ଏବେ ବି ୧୩୧ ସ୍କୁଲରେ ପହଞ୍ଚିନି ପାଣି

ଭୁବନେଶ୍ୱର: ଏବେ ବି ରାଜ୍ୟର ୧୩୧ଟି ସରକାରୀ ବିଦ୍ୟାଳୟରେ ପହଞ୍ଚିନି ପାନୀୟ ଜଳ। ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ତଥା ମୌଳିକ ସୁବିଧା ଯୋଗାଇ ଦିଆଯାଉଛି ବୋଲି ସରକାରୀ ବାବୁମାନେ ଡିଣ୍ଡିମ ପିଟୁଥିବା ବେଳେ ଏପର୍ଯ୍ୟନ୍ତ ଶତାଧିକ ବିଦ୍ୟାଳୟରେ ପାନୀୟ ଜଳ ନ ପହଞ୍ଚିବା ଚିନ୍ତାର ବିଷୟ ପାଲଟିଛି। ୩୦ଟି ଜିଲ୍ଲା ମଧ୍ୟରୁ ୨୧ ଜିଲ୍ଲାର ସମସ୍ତ ସରକାରୀ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟରେ ପାନୀୟ ଜଳ ପହଞ୍ଚିଥିବା ବେଳେ ୯ ଜିଲ୍ଲାର ୧୨୭ଟି ପ୍ରାଥମିକ ଓ ୪ଟି ମାଧ୍ୟମିକ ବିଦ୍ୟାଳୟରେ ପିଇବା ପାଣି ସୁବିଧା ଉପଲବ୍ଧ ହୋଇପାରି ନାହିଁ।

ମାଲକାନଗିିରି ଓ ନବରଙ୍ଗପୁର ଜିଲ୍ଲା ପ୍ରତି ରାଜ୍ୟ ସରକାରଙ୍କ ଅବହେଳା ପୁଣିଥରେ ପଦାରେ ପଡ଼ିଛି। ନବରଙ୍ଗପୁରରେ ସବୁଠାରୁ ଅଧିକ ୬୮ଟି ପ୍ରାଥମିକ ସ୍କୁଲକୁ ପାନୀୟ ଜଳ ବ୍ୟବସ୍ଥା କରାଯାଇ ନାହିଁ। ମାଲକାନଗିରିରେ ମଧ୍ୟ ୪୦ଟି ପ୍ରାଥମିକ ଓ ଗୋଟିଏ ମାଧ୍ୟମିକ ବିଦ୍ୟାଳୟକୁ ପାନୀୟ ଜଳ ସୁବିଧା ହୋଇ ନ ଥିବା ଜଣାପଡ଼ିଛି। ନୟାଗଡ଼ର ୧୦ଟି ପ୍ରାଥମିକ ଓ ଗୋଟିଏ ମାଧ୍ୟମିକ ବିଦ୍ୟାଳୟ, ବାଲେଶ୍ୱରର ୫ଟି ପ୍ରାଥମିକ, ବରଗଡ଼ରେ ଗୋଟିଏ ଲେଖାଏ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟରେ ଏପର୍ଯ୍ୟନ୍ତ ପାନୀୟ ଜଳ ପହଞ୍ଚିନି। ସେହିପରି ଭଦ୍ରକର ଦୁଇଟି ପ୍ରାଥମିକ, ମୟୂରଭଞ୍ଜର ଗୋଟିଏ ମାଧ୍ୟମିକ ଓ ଜଗତ୍‌ସିଂହପୁରର ଗୋଟିଏ ପ୍ରାଥମିକ ବିଦ୍ୟାଳୟରେ ପାନୀୟ ଜଳ ପହଞ୍ଚି ନ ଥିବା ସରକାରୀ ତଥ୍ୟ କହୁଛି।

