ରାୟଗଡା: ରାଜ୍ୟ ଓ କେନ୍ଦ୍ର ସରକାର ଜନସାଧାରଣଙ୍କ ହିତ ପାଇଁ ବହୁବିଧ ଯୋଜନା ପରେ ଯୋଜନା କରିଚାଲିଛନ୍ତି। ହେଲେ ରାଜ୍ୟ ସରକାର ଲୋକଙ୍କୁ ପିଇବା ପାଣି ଯୋଗାଇ ଦେବାକୁ ଗ୍ରାମପଞ୍ଚାୟତକୁ ପର୍ଯ୍ୟାପ୍ତ ପରିମାଣରେ ଅର୍ଥ ଯୋଗାଉ ଥିବା ବେଳେ ପାନୀୟ ଜଳଯୋଗାଣ ବିଭାଗ ଦ୍ବାରା ବସୁଧା ଯୋଜନାରେ ଗ୍ରାମାଞ୍ଚଳକୁ ପାଇପ୍ ଯୋଗେ ପାଣି ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ବଳବତ୍ତର ରହିଛି।
ଦୁଃଖର ବିଷୟ ବିଶୁଦ୍ଧ ପିଇବା ପାଣି ଯୋଗାଇ ଦେବାକୁ ସରକାର ଡେଙ୍ଗୁରା ପିଟୁଥିବା ବେଳେ ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକର ମୁନିଖୋଲ ପଞ୍ଚାୟତ ଅନ୍ତର୍ଗତ ଚେରଙ୍ଗପାଇ ଗ୍ରାମବାସୀ ୨୦୧୬-୧୭ ମସିହାରୁ ଆଜି ପର୍ଯ୍ୟନ୍ତ ଚୁଆପାଣିକୁ ବ୍ୟବହାର କରି ବିଭିନ୍ନ ରୋଗର ଶିକାର ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏପରି ପାଣି ସମସ୍ୟା ନେଇ ଚେରଙ୍ଗପାଇ ମହିଳା ଓ ପୁରୁଷମାନେ ଗୁରୁବାର ବ୍ଲକ କାର୍ଯ୍ୟାଳୟରେ ବିଡିଓଙ୍କ କାର୍ଯ୍ୟାଳୟ ଘେରିଥିଲେ। ଯୁଦ୍ଧକାଳୀନ ଭିତ୍ତିରେ ସମସ୍ୟା ସମାଧାନ କରାନଗଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବେ ଵୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।
ପ୍ରକାଶ ଥାଉକି ଦୀର୍ଘ ୮ ବର୍ଷ ହେବ ଚେରଙ୍ଗପାଇ ଗ୍ରାମରେ ଡିଏମ଼଼ଏଫ୍ ଯୋଜନାରେ ୫ ଲକ୍ଷ ଟଙ୍କା ବିନିମୟରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନିମନ୍ତେ ଠିକାଦାରଙ୍କ ଦ୍ଵାରା ନିର୍ମାଣ ହୋଇଥିଲା ପମ୍ପହାଉସ। ଠିକାଦାର ଓ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକାରେ ଦୁଇଟି ଲାଇନରୁ ଗୋଟିଏ ଲାଇନରୁ ଟିକେ ଟିକେ ପାଣି ଆଠଦିନ ଆସିବା ପରେ ଆଉ ପାଣି ଆସୁନଥିଲେ ମଧ୍ୟ ମଟର ଓ ପାଇପକୁ ଠିକାଦାର ଯନ୍ତ୍ରୀ ନେଇଯାଇଥିଲେ। ଗ୍ରାମବାସୀଙ୍କ ଅଭିଯୋଗ ପରେ ଯନ୍ତ୍ରୀ ଆଳ ଦେଖାଇ କହିଥିଲେ ମଟର ସଜଡା ହୋଇ ଆସିଲେ ଜଳଯୋଗଣ ହେବ।କିନ୍ତୁ ସେବେ ଠାରୁ ପମ୍ପହାଉସରେ ଆଜି ପର୍ଯ୍ୟନ୍ତ ମଟର ଲାଗିନି।ଚେରଙ୍ଗପାଇ ଗ୍ରାମବାସୀ ଚୁଆ ଓ ନାଳ ପାଣି ବ୍ୟବହାର କରି ବିଭିନ୍ନ ରୋଗରେ ପିଡିତ ହେଉଥିଲେ। ବ୍ଲକ କାର୍ଯ୍ୟାଳୟକୁ ଆସିଥିବା ମହିଳାମାନେ ପ୍ରକାଶ କରିବା ସହ ପୂର୍ବରୁ ସରପଞ୍ଚଙ୍କୁ ଗୁହାରି କରିଥିବା କହିଥିଲେ। ତେବେ ଏନେଇ ବିଡିଓ ପ୍ରିତମ କୁମାର ତନ୍ତି ପ୍ରତିକ୍ରିୟାରେ କହିଛନ୍ତି ପାନୀୟ ଜଳର ସୁବ୍ୟବସ୍ଥା କରାଯିବା ସହ ପୋଖରୀକୁ ପୁନରୁଦ୍ଧାର କରାଯିବ।