ଭୁବନେଶ୍ୱର : ମାର୍ଚ୍ଚ ୨୦୧୯ ସୁଦ୍ଧା ରାଜ୍ୟର ୧୧୨ଟି ସହରାଞ୍ଚଳରେ ବାସ କରୁଥିବା ୭୦ଲକ୍ଷ ଲୋକଙ୍କୁ ପାଣି ଯୋଗାଣ ହେବ। ଏଥିପାଇଁ ସହରାଞ୍ଚଳରେ ଥିବା ପ୍ରତ୍ୟେକ ଘରକୁ ପାଇପ୍‌ ପାଣି ଯୋଗାଣ କରିବାକୁ ଜନସ୍ୱାସ୍ଥ୍ୟ ବିଭାଗକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ସହରାଞ୍ଚଳକୁ ପାଇପ୍‌ ପାଣି ଯୋଗାଣ ପାଇଁ ୨୭୦୦ କୋଟି ଟଙ୍କାର ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିବାବେଳେ ମୁଖ୍ୟମନ୍ତ୍ରୀ ଆଜି ଏହାର ଅଗ୍ରଗତି ନେଇ ସମୀକ୍ଷା କରିଥିଲେ। ସବୁ ପ୍ରକଳ୍ପ ଯେପରି ନିର୍ଦ୍ଧାରିତ ସମୟରେ ଶେଷ ହେବ ସେଥିପାଇଁ ନଗର ଉନ୍ନୟନ ବିଭାଗ ସଚିବ ନିୟମିତ ସମୀକ୍ଷା କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।
ଆଜି ସଚିବାଳୟରେ ଏ ନେଇ ବସିଥିବା ସମୀକ୍ଷା ବୈଠକରୁ ଜଣାପଡ଼ିଛି ଯେ, ରାଜ୍ୟରେ ୧୦୮୯କୋଟି ଟଙ୍କାର ଚାରିଟି ବଡ଼ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ହେଉଥିବାବେଳେ ଏହା ମାର୍ଚ୍ଚ, ୨୦୧୯ ସୁଦ୍ଧା ଶେଷ ହେବ। ସେହିପରି ବ୍ରହ୍ମପୁର ଏବଂ ଏହାର ଆଖପାଖ ଅଞ୍ଚଳକୁ ପାଇପ୍‌ ପାଣି ଯୋଗାଣ ପାଇଁ ନିର୍ମାଣ ହେଉଥିବା ୪୩୧ କୋଟି ଟଙ୍କାର ବୃହତ୍ତର ବ୍ରହ୍ମପୁର ଜଳଯୋଗାଣ ଉନ୍ନତିକରଣ କାର୍ଯ୍ୟକ୍ରମ ଆସନ୍ତା ନଭେମ୍ବରରେ କାର୍ଯ୍ୟକ୍ଷମ ହେବ ବୋଲି ନିଷ୍ପତ୍ତି ହୋଇଛି।

ଏହାବାଦ୍‌ ୩୧୮କୋଟି ଟଙ୍କା ବ୍ୟୟରେ ବାରିପଦା, ସମ୍ବଲପୁର, ରାଉରକେଲା ଓ ଝାରସୁଗୁଡ଼ା ସହରର ଜଳଯୋଗାଣ, ୨୨୮କୋଟି ଟଙ୍କା ବ୍ୟୟରେ ବ୍ରଜରାଜନଗର ଓ ବେଲପାହାଡ଼ ସହରର ଜଳଯୋଗାଣ ବ୍ୟବସ୍ଥା, ୧୧୪କୋଟି ଟଙ୍କା ବ୍ୟୟରେ ରାଜଗାଙ୍ଗପୁର, ସୁନ୍ଦରଗଡ଼ ଓ ବୀରମିତ୍ରପୁର ସହରର ଜଳଯୋଗାଣ ବ୍ୟବସ୍ଥା ୨୦୧୯ ମାର୍ଚ୍ଚ ସୁଦ୍ଧା ସଂପୂର୍ଣ୍ଣ କରିବା ପାଇଁ ବୈଠକରେ ସ୍ଥିର ହୋଇଛି।

ଆଇଆଇଟି ଭୁବନେଶ୍ୱର ଓ ନାଇଜରକୁ ଜଳଯୋଗାଣ ପାଇଁ ପିପିପି ମୋଡରେ ହେଉଥିବା ପ୍ରକଳ୍ପର ଅଗ୍ରଗତି ସନ୍ତୋଷଜନକ ଥିବାବେଳେ ଏହା ଆସନ୍ତା ମାର୍ଚ୍ଚ ସୁଦ୍ଧା ଶେଷ କରିବାକୁ ବିଭାଗୀୟ ସଚିବଙ୍କୁ କୁହାଯାଇଛି। ଜଳାଭାବ ଦେଖାଯାଉଥିବା ଅଞ୍ଚଳଗୁଡ଼ିକରେ ଆସନ୍ତା ଗ୍ରୀଷ୍ମ ଋତୁ ପୂର୍ବରୁ ସମସ୍ତ ପ୍ରକଳ୍ପଗୁଡ଼ିକୁ ପ୍ରାଥମିକତା ଦେଇ ଶେଷ କରାଯିବ।
ଆଜିର ବୈଠକରେ ନଗର ଉନ୍ନୟନ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ, ଅର୍ଥ ବିଭାଗ ପ୍ରମୁଖ ସଚିବ, ନଗର ଉନ୍ନୟନ ବିଭାଗ ସଚିବ ଏବଂ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।