ଅବକାରୀ ମନ୍ତ୍ରୀଙ୍କ ନୂଆ ଫଣ୍ଡା : ‘ନିଶା ସେବନକାରୀଙ୍କୁ ନିରାପଦ ପାନୀୟ ଯୋଗାଣ ଲକ୍ଷ୍ୟ’

୨୦୧୮-୧୯ରେ ଅବକାରୀ ରାଜସ୍ବ ୩ ହଜାର ୯୨୫ କୋଟି ଟଙ୍କା

ଭୁବନେଶ୍ବର : ମଦ ବ୍ୟବସାୟୀଙ୍କୁ ଅବକାରୀ ବିଭାଗ ସ୍ଥାୟୀ କମିଟି ପୁରସ୍କୃତ କରିବା ନେଇ କରିଥିବା ସୁପାରିସ୍‌କୁ ବିଧାନସଭାରେ ବିରୋଧୀ ସଦସ୍ୟ ଯେତେ ସମାଲୋଚନା କଲେ ବି ବାଧିଲାନି। ଏବେ ଖୋଦ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ ଅବକାରୀ ବିଭାଗର ଖର୍ଚ୍ଚଦାବି ଆଲୋଚନା ଶେଷରେ ମଦ ସେବନ ଉପରେ ନୂଆ ଘୋଷଣା କରିଛନ୍ତି। କହିଛନ୍ତି, ସରକାରଙ୍କ ଉଦ୍ଦେଶ୍ୟ ଅବକାରୀ ରାଜସ୍ବ ବୃଦ୍ଧି ନୁହେଁ, ବରଂ ସେବନ କରୁଥିବା ବ୍ୟକ୍ତିକୁ ନିରାପଦ ପାନୀୟ ଯୋଗାଇବା ସରକାରଙ୍କ ଉଦ୍ଦେଶ୍ୟ। ସେଥିପାଇଁ ସରକାର ମଦ ଲାଇସେନ୍ସ ପ୍ରଦାନ କରୁଛନ୍ତି। କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ରୋକଠୋକ କହିଛନ୍ତି, ସରକାର ମଦ ବ୍ୟବସାୟୀଙ୍କୁ ପୁରସ୍କୃତ କଲେ ସେ ଅବକାରୀ ସ୍ଥାୟୀ କମିଟିରୁ ଇସ୍ତଫା ଦେବେ।

ଆଜି ବିଧାନସଭାରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଅବକାରୀ ବିଭାଗର ୧୩୧ କୋଟି ୨୪ ଲକ୍ଷ ୭୪ ହଜାର ଟଙ୍କାର ଖର୍ଚ୍ଚ ଦାବି ଗୃହର ଅନୁମୋଦନ ଲାଭ କରିଛି। ଆଲୋଚନା ଆରମ୍ଭ କରି ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀ କହିଥିଲେ, ମଦ ଓ ନିଶା ପୃଥିବୀରେ ନ ରହିଲେ ୭୦ରୁ ୮୦% ସମସ୍ୟା ଦୂର ହୋଇଯିବ। ଏପ୍ରିଲ ୨୮ ତାରିଖରେ ଠିକ ନିର୍ବାଚନ ପୂର୍ବଦିନ ଚାନ୍ଦବାଲିରେ ବିଷାକ୍ତ ମଦ ପିଇ ୧୨ ଜଣଙ୍କର ମୃତ୍ୟୁ ହୋଇଥିଲା। ସେଠି ପିଇବା ଲୋକ ବିଜେଡିର, ପିଆଇବା ଓ ମରିବା େଲାକ ବି। ନିର୍ବାଚନ ପାଇଁ ଗଣ୍ଡାଗଣ୍ଡା ପୁଲିସ ଓ ମାଜଷ୍ଟ୍ରେଟ ଥାଉଥାଉ ବାହାରୁ ମଦ ଆସିଲା କେମିତି? ୨୦୦୯-୧୦ରେ ଅବକାରୀ ରାଜସ୍ବ ୮୪୮ କୋଟି ୯୭ ଲକ୍ଷ ଥିଲା। ଏବେ ୯ ବର୍ଷ ପରେ ୪ଗୁଣ ବୃଦ୍ଧି ପାଇଁ ୩ ହଜାର ୯୨୫ କୋଟି ୪୧ ଲକ୍ଷରେ ପହଞ୍ଚିଛି। ମଦ ବିରୋଧରେ ଆନ୍ଦୋଳନ କରୁଥିବା ଲୋକଙ୍କ ସରକାର ପୁଲିସ ଲଗାଇ ହଟାଇଦେଲେ। ଅଥଚ ବିଷାକ୍ତ ମଦ କାରବାର କରୁଥିବା ମାଫିଆଙ୍କୁ ସୁରକ୍ଷା ପ୍ରଦାନ କରୁଛନ୍ତି ବୋଲି ଶ୍ରୀ ସେଠୀ ଅଭିଯୋଗ କରିଥିଲେ।

ଆଲୋଚନାରେ ଭାଗ ନେଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଜାତୀୟ ରାଜପଥ କଡ଼ରେ ଥିବା ମଦ ଦୋକାନ ଗୁଡ଼ିକୁ ହଟାଇବା ପାଇଁ ଦାବି କରିଥିଲେ। ଏହାସହିତ ଅବକାରୀ ବିଭାଗ ସଂକ୍ରାନ୍ତ ସ୍ଥାୟୀ କମିଟି ପୁରସ୍କାର ଦେବା ପାଇଁ େଯପରି ସୁପାରିସ କରିଛି ତାକୁ ସରକାର ଗ୍ରହଣ ନକରିବାକୁ ସେ ନିବେଦନ କରିଥିଲେ। ଶାସକ ଦଳର ବରିଷ୍ଠ ସଦସ୍ୟ ଅମର ପ୍ରସାଦ ଶତପଥୀ କହିଥିଲେ, ରାଜସ୍ବ ବୃଦ୍ଧି କରିବା ଲକ୍ଷ୍ୟରେ ସରକାର ମଦ ଦୋକାନ ଖୋଲିବାକୁ ଲାଇସେନ୍ସ ପ୍ରଦାନ କରୁନାହାନ୍ତି। ବିଷାକ୍ତ ମଦ ସେବନରୁ ସୁରକ୍ଷା ଦେବା ପାଇଁ ଗୁଣାତ୍ମକ ବିଦେଶୀ ପାନୀୟ ଯୋଗାଇବାକୁ ସରକାର ପଦକ୍ଷେପ ନେଉଛନ୍ତି। କଂଗ୍ରେସ ଦଳ ମୁଖ୍ୟ ସଚେତକ ତଥା ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି କୋରାପୁଟରେ ବିହାରୀ ମଦଭାଟି ଯୋଗୁଁ ହଜାର ହଜାର ଆଦିବାସୀଙ୍କର ମୃତ୍ୟୁ ହେଉଥିବା ନେଇ କହିଥିଲେ।

ଆଲୋଚନା ଶେଷରେ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଉତ୍ତର ରଖି କହିଥିଲେ, ଏଣିକି ପ୍ରତି ଜିଲ୍ଲାରେ ମଲ୍ଟି ଡିସିପ୍ଲିନାରୀ ସ୍କ୍ବାର୍ଡ଼ ଗଠନ କରାଯାଇଛି। ଯେଉଁଥିରେ ଜିଲ୍ଲାପାଳ, ଜିଲ୍ଲା ପୁଲିସ ଏସପି, ଅବକାରୀ ଅଧୀକ୍ଷକଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ସଦସ୍ୟ ଅଛନ୍ତି। ବିଧାନସଭା ସରିବା ପରେ ନିଜେ ମନ୍ତ୍ରୀ କୋରାପୁଟ ଗସ୍ତ କରି ବିହାରୀ ମଦ ଭାଟି ନେଇ ତଦନ୍ତ କରିବେ ଓ କାର୍ଯ୍ୟାନୁଷ୍ଠାନ େନବେ।

ମନ୍ତ୍ରୀ କହିଥିଲେ, ୨୦୧୬ରେ ସୁପ୍ରିମକୋର୍ଟ ଜାତୀୟ ରାଜପଥରୁ ୫୦୦ ମିଟର ଦୂରକୁ ମଦ ଦୋକାନ ହଟାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ପରବର୍ତ୍ତୀ ଅବସ୍ଥାରେ ସେଥିରେ ପରିବର୍ତ୍ତନ କରି ୨୨୦ ମିଟର ଓ ସହରାଞ୍ଚଳ ଦେଇ ଯାଉଥିବା ରାସ୍ତା କଡ଼ରେ ମଦ ଦୋକାନ ଖୋଲିବାକୁ ବି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅବସରରେ ମନ୍ତ୍ରୀ କହିଥିଲେ, ଗତ ଆର୍ଥିକ ବର୍ଷରେ ସରକାର ମଦରୁ ୩ ହଜାର ୯୨୫ କୋଟି ଟଙ୍କା ରାଜସ୍ବ ପାଇଛନ୍ତି। ଏବର୍ଷ ପାଇଁ ଲକ୍ଷ୍ୟ ୪ ହଜାର ୬୦୦ କୋଟି ରହିଛି।

ସମ୍ବନ୍ଧିତ ଖବର