ସବୁଠାରୁ ବଡ଼ କଥା ହେଉଛି ଯେ ୪,୮୮୦ ବିଦ୍ୟାଳୟକୁ କ୍ୟାମ୍ପସ ବାହାରୁ ବିଶୁଦ୍ଧ ପାଣି ଆସୁଛି। ବିଦ୍ୟାଳୟ ନିକଟରେ ଥିବା ଜଳ ଉତ୍ସରୁ ଏହି ପାଣି ମିଳୁଥିବା କୁହାଯାଇଛି। ଏଥିରେ ୪,୫୩୩ଟି ପ୍ର୍ରାଥମିକ ଓ ୩୪୭ଟି ମାଧ୍ୟମିକ ବିଦ୍ୟାଳୟ ରହିଛି। କୋରାପୁଟ ଜିଲ୍ଲାରେ ସବୁଠାରୁ ଅଧିକ ୭୩୦ଟି ଏଭଳି ବିଦ୍ୟାଳୟ ଥିବା ବେଳେ ଗଞ୍ଜାମରେ ୪୭୫, ପୁରୀରେ ୪୪୫, ଗଜପତିରେ ୪୦୪, କନ୍ଧମାଳରେ ୨୯୩, କଳାହାଣ୍ଡିରେ ୨୬୮, ରାୟଗଡ଼ାରେ ୨୫୮, ବଲାଙ୍ଗୀରରେ ୨୪୩, କେନ୍ଦୁଝରରେ ୨୧୪ ବିଦ୍ୟାଳୟ କ୍ୟାମ୍ପସରେ ବିଶୁଦ୍ଧ ପାନୀୟ ଜଳ ସୁବିଧା ନାହିଁ। ଭଦ୍ରକ ଜିଲ୍ଲାର ସମସ୍ତ ମାଧ୍ୟମିକ ବିଦ୍ୟାଳୟ କ୍ୟାମ୍ପସରେ ପାନୀୟ ଜଳ ସୁବିଧା ଉପଲବ୍ଧ ହେଉଛି। ଖୋର୍ଧା ଜିଲ୍ଲାର ୬୯ଟି ପ୍ରାଥମିକ ଓ ୪ଟି ମାଧ୍ୟମିକ ବିଦ୍ୟାଳୟ ପରିସରରେ ବିଶୁଦ୍ଧ ପାନୀୟ ଜଳ ସୁବିଧା ନ ଥିବା ଜଣାପଡ଼ିଛି।

ବିଦ୍ୟାଳୟ ଓ ଗଣଶିକ୍ଷା ତଥ୍ୟ ଅନୁଯାୟୀ ରାଜ୍ୟରେ ଏବେ ୫୫ ହଜାର ୯୨୮ ସରକାରୀ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟ ରହିଛି। ସେଥିରେ ୫୦ ହଜାର ୫୨୬ ପ୍ରାଥମିକ ଓ ୫୪୦୨ଟି ମାଧ୍ୟମିକ ସ୍କୁଲ। ୫୧ ହଜାର ୫୨୯ଟି ହାଣ୍ଡପମ୍ପ(ନଳକୂପ) ରହିଥିବା ବେଳେ ୭୭୬୬ଟି ଟ୍ୟାପ୍‌ ରହିଛି। ଯେଉଁଠାରେ ପାନୀୟ ଜଳ ସୁବିଧା ନାହିଁ, ସେଠାରେ ଯୁଦ୍ଧକାଳୀନ ଭିତ୍ତିରେ ପିଇବା ପାଣି ପହଞ୍ଚାଇବା ପାଇଁ ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଜିଲ୍ଲାର ଏକ୍ଜିକ୍ୟୁଟିଭ୍‌ ଇଞ୍ଜିନିୟରମାନେ ଏଦିଗରେ ପଦକ୍ଷେପ ନେବା ସହ ବିଦ୍ୟାଳୟଗୁଡ଼ିକରେ ପିଇବା ପାଣି ସୁବିଧା କରିବାକୁ କୁହାଯାଇଛି। ଆସନ୍ତା ୩୧ ତାରିଖ ସୁଦ୍ଧା ଏନେଇ ଚୂଡ଼ାନ୍ତ ରିପୋର୍ଟ ଦେବାକୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକରୀ, ପ୍ରକଳ୍ପ ସଂଯୋଜକମାନଙ୍କୁ ଓପେପା ପ୍ରକଳ୍ପ ନିର୍ଦେଶକ ଭୁପିନ୍ଦର ସିଂ ପୁନିଆ ନିର୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର