ଭାପୁର : ନୟାଗଡ଼ ଶିକ୍ଷା ଜିଲ୍ଲା ଅଧୀନ ଭାପୁର ବ୍ଲକ୍ ନିମାଣି ପଞ୍ଚାୟତର କାଳିକାପ୍ରସାଦ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କ ପାଇଁ ଶୌଚାଳୟ ଓ ପାନୀୟ ଜଳ ବ୍ୟବସ୍ଥା ନାହିଁ। ଏଥି ସହ ଛୋଟ ପିଲାମାନଙ୍କ ଖେଳ ସରଞ୍ଜାମ ମଧ୍ୟ ନାହିଁ। ମିଳିଥିବା ସୂଚନାରୁ ଜଣାପଡ଼ିଛି, ଭାପୁର ବ୍ଲକ୍ ନିମାଣି ପଞ୍ଚାୟତର କାଲିକାପ୍ରସାଦ ଗ୍ରାମରେ ୧୯୭୩ରେ ଗ୍ରାମବାସୀଙ୍କ ସହଯୋଗରେ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା। ପ୍ରଥମରୁ ଅଷ୍ଟମ ଶ୍ରେଣୀ ଭିତରେ ଏହି ବିଦ୍ୟାଳୟରେ ମୋଟ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୧୧୨ ହୋଇଥିଲା ବେଳେ, ସମାନ ସଂଖ୍ୟକ ଛାତ୍ରଛାତ୍ରୀ ରହିଛନ୍ତି।
ମାତ୍ର ଛାତ୍ରମାନଙ୍କ ପାଇଁ ପରିସ୍ରାଗାରଟିଏ ନଥିବାରୁ ପିଲାମାନେ ବିଦ୍ୟାଳୟଠାରୁ ପ୍ରାୟ ୨ ଶହ ମିଟର ଦୂର ବାହାରକୁ ଏକ ଜଙ୍ଗଲ ମଧ୍ୟକୁ ପରିସ୍ରା କରିବାକୁ ଯାଉଛନ୍ତି। ବିଦ୍ୟାଳୟରେ ପିଲାମାନଙ୍କ ପାଇଁ ପାଣିଟାଙ୍କି ନିର୍ମାଣ ହୋଇଥିଲେ ମଧ୍ୟ ପମ୍ପ୍ କିମ୍ବା ପାଇପ୍ ସଂଯୋଗ ହୋଇନଥିବାରୁ ତାହା ଭାଙ୍ଗିରୁଜିଗଲାଣି। ପିଲାମାନଙ୍କ ପାଇଁ ଝୁଲା (ଦୋଳି) ନିର୍ମାଣ କରାଯାଇଥିବା ବେଳେ ରକ୍ଷଣାବେକ୍ଷଣ ଅଭାବରୁ ତାହା ଭାଙ୍ଗିରୁଜି ଯାଇ ଅନାବନା ଗଛଲଟା ଭର୍ତ୍ତି ହୋଇଗଲାଣି। ଏଭଳି ଅବ୍ୟବସ୍ଥା ଦେଇ ଗତି କରୁଥିବା ଏହି ବିଦ୍ୟାଳୟ ପ୍ରତି ଜିଲ୍ଲା ଶିକ୍ଷା ବିଭାଗ ଧ୍ୟାନ ଦେବାକୁ ଅଭିଭାବକମାନଙ୍କ ମଧ୍ୟରେ ଦାବି ହେଉଛି।