ଖଡ଼ିଆଳ: ଫେଲ୍ ମାରିଛି ଲକ୍ଷାଧିକ ଟଙ୍କାର ପାନୀୟ ଜଳ ପ୍ରକଳ୍ପ । ଏଭଳି ଅଭିଯୋଗ ହୋଇଛି ନୂଆପଡ଼ା ଜିଲ୍ଲାର ଖଡ଼ିଆଳ ବ୍ଲକ ବରଗାଁ ପଞ୍ଚାୟତରୁ । ଓଭରଟ୍ୟାଙ୍କ ତ୍ରୁଟିପୂର୍ଣ୍ଣ ଭାବେ ନିର୍ମାଣ ହୋଇଥିବାରୁ ପାନୀୟ ଜଳ ପ୍ରକଳ୍ପ ଆରମ୍ଭ ହେବା ଦିନଠାରୁ ଚାଲିପାରୁନାହିଁ । ବର୍ଷ ବର୍ଷ ଧରି ପାନୀୟ ଜଳ ପ୍ରକଳ୍ପ ଅଚଳ ହୋଇ ପଡ଼ିଛି । ଯାହାଫଳରେ ବରଗାଁ ସମେତ ବେନ୍ଦ୍ରାବାହାଲ ଓ କମାଜୋରି ଗାଁ ଲୋକେ ସ୍ୱଚ୍ଛ ପାନୀୟ ପାଣି ଟିକେ ପାଇବାରୁ ବଞ୍ଚିତ ହୋଇ ବହୁ ଅସୁବିଧା ସମୁଖୀନ ହେଉଛନ୍ତି ।
ଖଡ଼ିଆଳ ବ୍ଲକ ଠାରୁ ୧୦ କିଲୋମିଟର ଦୂରରେ ଅବସ୍ଥିତ ବରଗାଁ ଗ୍ରାମ ପଞ୍ଚାୟତ। ଚଳିତ ବର୍ଷ ଜିଲ୍ଲାରୁ ମୌସୁମୀ ବର୍ଷା ସମ୍ପୂର୍ଣ୍ଣ ଅପସରିଯିବା ପରେ ଏବେ ବେନ୍ଦ୍ରାବାହାଲ ସମେତ ବରଗାଁ ଓ କମାଜୋରି ଗାଁ ଲୋକେ ପାନୀୟ ଜଳ ପାଇଁ ଡହଳବିକଳ ହେଉଛନ୍ତି । ୨୦୦୯ ମସିହାରେ ବେନ୍ଦ୍ରାବାହାଲ ଗାଁ ନିକଟରେ ଜନସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ୧୬ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ୪୦ ହଜାର ଲିଟର ବିଶିଷ୍ଟ ଓଭରହେଡ ଟ୍ୟାଙ୍କ ନିର୍ମାଣ କରାଯାଇଥିଲା ।
ଏଥି ସହିତ ତିନିଗୋଟି ଗାଁରେ ପାଇପ ବିଛେଇବା ସହିତ ଷ୍ଟାଣ୍ଡ ପୋଷ୍ଟ ଗୁଡ଼ିକ ମଧ୍ୟ ନିର୍ମାଣ କରାଯାଇଥିଲା । ହେଲେ କିଛି ମାସ ଠିକ ଭାବେ ଚାଲିବା ପରେ ଏବେ ପାନୀୟ ଜଳ ପ୍ରକଳ୍ପ ଅଚଳ ହୋଇପଡ଼ିଛି । ତ୍ରୁଟିପୂର୍ଣ୍ଣ ଭାବେ ଓଭରହେଡ ଟ୍ୟାଙ୍କ ନିର୍ମାଣ କରାଯାଇଥିବାରୁ ବରଗାଁ , ବେନ୍ଦ୍ରାବାହାଲ ଓ କମାଜୋରି ଗାଁର ଷ୍ଟାଣ୍ଡପୋଷ୍ଟ ଗୁଡ଼ାକୁ ଜଳ ପହଞ୍ଚି ପାରୁ ନାହିଁ । ଯାହାଫଳରେ ପାନୀୟ ଜଳ ଅଭାବରୁ ଗାଁର ମହିଳାମାନେ ନଳକୂପରୁ ମାତ୍ରାଧିକ ଫ୍ଲୋରାଇଡଡଯୁକ୍ତ ପାଣି ଓ ଗାଁରେ ଥିବା ଏକ ପରିତ୍ୟକ୍ତ କୂଅର ଦୂଷିତ ଜଳକୁ ସଂଗ୍ରହ କରି ବାକୁ ବାଧ୍ୟ
ହେଉଛନ୍ତି। ପ୍ରତିଦିନ ଦୂଷିତ ଜଳ ସଂଗ୍ରହ କରି ବ୍ୟବହାର କରିବା ଦ୍ବାରା ଅନେକ ଶିଶୁ ଓ ମହିଳା ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଥିବା ଗାଁ ମହିଳା ମାନେ କହିଛନ୍ତି ।
/sambad/media/post_attachments/wp-content/uploads/2020/11/ୁମଦ.jpg)
ଅପରପକ୍ଷରେ ପାନୀୟ ଜଳ ପ୍ରକଳ୍ପକୁ ତୁରନ୍ତ ସଜାଡ଼ିବା ପାଇଁ ଜନ ସ୍ଵାସ୍ଥ୍ୟ ବିଭାଗ ଅଧିକାରୀଙ୍କୁ ଗାଁ ଲୋକେ ବାରମ୍ବାର ଦୃଷ୍ଟି ଆକର୍ଷଣ କରି ଆସୁଛନ୍ତି । ହେଲେ ବିଭାଗୀୟ ଅଧିକାରୀମାନେ ଅଣଦେଖା କରୁଥିବା ଗ୍ରାମବାସୀ କହିଛନ୍ତି । ବର୍ତ୍ତମାନ ବରଗାଁ ଗ୍ରାମ ପଞ୍ଚାୟତ ଜନସଂଖ୍ୟା ଦିନକୁ ଦିନ ବଢିଚାଲିଥିବା ବେଳେ ଏଠାରେ ଏକ କ୍ଷମତାସମ୍ପନ୍ନ ଓଭରହେଡ ଟ୍ୟାଙ୍କ ନିର୍ମାଣ କରିବା ସହିତ ପାଇପ ଯୋଗେ ଜଳ ଯୋଗାଣ କରିବାକୁ ଗାଁ ଲୋକେ ଦାବି କରିଛନ୍ତି। ଯଦି ଦାବି ପୂରଣ ନ ହେଲା, ଖଡ଼ିଆଳ ଜନ ସ୍ଵାସ୍ଥ୍ୟ ବିଭାଗ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମୁଖରେ ଧାରଣା ଦେବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।
ଏହି ବିଷୟ ନେଇ ଜନ ସ୍ୱାସ୍ଥ୍ୟ ବିଭାଗ କନିଷ୍ଟ ଯନ୍ତ୍ରୀ ରୋବର୍ଟ ପ୍ରଧାନ ସହ ଆଲୋଚନା କରିବାରୁ ସେ କହିଥିଲେ ଯେ ଆବଶ୍ୟକ ଅନୁଯାୟୀ ଜଳ ଯୋଗାଣ ହେଉନାହିଁ ,ଓଭରହେଡ ଟ୍ୟାଙ୍କ ନିର୍ମାଣ ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ତାହା ମଞ୍ଜୁର ହେଲେ ଖୁବ ଶୀଘ୍ର ପାନୀୟ ଜଳ ସମସ୍ୟାର ସମାଧାନ ହେବ ବୋଲି ସେ କହିଛନ୍ତି ।
ReplyForward
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/Bargoan-baasi-pani-pae.jpg)