନୂଆ ନୁହେଁ। ଚର୍ଚ୍ଚିତ କେତୋଟି ଘଟଣା ଦେଖିଲେ,୨୦୦୧ ପୁରୀ-ଖୋର୍ଦ୍ଧା ମଦ ମୃତ୍ୟୁ ଘଟଣା, ୨୦୦୬ରେ ଗଞ୍ଜାମର ଗୋଳାବନ୍ଧ ମଦ ମୃତ୍ୟୁ, ୨୦୧୨ରେ କଟକ-ଖୋର୍ଦ୍ଧାରେ ବିଷାକ୍ତ ଔଷଧ ସେବନ କରି ଲୋକଙ୍କ ମୃତ୍ୟୁ ଓ ଗତବର୍ଷ ଭଦ୍ରକ ତିହିଡ଼ିରେ ବିଷାକ୍ତ ମଦ ପିଇ ଗରିବ ଲୋକଙ୍କ ଜୀବନ ଯାଇଛି। ବିଷାକ୍ତ ମଦ କାରବାର ପଛରେ ରାଜନୈତିକ ପୃଷ୍ଠପୋଷକତା ରହିଥିବା ନେଇ ବିଭିନ୍ନ ତଦନ୍ତ କମିସନ ରିପୋର୍ଟ କରିଛନ୍ତି। ଅଥଚ ନିଶାକୁ ସମ୍ପୂର୍ଣ୍ଣ ରୋକିବା ପାଇଁ ସରକାର ସେଭଳି କିଛି ଆନ୍ତରିକତା ଦେଖାଇନାହାନ୍ତି। ବିରୋଧୀ ଅଭିଯୋଗ କରିଛନ୍ତି, କୋଟି କୋଟି ଟଙ୍କା ଖର୍ଚ୍ଚରେ କମିସନଙ୍କ ରିପୋର୍ଟ କେବଳ ଧର୍ମକୁ ଆଖିଠାର ମାରିବା ପାଇଁ ସରକାର କରିଥାନ୍ତି। ରିପୋର୍ଟ ବିଧାନସଭାରେ ଉପସ୍ଥାପନ ହୁଏ ନାହିଁ। ଯଦି କାର୍ଯ୍ୟାନୁଷ୍ଠାନ ରିପୋର୍ଟ ସହିତ ଗୃହରେ ଉପସ୍ଥାପିତ ହୁଏ, ତାହେଲେ ପରବର୍ତ୍ତୀ ଅବସ୍ଥାରେ ତାକୁ ନିରନ୍ତର କାର୍ଯ୍ୟକାରୀ କରିବାକୁ ସରକାର ଭୁଲିଯା’ନ୍ତି।
ସରକାରଙ୍କ ତଥ୍ୟ କହୁଛି, ୧୯୮୯ ମସିହା ଫେବ୍ରୁଆରି ୨ ତାରିଖରେ ବାଲେଶ୍ବର ନୀଳଗିରିରେ ବିଷାକ୍ତ ମଦ ପିଇ ୧୪ ଜଣଙ୍କର ପ୍ରାଣହାନୀ ଘଟିଥିଲା। ଏହି ଘଟଣାରେ ଗୃହ ବିଭାଗ ନିର୍ଦ୍ଦେଶରେ ବାଲେଶ୍ବର ଅତିରିକ୍ତ ଜିଲ୍ଲାପାଳ ତଦନ୍ତ କରିଥିଲେ। ସେହିପରି ୧୯୯୦ ମସିହା ମାର୍ଚ୍ଚ ୧୫ ତାରିଖରେ ଭଦ୍ରକରେ ଘଟିଥିବା ମଦ ମୃତ୍ୟୁ ଘଟଣାରେ ୧୭ ଜଣଙ୍କର ଜୀବନ ଗଲା। ତତ୍କାଳୀନ କେନ୍ଦ୍ରାଞ୍ଚଳ ଆର୍ଡିସି ଏହି ଘଟଣାରେ ତଦନ୍ତ କରିଥିଲେ। ୧୯୯୨ ମସିହା କଟକ ମଦ ମୃତ୍ୟୁ ଘଟଣାରେ ପ୍ରଥମେ ଆର୍ଡିସି ସ୍ତରୀୟ ତଦନ୍ତ ହୋଇଥିଲା। ପରେ ୧୯୯୩ ମସିହାରେ ଜଷ୍ଟିସ୍ ବାଳକୃଷ୍ଣ ବେହେରା ତଦନ୍ତ କମିସନ ବସିଥିଲା। କମିସନ୍ ତାଙ୍କ ରିପୋର୍ଟ ସରକାରଙ୍କୁ ୧୯୯୫ ମସିହାରେ ପ୍ରଦାନ କରିଥିଲେ। ଆଉ ସେହିବର୍ଷ ନଭେମ୍ବର ମାସରେ ବିଧାନସଭାରେ ଏହି ରିପୋର୍ଟ ଉପସ୍ଥାପନ ହୋଇଥିଲା। ୧୧୦ ଜଣ ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୫ ହଜାର ଟଙ୍କା ଲେଖାଏଁ କ୍ଷତିପୂରଣ ପ୍ରଦାନ କରାଯାଇଥିଲା। ୧୯୯୪ ମସିହା ଅଗଷ୍ଟରେ ଗଞ୍ଜାମ ପୁରୁଷୋତ୍ତମପୁରରେ ବିଷାକ୍ତ ମଦ ପିଇ ୪ ଜଣ ଲୋକ ମଲେ। ପ୍ରଥମେ ଦକ୍ଷିଣାଞ୍ଚଳ ଆର୍ଡିସି ଓ ପରେ ବିଚାର ବିଭାଗୀୟ ତଦନ୍ତ ପାଇଁ ତତ୍କାଳୀନ ଜିଲ୍ଲା ଜଜଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଥିଲା। ସେହିପରି ୧୯୯୬ ମସିହାରେ ଭଦ୍ରକରେ ବିଷାକ୍ତ ମଦ ପିଇ ୨ ଜଣଙ୍କ ପ୍ରାଣହାନୀ ଘଟିଲା। ତତ୍କାଳୀନ ଅବକାରୀ କମିସନର ଏହି ଘଟଣାର ତଦନ୍ତ କରିଥିଲେ। କିନ୍ତୁ ମୃତ ବ୍ୟକ୍ତିଙ୍କ ପରିବାରକୁ କିଛି ବି ସହାୟତା ପ୍ରଦାନ କରାଯାଇନଥିଲା।
୨୦୦୧ଫେବ୍ରୁଆରିରେ ପୁରୀ-ଖୋର୍ଦ୍ଧା ମଦ ମୃତ୍ୟୁ ଘଟଣାରେ ୨୦ ଜଣଙ୍କ ପ୍ରାଣହାନୀ ଘଟିଲା। ଏହି ଘଟଣାର ତଦନ୍ତ କମିସନ ଦାୟିତ୍ବ ସେତେବେଳର ଖୋର୍ଦ୍ଧା ଜିଲ୍ଲା ଦୌରାଜଜ୍ ମହେନ୍ଦ୍ର ନାଥ ପଟ୍ଟନାୟକ ନେଇଥିଲେ। କମିସନ୍ ତାଙ୍କ ରିପୋର୍ଟ ୨୦୦୫ ମସିହାରେ ସରକାରଙ୍କୁ ପ୍ରଦାନ କରିଥିଲେ। ଏହି ରିପୋର୍ଟକୁ ମଧ୍ୟ ବିଧାନସଭାରେ ସରକାର ଉପସ୍ଥାପିତ କରିଥିଲେ। କିନ୍ତୁ ଏହି ମଦ ମୃତ୍ୟୁ ଘଟଣାରେ ଜଣେ ବି ମୃତାହତଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରାଗଲାନି। ଏତିକିରେ ବି ଥମିନି ବିଷାକ୍ତ ମଦ ମୃତ୍ୟୁର ଧାରା। ୨୦୦୬ ମାର୍ଚ୍ଚ ଓ ଏପ୍ରିଲ୍ ମାସରେ ଗଞ୍ଜାମର ଗୋଳାବନ୍ଧରେ ବିଷାକ୍ତ ମଦ ସେବନ କରି ୨୯ ଜଣ ଲୋକଙ୍କର ପ୍ରାଣହାନୀ ଘଟିଲା। ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ପ୍ରସନ୍ନ କୁମାର ପାତ୍ର ଏହି ଘଟଣାର ତଦନ୍ତ କରିଥିଲେ। କମିସନରଙ୍କ ରିପୋର୍ଟ ବିଧାନସଭାରେ ଉପସ୍ଥାପିତ ହେବା ସହ ୨୩ ଜଣ ମୃତକଙ୍କ ପରିବାରକୁ ଜିଲ୍ଲା ରେଡକ୍ରସ୍ ପାଣ୍ଠିରୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯାଇଥିଲା। ସେହିଭଳି ୨୦୦୯ ମସିହା ମେ ମାସରେ ଖୋର୍ଦ୍ଧା ବଡ଼ପୋଖରୀଆ ମଦ ମୃତ୍ୟୁ ଘଟଣା ୪ ଜଣଙ୍କର ପ୍ରାଣ ନେଇଥିଲା। ଏହି ଘଟଣା ପାଇଁ ପ୍ରାଶାସନିକ ତଦନ୍ତ କରିବାକୁ ସରକାର ନିର୍ଦ୍ଦେଶ ଦେଇଥିଲେ। ତତ୍କାଳୀନ କେନ୍ଦ୍ରାଞ୍ଚଳ ଆର୍ଡିସି ତଥା ବର୍ତ୍ତମାନ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଥିବା ଅଶୋକ କୁମାର ମୀନା ଘଟଣାର ତଦନ୍ତ କରି ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ। ଯାହାକି ବିଧାନସଭାରେ ଉପସ୍ଥାପିତ ହୋଇଥିଲା। ଏଥିରେ ମୃତକଙ୍କ ପରିବାରକୁ ୧୦ ହଜାର ଟଙ୍କା ଲେଖାଏଁ ଜିଲ୍ଲା ରେଡ୍କ୍ରସ୍ ସହାୟତା ପାଣ୍ଠିରୁ ପ୍ରଦାନ କରାଯାଇଥିଲା। ସେହିବର୍ଷ ଜୁନ୍ ମାସରେ ପୁଣି ଥରେ ବଲାଙ୍ଗୀର ଗଣ୍ଡାପାଲ୍ଲୀ ଓ ମୁଣ୍ଡାପଲ୍ଲୀରେ ବିଷାକ୍ତ ମଦ ମୃତ୍ୟୁ ଘଟଣା ସାମନାକୁ ଆସିଲା। ଯେଉଁଥିରେ ୭ ଜଣ ଲୋକଙ୍କ ପ୍ରାଣହାନୀ ଘଟିଥିଲା। ଉତ୍ତରାଞ୍ଚଳ ଆରଡିସି ଏହି ଘଟଣାର ତଦନ୍ତ କରି ୩ ମାସ ଭିତରେ ସରକାରଙ୍କୁ ରିପୋର୍ଟ ଦେଇଥିଲେ। ପ୍ରତ୍ୟେକ ମୃତକଙ୍କ ପରିବାରକୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯାଇଥିଲା। ୨୦୧୦ ମସିହା ଫେବ୍ରୁଆରିରେ ସାଲେପୁର ବ୍ଲକ୍ ଅନ୍ତର୍ଗତ ନାନପୁର ଓ କୁକୁଡ଼ାଙ୍ଗଠାରେ ବିଷାକ୍ତ ମଦ ପିଇ ୨ ଜଣ ଲୋକ ପ୍ରାଣ ହରାଇଲେ।
କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ ମଦକୁ ଖାଲି ନିଷେଧ କଲେ ହେବନି। ମଦ ପିଉଥିବା ବ୍ୟକ୍ତି ପାଇଁ କଠୋର ଦଣ୍ଡ ବିଧାନ କରିବା ବ୍ୟବସ୍ଥା କରିବା ଉଚିତ୍। ଆଜି ପର୍ଯ୍ୟନ୍ତ ଯେତେ ବି ମଦ ମୃତ୍ୟୁ ଘଟଣା ଘଟିଛି ସବୁଠି ବିଷାକ୍ତ ମଦ ହିଁ ଜୀବନ ନେଇଛି। ଗରିବ ଲୋକମାନେ କମ ଅର୍ଥରେ ସେସବୁ ସେବନ କରିଥାନ୍ତି। ଆଉ ଛାରଖାର ହୋଇଥାନ୍ତି। ଲୋକେ ଯେପରି ମଦ ନ ପିଇବେ, ସେଥିପାଇଁ ସରକାର ଆବଶ୍ୟକ ସଚେତନତା ସୃଷ୍ଟି କରିବା ଆବଶ୍ୟକ। ସରକାର ଯଦି ରାଜସ୍ବ ପାଇଁ ମଦ କାରବାର ନିମନ୍ତେ ଲାଇସେନ୍ସ୍ ପ୍ରଦାନ କରୁଥାନ୍ତି ତାହା ଆଦୌ ଗ୍ରହଣୀୟ ନୁହେଁ। ସରକାରଙ୍କ ଉପରକୁ ଅଙ୍ଗୁଳି ଉଠାଇ ସେ କହିଥିଲେ, ଏ ସରକାର କୌଣସି ଗୋଟିଏ ଘଟଣା ଘଟିଲେ କେବଳ ସେହି ସମୟତକ ଲୋକଙ୍କ ଅସନ୍ତୋଷକୁ ପ୍ରଶମନ କରିବା ପାଇଁ ତଦନ୍ତ କମିସନ୍ ବସାଇଥାନ୍ତି। କେବଳ ନିଜ ଅପାରଗତାକୁ ଲୁଚାଇବା ପାଇଁ ଉଦ୍ୟମ କରିଆସିଛନ୍ତି।
ପୂର୍ବତନ ଅବକାରୀ କମିସନର ସୁଦର୍ଶନ ନାଏକ କହିଛନ୍ତି, ମଦ ଓ ଅନ୍ୟ ନିଶାଦ୍ରବ୍ୟ ଯୋଗୁଁ ଯେତିକି ପରିମାଣରେ କ୍ଷତି ହେଉଛି ତାର ୧% ରାଜସ୍ବ ଆକାରରେ ଆଦାୟ ହେଉଛି। ଯେଉଁ ରାଜ୍ୟରେ ଅଧିକ ମଦ ବିକ୍ରି ହୁଏ, ସେ ରାଜ୍ୟର ଆର୍ଥିକ ପ୍ରଗତି ହୋଇପାରେନା। ଓଡ଼ିଶାରେ ବିଷାକ୍ତ ମଦ ମୃତ୍ୟୁ ଘଟଣା ଯେତିକି ପରିମାଣରେ ଘଟିଛି ତା ହୁଏତ କ୍ବଚିତ୍ ଅନ୍ୟ ରାଜ୍ୟରେ ଦେଖିବାକୁ ମିଳେ। ରାଜ୍ୟରୁ ସମ୍ପୂର୍ଣ୍ଣ ନିଶା ନିବାରଣ ପାଇଁ ସରକାର ଆନ୍ତରିକତା ରଖିବା ଦରକାର। ଆଉ ଗୋଟିଏ ବର୍ଷରେ ଏହା ସମ୍ଭବ ନୁହେଁ। ଗୁଜୁରାଟରେ ମଦ ନିଷେଧ ହେବାର ୧୦ ବର୍ଷ ପରେ ଯେପରି ସୁଫଳ ମିଳିଲା। ସେହିପରି ବିହାରରେ ମଧ୍ୟ ଏହାର ସୁଫଳ ଦେଖିବାକୁ ମିଳିଲାଣି। ଆମ ରାଜ୍ୟରେ ୧୫ ବର୍ଷ ଲାଗିଲେ ବି କିଛି ଅସୁବିଧା ନାହିଁ। କିନ୍ତୁ ପ୍ରତ୍ୟେକ ବ୍ୟକ୍ତି ଯେପରି କୌଣସି ପ୍ରକାର ନିଶା ସେବନ ନ କରିବ ସେଥିପାଇଁ ସରକାର ପ୍ରଥମେ କଠୋର ପଦକ୍ଷେପ ନେବା ଆବଶ୍ୟକ ବୋଲି ଶ୍ରୀ ନାଏକ କହିଥିଲେ।