ଫୋକସ୍‌ରେ ପିଇବା ପାଣି, ୧୫୫୨ କୋଟିର ୪ ପାନୀୟ ଜଳ ପ୍ରକଳ୍ପକୁ ଅନୁମୋଦନ

କେନ୍ଦୁଝରର ଯୋଡ଼ା-ଚମ୍ପୁଆ, ସୁନ୍ଦରଗଡ଼ ଓ କଟକର ୯୭୮ଟି ଗ୍ରାମକୁ ପିଇବା ପାଣି
୧୫ଟି ପ୍ରସ୍ତାବକୁ ମିଳିଲା କ୍ୟାବିନେଟ୍ ଅନୁମୋଦନ

ଭୁବନେଶ୍ବର : ବିଶୁଦ୍ଧ ପିଇବା ପାଣି ଏବେ ରାଜ୍ୟ ସରକାରଙ୍କ ଫୋକସ୍‌ରେ ରହିଛି। ବିଭିନ୍ନ ଯୋଜନାରେ ପୂର୍ବରୁ ଡକାଯାଇଥିବା ଚାରିଟି ବଡ଼ ପ୍ରକଳ୍ପର ଟେଣ୍ଡରକୁ ଆସି ରାଜ୍ୟ କ୍ୟାବିନେଟ୍‌ର ଅନୁମୋଦନ ମିଳିଛି। ମୋଟ୍ ପ୍ରକଳ୍ପର ମୂଲ୍ୟ ୧୫୫୨ କୋଟି ଟଙ୍କାରୁ ଅଧିକ ରହିଛି। ଏଥିରେ କେନ୍ଦୁଝର ଜିଲ୍ଲାର ଯୋଡ଼ା ଓ ଚମ୍ପୁଆ ସହର ସମେତ ସୁନ୍ଦରଗଡ଼ ଓ କଟକ ଜିଲ୍ଲାର ୯୭୮ଟି ଗ୍ରାମର ଲୋକ ବିଶୁଦ୍ଧ ପିଇବା ପାଣି ପାଇବେ। ୨୪ ମାସ ଭିତରେ ସବୁତକ ପ୍ରକଳ୍ପ ସାରିବା ପାଇଁ ଠିକା ସଂସ୍ଥାକୁ ସମୟ ଦିଆଯାଇଛି। ଏହି ପ୍ରସ୍ତାବଗୁଡ଼ିକ ସମେତ ମୋଟ୍ ୧୫ଟି ପ୍ରସ୍ତାବରେ କ୍ୟାବିନେଟ୍ ମୋହର ବାଜିଛି।

ଶନିବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍ ବୈଠକ ଭର୍ଚୁଆଲ୍ ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା। ବୈଠକ ପରେ ମୁଖ୍ୟ ଶାସନ ସଚିବ କ୍ୟାବିନେଟ୍‌ର ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଥିଲେ। ଯୋଡ଼ା ଓ ଚମ୍ପୁଆ ସହରବାସୀଙ୍କୁ ‘ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ କ୍ବାଲିଟି’ର ଜଳଯୋଗାଣ ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ୱାଟ୍‌କୋ ଟେଣ୍ଡର୍ ଡାକିଥିଲା। ଅହମ୍ମଦାବାଦର ପି ସି ସ୍ନେହାଲ କନ୍‌ଷ୍ଟ୍ରକ୍ସନ୍ ପ୍ରାଇଭେଟ୍ ଲିମିଟେଡ୍ ଏହି କାମ କରିବାକୁ ଯୋଗ୍ୟ ବିବେଚିତ ହୋଇଛି। ପ୍ରକଳ୍ପର ମୂଲ୍ୟ ରହିଛି ୧୦୩.୮୫୫ କୋଟି ଟଙ୍କା। ଏହି ପ୍ରକଳ୍ପକୁ କ୍ୟାବିନେଟ୍ ଅନୁମୋଦନ ଦେଇଛି।

