ବାତ୍ୟା ପରେ ବଦଳିଗଲା ପାଣି ସ୍ବାଦ

ପୁରୀ : ସାମୁଦ୍ରିକ ଝଡ଼ବାତ୍ୟା ‘ଫନି’ କେବଳ ଭୂପୃଷ୍ଠକୁ ଉଜାଡ଼ି ନାହିଁ, ପୁରୀର ଭୂତଳ ଜଳଭଣ୍ଡାରକୁ ବି ପ୍ରଭାବିତ କରିଛି। ଫଳସ୍ବରୂପ ନଳକୂଅ ସମେତ ଜନସ୍ବାସ୍ଥ୍ୟ ବିଭାଗ ଯୋଗାଉଥିବା ପାଇପ୍ ପାଣି ଲୁଣିଆ ଲାଗୁଛି। ଏ କଥା ମାନିଛନ୍ତି ପୁରୀ ଜନସ୍ବାସ୍ଥ୍ୟ ଡିଭିଜନ୍‌ର ନିର୍ବାହୀ ଯନ୍ତ୍ରୀ ସରୋଜ ଚନ୍ଦ୍ର ମିଶ୍ର। କହିଛନ୍ତି, ମଧୁର ଜଳ ଅଞ୍ଚଳରେ ପାଣିର ଲବଣାଂଶ ମାତ୍ରା ବଢ଼ିଯାଇଛି। ଯାହା ଫଳରେ ପାଣି ସ୍ବାଦରେ ପରିବର୍ତ୍ତନ ହୋଇଛି।

ପୁରୀ ମଧୁର ଜଳଭଣ୍ଡାରକୁ ସମୁଦ୍ର ପାଣି ପଶି ଆସିଥିବା କଥା ୫ ତାରିଖରୁ ଜଣାପଡ଼ିଲାଣି। ହେଲେ ଆବଶ୍ୟକ ଯାଞ୍ଚ ହୋଇ ନଥିବାରୁ ଏହା ସ୍ପଷ୍ଟ ହୋଇନଥିଲା। ଏବେ ଯାଞ୍ଚ ପରେ ଭୂତଳ ଜଳସ୍ତର ଲବଣାକ୍ତ ହୋଇଥିବା ଜନସ୍ବାସ୍ଥ୍ୟ ଡିଭିଜନ୍‌ ଜାଣିବାକୁ ପାଇଛି। ୩ ତାରିଖ ବାତ୍ୟା ପରେ ସହରରେ ଜଳ ଯୋଗାଣ ବ୍ୟବସ୍ଥା ଠପ୍‌ ହୋଇ ଯାଇଥିଲା। ୫ ତାରିଖରୁ ପାଣି ଯୋଗାଇବା ଆରମ୍ଭ କଲା ଜନସ୍ବାସ୍ଥ୍ୟ ବିଭାଗ। ପାଇପ୍‌ରେ ପାଣି ଆସିଲା ପରେ ଏହାକୁ ପାଟିରେ ଦେଇଥିବା ଲୋକେ ଥୁ ଥୁ କରି ଫିଙ୍ଗିଥିଲେ।

ସାଧାରଣତଃ ଜନସ୍ବାସ୍ଥ୍ୟ ବିଭାଗର ପାଣି ମିଠା ଲାଗେ। ଏହା ଅନ୍ୟୂନ ୧୬୦ ଫୁଟ୍‌ ତଳୁ ଆସୁଥିବାରୁ ଏହି ପାଣି ଉପରେ ଲୋକେ ନିର୍ଭର କରନ୍ତି। ମାତ୍ର ଏତେ ତଳୁ ଆସୁଥିବା ପାଣି ଲୁଣି କିପରି ଲାଗିଲା ସେ ନେଇ ସମସ୍ତେ ଚିନ୍ତାରେ ପଡ଼ିଥିଲେ। ଜନସ୍ବାସ୍ଥ୍ୟ ବିଭାଗ ଯୋଗାଉଥିବା ପାଇପ୍‌ ପାଣି ଲୁଣିଆ ଲାଗୁଛି ବୋଲି ଲୋକଙ୍କଠାରୁ ଅଭିଯୋଗ ଆସିବା ପରେ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଯାଞ୍ଚ ପାଇଁ ପାଣିକୁ ପରୀକ୍ଷାଗାରକୁ ପଠାଯାଇଥିଲା। ଯାଞ୍ଚ କାଳରେ ପାଣିର ଲବଣାଂଶ ମାତ୍ରା ବଢ଼ିଥିବା ରିପୋର୍ଟ ମିଳିଛି। ଜନସ୍ବାସ୍ଥ୍ୟ ଡିଭିଜନ୍‌ର ନିର୍ବାହୀ ଯନ୍ତ୍ରୀ ଶ୍ରୀ ମିଶ୍ର କହିଛନ୍ତି, ପୂର୍ବ ଅପେକ୍ଷା ପ୍ରାୟ ପ୍ରତି ଲିଟର ପାଣିରେ ୨ ଏମ୍‌ଜି ଲବଣାଂଶ ବଢ଼ିଯାଇଛି। ଏହାର କାରଣ ସ୍ପଷ୍ଟ ହୋଇନଥିଲେ ମଧ୍ୟ ସମୁଦ୍ର ଜୁଆର ଏହାର କାରଣ ହୋଇଥାଇପାରେ। ବାତ୍ୟା ‘ଫନି’ ପ୍ରଭାବରେ ସମୁଦ୍ର ଜୁଆର ଏତେ ତୀବ୍ର ଥିଲା ‌ଯେ ଏହା ପୁରୀ ସି ବିଚ୍ ରୋଡ୍‌ ଅତିକ୍ରମ କରି ଯାଇଥିଲା। ତେବେ ଭୂତଳ ଜଳଭଣ୍ଡାର ଏହା ଦ୍ବାରା କେତେ ପ୍ରଭାବିତ ହୋଇଛି ସେ ସଂପର୍କରେ ଅଧିକ ପରୀକ୍ଷାନିରୀକ୍ଷାର ଆବଶ୍ୟକତା ରହିଛି। ବର୍ତ୍ତମାନ ପାଣିକୁ ଭଲ ଭାବେ ବିଶୋଧନ କରି ଲୋକମାନଙ୍କୁ ଯୋଗାଇ ଦିଆଯାଉଛି ବୋଲି ଶ୍ରୀ ମିଶ୍ର ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର