ରାୟଗଡ଼ା: ରାୟଗଡା ଜିଲ୍ଲାର ଉପାନ୍ତ ଅଞ୍ଚଳରେ ଫେଲ ମାରିଛି ରାଜ୍ୟ ସରକାରଙ୍କ ବସୁଧା ଯୋଜନା। ଗ୍ରୀଷ୍ମ ସରି ବର୍ଷା ଋତୁ ଆଗମନ ପରେ ମଧ୍ୟ ଦୁର୍ଗମ ଉପାନ୍ତ ଅଞ୍ଚଳରେ ଦେଖା ଦେଇଛି ଘୋର ପାନୀୟ ଜଳ ସଙ୍କଟ। ଜିଲ୍ଲାର ୧୧ଟି ବ୍ଲକର ପ୍ରାୟ ଶତାଧିକ ଗ୍ରାମରେ ଲୋକେ ବିଶୁଦ୍ଧ ପାନୀୟ ଜଳ ଟୋପାଏ ପାଇଁ ଡହଳ ବିକଳ ହେଉଛନ୍ତି। କିଛି ଗାଁରେ ନଳକୂପ ଥିଲେ ମଧ୍ୟ ଜଳସ୍ତର ହ୍ରାସ ପାଇବା ଫଳରେ ଗୋଳିଆ ପାଣି ଆସୁଥିବା କାରଣରୁ ଅଞ୍ଚଳବାସୀ ଚୁଆ ଓ ଝରଣା ପାଣି ପିଇବା ପାଇଁ ବାଧ୍ୟ ହେଉଛନ୍ତି।
ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନର ଅଣଦେଖା ଯୋଗୁଁ ଦୁର୍ଗମ ଅଞ୍ଚଳରେ ଦୟନୀୟ ସ୍ଥିତି। ଉପାନ୍ତ ଅଞ୍ଚଳରେ ପାନୀୟ ଜଳ ସଙ୍କଟକୁ ନେଇ ଗ୍ରାମବାସୀ ଅନେକ ବାର ସ୍ଥାନୀୟ ସରପଞ୍ଚ ଓ ବିଡ଼ିଓଙ୍କୁ ଜଣାଇବା ପରେ ମଧ୍ୟ ଫଳଶୂନ। ତେଣୁ ଲୋକେ ଝରଣା ଓ ଚୁଆ ପାଣି ଉପରେ ନିର୍ଭର କରିବାକୁ ବାଧ୍ୟ ହେଉଛନ୍ତି। ବର୍ଷ ତମାମ ଏହି ପାଣି ପିଇବା ଦ୍ବାରା ବହୁ ସମୟରେ କାଚୁକୁଣ୍ଡିଆ, ଝାଡାବାନ୍ତି ଓ ମ୍ୟାଲେରିଆ ଜ୍ଵର ଭଳି ଅନେକ ରୋଗ ବ୍ୟାଧିର ଶିକାର ହେଉଥିବା ନେଇ କହିଛନ୍ତି ଅଞ୍ଚଳବାସୀ। ରାୟଗଡା ବ୍ଲକର ବିଭିନ୍ନ ପଞ୍ଚାୟତ ମଧ୍ୟରୁ ତାଦମା ପଞ୍ଚୟତର ଲୁହାଖାଲ, ହିର୍ଷାମୁଁହି, ଉଲ୍ଲକି, ଉଜାଗୁଡା, ପଦକାପାଡ଼ି ଭଳି ଗ୍ରମରେ ପ୍ରାୟ ୧୦୦୦ରୁ ଊର୍ଦ୍ଧ୍ବ ଲୋକ ବସବାସ କରନ୍ତି। ଦୀର୍ଘ ବର୍ଷ ହେବ ଲୋକେ କେବଳ ଝରଣା ପାଣି ଉପରେ ନିର୍ଭର କରି ଆସୁଛନ୍ତି। ତେଣୁ ବହୁ ସମୟରେ ନାନା ସଂକ୍ରାମକ ରୋଗର ଶିକାର ହେଉଥିବା ଲୋକେ କହନ୍ତି।
ସେହିପରି ଗୁମ୍ମା ପଞ୍ଚୟତର ସଦର ଗୁମା ଠାରେ ରାଜ୍ୟ ସରକାରଙ୍କ ପକ୍ଷରୁ ବସୁଧା ଯୋଜନାରେ ପାଣି ଟାଙ୍କି ଥାଇ ମଧ୍ୟ ଲୋକେ ଝରଣା ଓ ଲୌହ ଯୁକ୍ତ ନଳକୂପ ପାଣି ବ୍ୟବହାର କରୁଛନ୍ତି। ଏହି ବ୍ଲକର ମାଟିକଣା ପଞ୍ଚୟତର ଖଣ୍ଡେସୁ ଗ୍ରାମରେ ମଧ୍ୟ ସ୍ଥିତି ସମାନ।ଏଠାରେ ୪୦୦ରୁ ଊର୍ଦ୍ଧ୍ବ ଲୋକ ଚୁଆ ପାଣିରେ ହିଁ ନିଜର ଜୀବନ ବଞ୍ଚାଇ ରଖିଛନ୍ତି। ପ୍ରତିବର୍ଷ ଅଜଣା ରୋଗର ଶିକାର ହୋଇ ଲୋକେ ମୃତ୍ୟୁବରଣ କରୁଥିବା ମଧ୍ୟ ଗ୍ରାମର ମହିଳାମାନେ କହିଥିଲେ। ଗାଁକୁ ପକ୍କା ରାସ୍ତା ନଥିବାରୁ ମଧ୍ୟ ଲୋକେ ବହୁ ହଇରାଣ ହେଉଥିବା ସ୍ଥାନୀୟ ମହିଳା ବାସନ୍ତୀ ପ୍ରଧାନ କହିଛନ୍ତି। ପ୍ରାୟ ଦୁଇ କିଲୋମିଟର ବାଟ ରୋଗୀ କିମ୍ବା ପ୍ରସୂତୀଙ୍କୁ ବୋହି ନେଇ ମୁଖ୍ୟ ଛକରେ ଛାଡିଲେ ଆମ୍ବୁଲେନସ ରୋଗୀକୁ ଡାକ୍ତରଖାନାକୁ ନେଇଥାଏ ବୋଲି କହିଥିଲେ। ସରକାର ପାଣି ଓ ରାସ୍ତା ପାଇଁ କୋଟି କୋଟି ଟଂକା ଖର୍ଚ୍ଚ କରୁଥିଲେ ମଧ୍ୟ ଆଜି ବି ଜିଲ୍ଲାର ବହୁ ଗ୍ରାମକୁ ପାଣିର ଓ ରାସ୍ତାର ସୁବିଧା ହୋଇପାରିଲା ନାହିଁ। ପଞ୍ଚାୟତକୁ ସରକାର ଏଥର ମଧ୍ୟ ୫୦ ଲକ୍ଷ ଟଂକା ଲେଖାଏଁ ପ୍ରାଦନ କରିଥିବା ଘୋଷଣା କରିଛନ୍ତି।
ତେବେ ଏହି ଟଂକା କେଉଁ ବାବଦକୁ ଖର୍ଚ୍ଚ ହେଉଛି ଦେଖିବାକୁ ବାକି ରହିଲା। ଜିଲ୍ଲା ପ୍ରଶାସନର ଇଚ୍ଛାଶକ୍ତି ଓ ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁଁ ଲୋକେ ଭୋଗୁ ଛନ୍ତି ଦୁର୍ଦଶା। ଅଞ୍ଚଳ ଗୁଡିକ ଉପରେ ପ୍ରଶାସନର ଦୃଷ୍ଟି କେବେ ପଡୁଛି ଏବଂ ଏମାନଙ୍କ ନିମନ୍ତେ ଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥାରେ ସୁଧାର ଆସିବ ଦେଖିବାକୁ ବାକି ରହିଲା।