Image Courtesy of India Today

ଗ୍ରାମାଞ୍ଚଳ ଲୋକଙ୍କୁ ବିଶୁଦ୍ଧ ପାନୀୟଜଳ ଯୋଗାଇ ଦେବାକୁ ରାଜ୍ୟ ସରକାର ପ୍ରାଥମିକତା ଦେଇଛନ୍ତି। ଏଥିପାଇଁ ରାଜ୍ୟ ସରକାର ‘ଓମ୍ବାଡ୍‌ସି’ ଯୋଜନାରେ ସୁନ୍ଦରଗଡ଼ ଜିଲ୍ଲାରେ ଗୋଟିଏ ବୃହତ୍ତ ଗ୍ରାମ୍ୟ ପାନୀୟ ଜଳଯୋଗାଣ ପ୍ରକଳ୍ପ ପାଇଁ ଟେଣ୍ଡର୍ ଡାକିଥିଲେ। ମୁମ୍ବାଇର ଜେଏମ୍‌ସି ପ୍ରୋଜେକ୍ଟ ଇଣ୍ଡିଆ ଲିମିଟେଡ୍ ଓ ଏସ୍‌ପିଏମ୍ଏଲ୍‌ ଇନ୍‌ଫ୍ରା ଲିମିଟେଡ୍ ୩୮୮ କୋଟି ଲକ୍ଷ ୮୭ ହଜାର ୩୮୦ ଟଙ୍କାରେ ଏହି କାମ କରିବା ପାଇଁ ମନୋନୀତ ହୋଇଛନ୍ତି। ପ୍ରକଳ୍ପ ଦ୍ବାରା ସୁନ୍ଦରଗଡ଼ ଜିଲ୍ଲାର ୪ଟି ବ୍ଲକ୍ ଅଧୀନରେ ଥିବା ୪୯ଟି ଗ୍ରାମପଞ୍ଚାୟତର ୨୯୫ଟି ଗ୍ରାମର ଅଢ଼େଇ ଲକ୍ଷରୁ ଅଧିକ ଲୋକ ଶୁଦ୍ଧ ପାନୀୟ ଜଳ ପାଇବେ। ବିସ୍ରା ବ୍ଲକ୍‌ର ୬୨ଟି ଗାଁ, ଲାଠିକଟା ବ୍ଲକ୍‌ର ୭୦ଟି ଗାଁ, ଲହୁଣିପଡ଼ା ବ୍ଲକ୍‌ର ୭୦ଟି ଗାଁ ଓ ବଣାଇ ବ୍ଲକ୍‌ର ୯୩ଟି ଗାଁର ଲୋକ ପ୍ରକଳ୍ପ ଦ୍ବାରା ଉପକୃତ ହୋଇପାରିବେ। ‘ଓମ୍ବାଡ୍‌ସି’ ଓ ‘ଡିଏମ୍ଏଫ୍’ ଯୋଜନାରେ ସୁନ୍ଦରଗଡ଼ ଜିଲ୍ଲାରେ ଆଉ ଗୋଟିଏ ବୃହତ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକାରୀ ହେବ। ଏହି ଟେଣ୍ଡର୍‌ରେ ମଧ୍ୟ ମୁମ୍ବାଇର ଜେଏମ୍‌ସି ପ୍ରୋଜେକ୍ଟ ଇଣ୍ଡିଆ ଲିମିଟେଡ୍ ଓ ଏସ୍‌ପିଏମ୍ଏଲ୍‌ ଇନ୍‌ଫ୍ରା ଲିମିଟେଡ୍ ଯୋଗ୍ୟ ବିବେଚିତ ହୋଇଛି। ୭୮୬ କୋଟି ୬୬ ଲକ୍ଷ ୫୫ ହଜାର ଟଙ୍କାରେ ପ୍ରକଳ୍ପ କାର୍ଯ୍ୟକାରୀ ହେବ। ଏଥିରେ ଜିଲ୍ଲାର ୬ଟି ବ୍ଲକ୍ ଅଧୀନରେ ଥିବା ୮ଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ୪୨୧ଟି ଗ୍ରାମର ୩,୭୮,୭୯୦ ଲୋକ ଉପକୃତ ହେବେ। ବାଲିଶଙ୍କରା ବ୍ଲକ୍‌ର ୮୫ଟି ଗାଁ, ଲେଫ୍ରିପଡ଼ା ବ୍ଲକ୍‌ର ୭୬ଟି ଗାଁ, ଟାଙ୍ଗରପାଲି ବ୍ଲକ୍‌ର ୭୩ଟି ଗାଁ, ସୁନ୍ଦରଗଡ଼ ବ୍ଲକ୍‌ର ୮୫ଟି ଗାଁ, ବରଗାଁ ବ୍ଲକ୍‌ର ୪୨ଟି ଗାଁ ଓ ସବଡେଗା ବ୍ଲକ୍‌ର ୬୦ଟି ଗାଁର ଲୋକ ଉପକୃତ ହେବେ। ଉଭୟ ପ୍ରକଳ୍ପକୁ ରାଜ୍ୟ କ୍ୟାବିନେଟ୍‌ର ଅନୁମୋଦନ ମିଳିଛି।

Unicorn chemical

କଟକ ଜିଲ୍ଲାରେ ‘ଜଳଜୀବିକା ମିସନ୍’ରେ ଗୋଟିଏ ବୃହତ ଗ୍ରାମ୍ୟ ପାନୀୟ ଜଳଯୋଗାଣ ପ୍ରକଳ୍ପର ପାଇଁ ଡକାଯାଇଥିବା ଟେଣ୍ଡର୍‌ରେ ମୁମ୍ବାଇର ଜେଏମ୍‌ସି ପ୍ରୋଜେକ୍ଟ ଇଣ୍ଡିଆ ଲିମିଟେଡ୍ ମନୋନୀତ ହୋଇଛି। ୨୭୫ କୋଟି ୩୯ ଲକ୍ଷ ଟଙ୍କାରେ ପ୍ରକଳ୍ପ କାର୍ଯ୍ୟକାରୀ ହେବ ଓ ୨୪ ମାସରେ କାମ ସରିବ। ଏହି ପ୍ରକଳ୍ପ ଦ୍ବାରା କଟକ ଜିଲ୍ଲାର ୪ଟି ବ୍ଲକ୍ ଅଧୀନରେ ଥିବା ୫୬ଟି ଗ୍ରାମପଞ୍ଚାୟତର ୨୬୨ଟି ଗାଁର ୨,୬୧,୯୭୮ ଲୋକ ଶୁଦ୍ଧ ପାନୀୟ ଜଳ ପାଇବେ। ଆଠଗଡ଼ ବ୍ଲକ୍‌ର ୧୮୬ଟି ଗାଁ, ତିଗିରିଆ ବ୍ଲକ୍‌ର ୪୮ଟି ଗାଁ, ବାଙ୍କି ବ୍ଲକ୍‌ର ୨୪ଟି ଗାଁ ଓ ଟାଙ୍ଗୀ ଚୌଦ୍ବାର ବ୍ଲକ୍‌ର ୪ଟି ଗାଁର ଲୋକ ପ୍ରକଳ୍ପ ଦ୍ବାରା ଉପକୃତ ହେବେ। ଏହି ପ୍ରକଳ୍ପରେ ଆଜି କ୍ୟାବିନେଟ୍ ମୋହର ବାଜିଛି।

ପୁରୀକୁ ବିଶ୍ବ ଐତିହ୍ୟ ସହର ଭାବେ ବିକଶିତ କରିବା ନିମନ୍ତେ ‘ଅବଢ଼ା’ ଯୋଜନା ପାଇଁ ରାଜ୍ୟ ସରକାର ପୂର୍ବରୁ ୬ଟି ଖାଣ୍ଡାଲାଇଟ୍ ଖଣିଜ ବ୍ଲକ୍‌କୁ ଓଏମ୍‌ସି ନିମନ୍ତେ ସଂରକ୍ଷଣ କରିଥିଲେ। ତାହା ମଧ୍ୟରୁ ଖୋର୍ଦ୍ଧାର ନରଣଗଡ଼ରେ ଥିବା ବ୍ଲକ୍‌ରେ ଖଣି କାର୍ଯ୍ୟ ନିମନ୍ତେ ଲିଜ୍ ପ୍ରଦାନ କରାଯାଇଛି। ଏହି ସଂରକ୍ଷିତ ଖଣିରୁ ବାହାର କରାଯାଇଥିବା ଖଣିଜ ପଦାର୍ଥ ନିମନ୍ତେ ରୟାଲଟି ଛାଡ଼ କରିବାକୁ ରାଜ୍ୟ କ୍ୟାବିନେଟ୍ ନିଷ୍ପତ୍ତି ନେଇଛି। ଏହାଦ୍ବାରା ପୁରୀକୁ ବିଶ୍ବ ଐତିହ୍ୟ ସହର ଭାବେ ବିକଶିତ କରିବା ପ୍ରକ୍ରିୟା ସହଜ ହେବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

