ବ୍ରହ୍ମଗିରି : ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ବ୍ରହ୍ମଗିରି ବ୍ଲକ୍ରେ ଆଜି ସୁଦ୍ଧା ଲୋକେ ପିଇବା ପାଣି ପାଇବାରୁ ବଞ୍ଚିତ ହୋଇ ରହିଛନ୍ତି। ଏଭଳି ଏକ ପ୍ରକଳ୍ପ ହେଉଛି ତିନିକୁଦି ପାନୀୟ ଜଳ ଯୋଗାଣ ପ୍ରକଳ୍ପ। ବ୍ରହ୍ମଗିରି ବ୍ଲକ୍ ଅନ୍ତର୍ଗତ ତିନିକୁଦିଠାରେ ୧୦ଟି ଗାଁର ଲୋକଙ୍କୁ ପିଇବା ପାଣି ଯୋଗାଇ ଦେବା ପାଇଁ ୨୦ ହଜାର ଲିଟର କ୍ଷମତା ବିଶିଷ୍ଟ ପାଣି ଟାଙ୍କି ନିର୍ମାଣ କରାଯାଇଥିଲା। ଟାଙ୍କି ନିର୍ମାଣ ହେବାର ୨ ବର୍ଷରୁ ଅଧିକ ସମୟ ହୋଇ ଗଲାଣି। କିନ୍ତୁ ଆଜି ସୁଦ୍ଧା ପାଣି ଟାଙ୍କି କାମ କରୁ ନାହିଁ ବରଂ ନିମ୍ନମାନର କାମ ଯୋଗୁଁ ଟାଙ୍କି ଫାଟି ପାଣି ବାହାରୁଛି। ଗ୍ରାମଗୁଡ଼ିକୁ ଆଜି ପର୍ଯ୍ୟନ୍ତ ପାଇପ୍ ପଡ଼ି ପାରିଲା ନାହିଁ। ଷ୍ଟାଣ୍ତ୍ ପୋଷ୍ଟ୍ ମଧ୍ୟ ନିର୍ମାଣ ହୋଇପାରି ନାହିଁ। ପିଇବା ପାଣି ବୁନ୍ଦେ ମିଳୁ ନ ଥିବାରୁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବାରମ୍ବାର ଏ ନେଇ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରା ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସମସ୍ୟାର ସମାଧାନ ହୋଇ ପାରି ନାହିଁ। ଫଳରେ ଜିଲ୍ଲାପାଳ ଏ ନେଇ ତୁରନ୍ତ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
ତିନିକୁଦି ଜଳ ଯୋଗାଣ ପ୍ରକଳ୍ପ ଅଧାପନ୍ତରିଆ, ପିଇବା ପାଣି ପାଇଁ ଲୋକେ ହନ୍ତସନ୍ତ
/sambad/media/post_attachments/wp-content/uploads/2019/12/water-tank.jpg)