ସୁନ୍ଦରଗଡ଼ ଜିଲ୍ଲାର ଡୁଡୁକା-ଗୋପାଳପୁର-ଟୋପାରିଆ ରାସ୍ତାର ୬/୨୦୬ କିମିରୁ ୨୮/୫୬୪ କିମି ପର୍ଯ୍ୟନ୍ତ ରାସ୍ତାକୁ ଦୁଇ ଥାକିଆ ରାସ୍ତାରେ ପରିଣତ କରିବାକୁ କ୍ୟାବିନେଟ୍ ଅନୁମୋଦନ ଦେଇଛି। ଏହି ରାସ୍ତାର ଉନ୍ନୀତକରଣ ଦ୍ବାରା ଛତିଶଗଡ଼ର ରାଇଗଡ଼ ଓ ସୁନ୍ଦରଗଡ଼ ସହର ମଧ୍ୟରେ ଆନ୍ତଃରାଜ୍ୟ ଯୋଗାଯୋଗରେ ଉନ୍ନତି ହୋଇପାରିବ ଏବଂ ଏହା ବସୁନ୍ଧରା କୋଇଲା ଖଣି ସହିତ ଯୋଗାଯୋଗ ସ୍ଥାପନ କରିବ। ଆର୍‌କେଡି କନ୍‌ଷ୍ଟ୍ରକ୍ସନ୍ ଏହି କାମକୁ ୧୦୨ କୋଟି ଟଙ୍କାରେ କରିବାକୁ ଯୋଗ୍ୟ ବିବେଚିତ ହୋଇଛି। ୨୪ ମାସ ମଧ୍ୟରେ ଏହାକୁ ସାରିବାକୁ ଲକ୍ଷ୍ୟ ରଖାଯାଇଛି।

ରାଜ୍ୟ କ୍ୟାବିନେଟ୍‌ରେ ‘ଓଡ଼ିଶା ଷ୍ଟେଟ୍ ୱାଇଡ୍ ଏରିଆ ନେଟ୍‌ୱର୍କ’ (ଓସ୍ବାନ୍) ପ୍ରକଳ୍ପର ଅପ୍‌ଗ୍ରେଡେସନ୍‌କୁ ଅନୁମୋଦନ ମିଳିଛି। ଏହି ଅପ୍‌ଗ୍ରେଡେସନ୍‌ରେ ରାଜ୍ୟ ମୁଖ୍ୟାଳୟ, ୩୦ଟି ଜିଲ୍ଲା ମୁଖ୍ୟାଳୟ ଓ ୩୧୪ଟି ବ୍ଲକ୍ ମୁଖ୍ୟାଳୟର ବ୍ୟାଣ୍ଡ୍‌ୱିଡ୍‌ଥ୍‌ ବୃଦ୍ଧି, ଲୋଡ୍ ବଣ୍ଟନ ଓ ସଂଯୋଗର ଉଚ୍ଚ ଉପଲବ୍ଧତା ପାଇଁ ସେକେଣ୍ଡାରି ବ୍ୟାଣ୍ଡ୍‌ୱିଡ୍‌ଥ୍‌ ଯୋଗାଇବାର ଯୋଜନା ରହିଛି। ଓସ୍ବାନ୍‌ର ଅପ୍‌ଗ୍ରେଡେସନ୍ ସହିତ ପାଞ୍ଚ ବର୍ଷ ପାଇଁ ଏହାର ପରିଚାଳନା ଓ ରକ୍ଷଣାବେକ୍ଷଣର ଆନୁମାନିକ ପ୍ରକଳ୍ପ ମୂଲ୍ୟ ୩୩୨.୦୯ କୋଟି ଟଙ୍କା ରହିଛି।

ସମ୍ବନ୍ଧିତ ଖବର